
ଝାରସୁଗୁଡ଼ା:୨୪ ଅଗଷ୍ଟ (ହି.ସ.) - ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଝାରସୁଗୁଡ଼ା ପକ୍ଷରୁ ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ନ୍ୟାୟିକ ବ୍ୟବସ୍ଥାରେ ପ୍ରଯୁକ୍ତିର ବ୍ୟବହାର, ନ୍ୟାୟିକ ରାୟର ଆଂଚଳିକ ଭାଷାରେ ଅନୁବାଦ ଏବଂ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ପ୍ରସନ୍ନ ପଣ୍ଡା ଆଇନ ମହାବିଦ୍ୟାଳୟ, ଝାରସୁଗୁଡ଼ା ପରିସରରେ ଆୟୋଜିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମରେ ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା), ଝାରସୁଗୁଡ଼ାର ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ଆଲୋକମୟୀ ପ୍ରଧାନ ପ୍ରମୁଖ ବିଚାର ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ପ୍ରିନ୍ସିପାଲ ଦୀପକ ତିୱାରି, ଜିଲ୍ଲା ମଧ୍ୟସ୍ଥତା କେନ୍ଦ୍ରର ତାଲିମପ୍ରାପ୍ତ ମଧ୍ୟସ୍ଥି ସତପାଳ ସିଂ ଓ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗ ଦେଇ ଥିଲେ । କାର୍ଯ୍ୟକ୍ରମରେ ଭାରତର ମାନ୍ୟବର ସୁପ୍ରିମକୋର୍ଟଙ୍କ ଇଂରାଜୀ ଭାଷାରେ ପ୍ରକାଶିତ ରାୟଗୁଡ଼ିକୁ କୃତ୍ରିମ ବୁଦ୍ଧିମତା ର ସହାୟତାରେ ଆଂଚଳିକ ଭାଷାକୁ ଅନୁବାଦ କରିବା ପାଇଁ ବିକଶିତ ଏସ ୟୁ ଭି ଏ ଏସ ବିଷୟରେ ଉପସ୍ଥିତ ଅଂଶଗ୍ରହଣକାରୀ ମାନଙ୍କୁ ସଚେତନ କରାଯାଇଥିଲା। ଏହି ପଦକ୍ଷେପ ମାଧ୍ୟମରେ ସାଧାରଣ ଲୋକ, ଆଇନଜୀବୀ ଓ ନ୍ୟାୟିକ ବ୍ୟବସ୍ଥା ସହିତ ସମ୍ପୃକ୍ତ ବ୍ୟକ୍ତିମାନେ ନିଜ ଆଂଚଳିକ ଭାଷାରେ ନ୍ୟାୟିକ ରାୟ ବୁଝିବାରେ ଅଧିକ ସୁବିଧା ପାଇପାରିବେ ବୋଲି ଆଲୋଚନା କରାଯାଇଥିଲା । ଏହା ସହ ଓଡ଼ିଶା ହାଇକୋର୍ଟଙ୍କ ଅଦାଲତଗୁଡ଼ିକ ପାଇଁ ଭିଡିଓ କନ୍ଫରେନ୍ସିଂ ନିୟମାବଳୀ, ୨୦୨୦ ସମ୍ପର୍କରେ ମଧ୍ୟ ବିସ୍ତୃତ ସଚେତନତା ସୃଷ୍ଟି କରାଯାଇଥିଲା। ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟର କାର୍ଯ୍ୟକୁ ଅଧିକ ସୁଗମ, ଦ୍ରୁତ ଓ ସୁବିଧାଜନକ କରିବା ସହିତ ଦୂରସ୍ଥ ସ୍ଥାନରୁ ନ୍ୟାୟିକ ପ୍ରକ୍ରିୟାରେ ଅଂଶଗ୍ରହଣର ସୁଯୋଗ ବିଷୟରେ ଆଲୋଚନା ହୋଇଥିଲା। ଅଦାଲତରେ ଉପଲବ୍ଧ ଆଇ ସି ଟି ସୁବିଧାଗୁଡ଼ିକର ବ୍ୟବହାର ଓ ଏହାର ଉପକାରିତା ସମ୍ପର୍କରେ ମଧ୍ୟ ଅଂଶଗ୍ରହଣକାରୀମାନଙ୍କୁ ଅବଗତ କରାଯାଇଥିଲା। କାର୍ଯ୍ୟକ୍ରମର ଅନ୍ୟତମ ପ୍ରମୁଖ ବିଷୟ ଥିଲା ବିକଳ୍ପ ବିବାଦ ସମାଧାନ, ୨୦୦୭ ସମ୍ପର୍କରେ ଆଲୋଚନା କରାଯାଇ ମଧ୍ୟସ୍ଥତା ଓ ଅନ୍ୟାନ୍ୟ ବିକଳ୍ପ ପଦ୍ଧତି ମାଧ୍ୟମରେ ବିବାଦର ସହଜ, ଶୀଘ୍ର ଓ ସୌହାର୍ଦ୍ଦପୂର୍ଣ୍ଣ ସମାଧାନର ଗୁରୁତ୍ୱ ବୁଝାଇ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ନ୍ୟାୟିକ ଅଧିକାରୀ, ଆଇନଜୀବୀ, ପାରାଲିଗାଲ୍ ସ୍ୱେଚ୍ଛାସେବୀ ଏବଂ ଆଇନ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ପ୍ରଯୁକ୍ତିଭିତିକ ନ୍ୟାୟ ବ୍ୟବସ୍ଥା, ଆଂଚଳିକ ଭାଷାରେ ନ୍ୟାୟିକ ରାୟର ଉପଲବ୍ଧତା ଓ ମଧ୍ୟସ୍ଥତା ମାଧ୍ୟମରେ ବିବାଦର ସମାଧାନ ନ୍ୟାୟ ପ୍ରାପ୍ତିକୁ ଅଧିକ ସହଜ ଓ ଲୋକାଭିମୁଖୀ କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ