
ଭୁବନେଶ୍ୱର, ୨୪ ଅଗଷ୍ଟ (ହି.ସ) - ଆମର ପ୍ରିୟ ଓଡ଼ିଆ ଭାଷା, ଜାଣତ ବା ଅଜାଣତରେ ବିକୃତ ଓ ପତନ ଆଡକୁ ଅଗ୍ରସର ହେଉଛି। ଘରେ ଓଡ଼ିଆର ବ୍ୟବହାର ହ୍ରାସ ପାଉଛି। ସମସ୍ତ ସୂଚନା (ନିମନ୍ତ୍ରଣ ଓ ବିଜ୍ଞାପନରେ) ବିଦେଶୀ ଭାଷାର ଆଧିପତ୍ୟ ବଢି ବଢି ଚାଲିଛି । ଯାହା ପରାଧୀନତା ବେଳେ ସମ୍ଭବ ହୋଇ ନଥିଲା ତାହା ଏବେ ସମ୍ଭବ ହୋଇପାରୁଛି। ସହରୀ ଜୀବନ ଆମଠାରୁଁ ଭାଷା, ସଂସ୍କୃତି ଓ ପରମ୍ପରା ଛଡାଇ ନେଇଛି। ସୁତରାଂ ଆଉ ନୀରବ ଦ୍ରଷ୍ଟା ନହୋଇ ରହିବା ସକାଶେ ବିଶ୍ୱ ଓଡ଼ିଆ ପରିବାର ତରଫରୁ ଆଗାମୀ ଗହ୍ମା ପୂର୍ଣ୍ଣିମା (ରକ୍ଷା ବନ୍ଧନ) ପର୍ବରେ ଜନଜାଗରଣ କାର୍ଯ୍ୟକ୍ରମ କରିବାକୁ ସ୍ଥିର କରିଛି। ଏହି ଅବସରରେ ଆମର ପୂର୍ବପୁରୁଷମାନଙ୍କ ସଂଘର୍ଷ ଓ ବଳିଦାନକୁ ସ୍ମରଣ କରିବାକୁ ନିବେଦନ କରାଯିବା ସହିତ ଗହ୍ମା ପୁନେଇଁ ଦିନ ରକ୍ଷାସୂତ୍ର ବାନ୍ଧିବା ସଂକଳ୍ପ ନେବା ପାଇଁ ସ୍ଥିର କରାଯାଇଛି। ଏହା ସହିତ ଏଣିକି ଓଡିଆରେ ସ୍ୱାକ୍ଷର କରିବା, ସମସ୍ତ ସୂଚନା (ନିମନ୍ତ୍ରଣ ଓ ବିଜ୍ଞାପନ ଓଡ଼ିଆରେ ) ପ୍ରଦାନ କରିବା ଏବଂ ଆମ ଭାଷା ଓ ସଂସ୍କୃତି ସୁରକ୍ଷା, ଆମ ପବିତ୍ର କର୍ଲବ୍ୟ ବୋଲି ଶପଥ ନେବାକୁ ବିଶ୍ୱ ଓଡ଼ିଆ ପରିବାରର ଅଧ୍ୟକ୍ଷ ସଜ୍ଜନ ଶର୍ମା ଆହ୍ୱାନ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା