
ଭୁବନେଶ୍ୱର, 23 ଅଗଷ୍ଟ (ହି.ସ.) ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ରାୟଗଡ଼ା ଜିଲ୍ଲାସ୍ତରରେ ‘ସମରସ ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ପବିତ୍ର କଳସ ବନ୍ଦନ ଶୋଭାଯାତ୍ରା ଓ ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ବହୁ ସାଧୁସନ୍ଥ ଯୋଗଦେଇ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ମାର୍ଗଦର୍ଶନ କରିବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସାମାଜିକ ଗଣମାଧ୍ୟମରେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ କରି କହିଛନ୍ତି ଯେ, ସମ୍ମିଳନୀରେ ହଜାର ହଜାର ଶ୍ରଦ୍ଧାଳୁ ଓ କଳସଧାରୀ ଯୋଗଦେଇ ସାଧୁସନ୍ଥଙ୍କ ମାର୍ଗଦର୍ଶନ ଓ ଆଶୀର୍ବାଦ ଲାଭ କରିଛନ୍ତି।
ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ପାଳନ ଅବସରରେ ସାରା ଦେଶରେ ‘ସମରସ ସଂକଳ୍ପ ଅଭିଯାନ’ ଜାରି ରହିଛି। ଏହି ଅଭିଯାନ ଅଧୀନରେ କଳସ ବନ୍ଦନ ଶୋଭାଯାତ୍ରା ସହ ‘ସନ୍ଥ ସମ୍ପର୍କ’, ‘ଛାତ୍ର ସମ୍ପର୍କ’ ଓ ସାମାଜିକ ସମରସତା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।
ମନ୍ତ୍ରୀ ଗଣ୍ଡ କହିଛନ୍ତି ଯେ, ଗୁରୁ ରବିଦାସଜୀ ସମାଜରେ ସଂସ୍କାର ଓ ସମରସତାର ବାର୍ତ୍ତା ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ସାଧାରଣ ପରିବାରରେ ଜନ୍ମଗ୍ରହଣ କରି ମଧ୍ୟ ନିଜର କର୍ମ, ଚିନ୍ତାଧାରା ଓ ମାନବିକ ମୂଲ୍ୟବୋଧ ଯୋଗୁଁ ସେ ସମାଜରେ ପୂଜ୍ୟ ହୋଇପାରିଥିଲେ। ଅସ୍ପୃଶ୍ୟତା ବିରୋଧରେ ସଂଗ୍ରାମ ସହ କବିତା ଓ ଦୋହା ମାଧ୍ୟମରେ ସେ ସମାଜରେ ପରିବର୍ତ୍ତନ ଓ ସାମାଜିକ ସମରସତାର ବାର୍ତ୍ତା ପ୍ରଚାର କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ