ଝାରସୁଗୁଡ଼ା ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସମୂହ କାର୍ଯ୍ୟକାରିଣୀ ବୈଠକ
Working committee meeting held
Working committee meeting held


ଝାରସୁଗୁଡ଼ା, ୨୩ ଅଗଷ୍ଟ (ହି.ସ.) ଝାରସୁଗୁଡ଼ା ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସମୂହ ତଥା ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ସମିତି ବୈଠକ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଝାରସୁଗୁଡ଼ା ବିଦ୍ୟାଳୟ କ୍ରୀଡ଼ା ସମୂହ ସଭାପତି ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରାଧାକାନ୍ତ ଗର୍ତିଆ ଅଧ୍ୟକ୍ଷତା କରିଥିଲେ। ଏଥିରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରବୀନ୍ଦ୍ର ମାଝୀ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୁଶାନ୍ତ ବେହେରା, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ନିରୋଜ ପଟେଲ, ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନିଲ କୁମାର ପଟେଲ, କିର୍ମିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟନାରାୟଣ ପଣ୍ଡା, ଲଇକେରା ଗୋଷ୍ଠୀ ଶିକ୍ଷା ଅଧିକାରୀ ହିମାଂଶୁ ବାଗ, କୋଲାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ ସାହୁ, ସରକାରୀ ଉଚ୍ଚ ବିଦ୍ୟାଳୟ ଝାରସୁଗୁଡ଼ାର ପ୍ରଧାନ ଶିକ୍ଷୟତ୍ରୀ ତନ୍ମୟୀ ଶୁଭଶ୍ରୀ ପିଙ୍ଗ, ପିଏମ୍ ଜିଏଲ୍ ଉଚ୍ଚ ବିଦ୍ୟାଳୟ ବେଲପାହାଡ଼ର ପ୍ରଧାନ ଶିକ୍ଷକ ସଚିନ୍ଦ୍ର ପଟେଲ ଏବଂ ସମସ୍ତ ବ୍ଲକ କ୍ରୀଡ଼ା ସମ୍ପାଦକ ଉପସ୍ଥିତ ଥିଲେ।

ପ୍ରାରମ୍ଭରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ବେହେରା ବିଗତ ବର୍ଷର ବିବରଣୀ ପାଠ କରିବା ସହ ଚଳିତ ବର୍ଷର ଜୋନ୍, ବ୍ଲକ୍ ଏବଂ ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ ସୁଚାରୁ ରୂପେ ଆୟୋଜନ କରିବା ପାଇଁ ବାର୍ଷିକ କାର୍ଯ୍ୟ ଯୋଜନା ଉପସ୍ଥାପନ କରିଥିଲେ। ସମସ୍ତ କାର୍ଯ୍ୟକାରିଣୀ ସଭ୍ୟଙ୍କ ସର୍ବସମ୍ମତି କ୍ରମେ ସଭାପତି ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଗର୍ତିଆ ଏହି କାର୍ଯ୍ୟପନ୍ଥାକୁ ଅନୁମୋଦନ କରିଥିଲେ। ଜିଲ୍ଲାର ଛାତ୍ରଛାତ୍ରୀମାନେ କିପରି ଉନ୍ନତମାନର ପ୍ରଦର୍ଶନ କରି ରାଜ୍ୟ ତଥା ଜାତୀୟ ସ୍ତରରେ ନିଜର ପ୍ରତିଭା ବିକଶିତ କରିପାରିବେ, ସେଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ଶ୍ରୀ ଗର୍ତିଆ ଆହ୍ୱାନ ଦେଇଥିଲେ। ଏଥିସହ ଜିଲ୍ଲା କ୍ରୀଡ଼ା ସମୂହ ତରଫରୁ ସମସ୍ତ ଆବଶ୍ୟକୀୟ ସହଯୋଗ ଓ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

କାର୍ଯ୍ୟକ୍ରମ ଶେଷରେ ଲଖନପୁର ବ୍ଲକ୍ ସମ୍ପାଦକ ଅନିରୁଦ୍ଧ ପ୍ରଧାନ ମଞ୍ଚ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande