
ଭୁବନେଶ୍ୱର, 23 ଅଗଷ୍ଟ (ହି.ସ.)- ଭଦ୍ରକ ଜିଲ୍ଲାରେ
ସାଳନ୍ଦୀ ଓ ନାଳିଆ ନଦୀର ବନ୍ୟା ଜଳ ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବଂ
ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇ ଗାଁଗୁଡ଼ିକ ବିଚ୍ଛିନ୍ନ ହୋଇପଡ଼ିଥିବା ଅଞ୍ଚଳକୁ ପରିଦର୍ଶନ କରି
ସ୍ଥିତି ଅନୁଧ୍ୟାନ କରିଛନ୍ତି ଗ୍ରାମୀଣ ବିକାଶ ମନ୍ତ୍ରୀ ରବି ନାଏକ, ଉଚ୍ଚ ଶିକ୍ଷା,
କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ , ଭଦ୍ରକ
ସାଂସଦ ଶ୍ରୀ ଅଭିମନ୍ୟୁ ସେଠୀ, ଏବଂ ବିଧାୟକ
ଶ୍ରୀ ସୀତାଂଶୁ ମହାପାତ୍ର ।
ବନ୍ୟା ପ୍ରଭାବିତ ବିଷ୍ଣୁପୁର, ଅର୍ଣ୍ଣପାଳ, ସୁଶୁଆ, ରାଜୁଆଳିବିନ୍ଧା
ଓ ରାଜମୁକୁନ୍ଦପୁର ଅଞ୍ଚଳରେ ହୋଇଥିବା ବ୍ୟାପକ କ୍ଷୟକ୍ଷତି ଏବଂ ଜନସାଧାରଣଙ୍କ ସମସ୍ୟା
ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ମନ୍ତ୍ରୀ।
ବନ୍ୟା ଯୋଗୁଁ ହୋଇଥିବା
କ୍ଷୟକ୍ଷତି, ନଷ୍ଟ ହୋଇଥିବା ରାସ୍ତାଘାଟ ଓ ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ
ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ସହ ତୁରନ୍ତ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ
କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସଙ୍କଟ ସମୟରେ ଆମ ସରକାର ଅଞ୍ଚଳବାସୀଙ୍କ ସହ ଦୃଢ଼
ଭାବେ ଛିଡ଼ା ହୋଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
ଏହାପରେ ଏହି ଟିମ୍ ଭଦ୍ରକ
ଜିଲ୍ଲା ତିହିଡ଼ି ବ୍ଲକର ତଳଗୋପବିନ୍ଧା ଅଞ୍ଚଳ ଗସ୍ତ କରି ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ସ୍ଥିତି
ଅନୁଧ୍ୟାନ କରିଛନ୍ତି। ଘାଇ ହୋଇଥିବା ସ୍ଥାନଗୁଡ଼ିକୁ ବୁଲି ଦେଖିବା ସହ ଏହି ସମୟରେ ନଦୀବନ୍ଧର
ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ମନ୍ତ୍ରୀ
ପ୍ରଭାବିତ ଲୋକଙ୍କ ପାଇଁ ପ୍ରସ୍ତୁତ ହେଉଥିବା
ରନ୍ଧା ଖାଦ୍ୟ ସ୍ଥଳୀକୁ ଯାଇ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ବନ୍ୟାଜଳ ନିଷ୍କାସନ, କ୍ଷତିଗ୍ରସ୍ତ ବନ୍ଧର ମରାମତି ଏବଂ ପ୍ରଭାବିତ ଲୋକଙ୍କୁ ତୁରନ୍ତ
ରିଲିଫ୍ ଓ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଉପସ୍ଥିତ ପ୍ରଶାସନିକ ଅଧିକାରୀମାନଙ୍କୁ
ନିର୍ଦ୍ଦେଶ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା