
ଭୁବନେଶ୍ୱର, 23 ଅଗଷ୍ଟ (ହି.ସ.) ଓଡ଼ିଶା ଉପକୂଳ ନିକଟରେ ପାନାମା ପତାକା ଥିବା ମାଲବାହୀ ଜାହାଜ ଏମ୍ଭି ଓସେନ୍ ୱିନର୍ ସହ ଘଟିଥିବା ଏକ ଅଘଟଣକୁ ନେଇ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।
ସୋନୋୱାଲ ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ କହିଛନ୍ତି ଯେ, ଜାହାଜଟି ପାରାଦୀପ ବନ୍ଦରରୁ ଚୀନ୍ ଅଭିମୁଖେ ଲୁହାପଥର ନେଇ ଯାଉଥିଲା। ଅଘଟଣ ପରେ ସମସ୍ତ ସମ୍ପୃକ୍ତ ସଂସ୍ଥା ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ସକ୍ରିୟ ଭାବେ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।
କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨ ଜଣଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି ଏବଂ ସେମାନଙ୍କୁ ଚିକିତ୍ସାସେବା ଯୋଗାଇ ଦିଆଯାଉଛି। ଉଦ୍ଧାର ହୋଇଥିବା ଦୁଇଜଣଙ୍କ ପଦବୀ ଓ ପରିଚୟର ଯାଞ୍ଚ ଚାଲିଛି।
ଅବଶିଷ୍ଟ ଚାଳକ ଦଳର ସୁରକ୍ଷା ନେଇ ସୋନୋୱାଲ ଚିନ୍ତା ପ୍ରକାଶ କରିବା ସହ ସେମାନଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରାର୍ଥନା କରିଛନ୍ତି। ଅନ୍ୟ ଚାଳକ ଦଳ ସଦସ୍ୟଙ୍କ ସନ୍ଧାନ ଓ ଉଦ୍ଧାର ପାଇଁ ସମ୍ପୃକ୍ତ ସଂସ୍ଥାଗୁଡ଼ିକର ଉଦ୍ୟମ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ