
ଝାରସୁଗୁଡ଼ା, ୨୪ ଅଗଷ୍ଟ (ହି.ସ.)- ଲଇକେରା ବ୍ଲକ ଅନ୍ତର୍ଗତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ନିର୍ମାଣାଧୀନ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ। କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ‘ୱାପକସ୍’ ଦ୍ୱାରା ନିର୍ମାଣ କରାଯାଉଥିବା ଏହି ପ୍ରକଳ୍ପ ସ୍ଥଳରେ ଜିଲ୍ଲାପାଳ ପହଞ୍ଚି ବିଭିନ୍ନ ଭିତ୍ତିଭୂମିର ତଦାରଖ କରିଥିଲେ। ଏହି ପରିଦର୍ଶନ ସମୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ଜୟଶ୍ରୀ ଏବଂ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ସଞ୍ଜୀବ କୁମାର ପଟେଲ ଉପସ୍ଥିତ ଥିଲେ। ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟ ତୁଳନାରେ ବିଳମ୍ବ ହୋଇଥିବାରୁ ଜିଲ୍ଲାପାଳ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ କାର୍ଯ୍ୟକୁ ତୁରନ୍ତ ତ୍ୱରାନ୍ୱିତ କରିବାକୁ କାର୍ଯ୍ୟନିର୍ବାହୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ନିର୍ମାଣର ଗୁଣବତ୍ତା ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ଚତୁଃପାର୍ଶ୍ୱ ସୀମା ପ୍ରାଚୀରର ଉଚ୍ଚତା ବୃଦ୍ଧି କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟାଳୟ ପରିସରକୁ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ନିଶ୍ଚିତ କରିବା ପାଇଁ ମେଗା ୱାଟର ପ୍ରୋଜେକ୍ଟରୁ ବିଦ୍ୟାଳୟ ପର୍ଯ୍ୟନ୍ତ ପାଇପ୍ଲାଇନ୍ ସଂଯୋଗ କରିବା ନିମନ୍ତେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ସହ ତୁରନ୍ତ ଯୋଗାଯୋଗ କରି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ