
ଝାରସୁଗୁଡ଼ା, ୨୪ ଅଗଷ୍ଟ (ହି.ସ.)- ଲଇକେରା ବ୍ଲକ ମୁଖ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗର ପ୍ରତ୍ୟକ୍ଷ ଶୁଣାଣି କରିଥିଲେ। କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡାଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ଗୁଡ଼ିକର ତ୍ୱରିତ ସମାଧାନ ଦିଗରେ ଆଲୋଚନା କରିଥିଲେ। ଏହି ଅଭିଯୋଗ ଶୁଣାଣି ଶିବିରରେ ସମୁଦାୟ ୨୪ଟି ଅଭିଯୋଗ ପତ୍ର ପଞ୍ଜୀକୃତ ହୋଇଥିଲା। ଏଥିମଧ୍ୟରୁ ୧୯ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୫ଟି ସାମୂହିକ ଅଭିଯୋଗ ରହିଥିଲା। ଦାଖଲ ହୋଇଥିବା ଆବେଦନ ଗୁଡ଼ିକ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜମିଜମା ସମ୍ପର୍କିତ ବିବାଦ, ରାସ୍ତାଘାଟ ନିର୍ମାଣ ଓ ମରାମତି, ଜମି ଚିହ୍ନଟୀକରଣ, ବିଭିନ୍ନ ନିର୍ମାଣ କାର୍ଯ୍ୟ ସମ୍ବନ୍ଧୀୟ ସମସ୍ୟା ତଥା ଭେଣ୍ଡର ଲାଇସେନ୍ସ ପ୍ରଦାନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଧାରିତ ଥିଲା। ଜିଲ୍ଲାପାଳ ପ୍ରତ୍ୟେକଟି ଅଭିଯୋଗର ଗମ୍ଭୀରତାର ସହ ସମୀକ୍ଷା କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଉଚିତ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଶିବିରରେ ଜରୁରୀକାଳୀନ ଚିକିତ୍ସା ତଥା ଆର୍ଥିକ ସହାୟତା ଆବଶ୍ୟକ କରୁଥିବା ୨ ଜଣ ଆବେଦନକାରୀଙ୍କୁ ସର୍ବମୋଟ ୩୦,୦୦୦ ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଜଣେ ହିତାଧିକାରୀଙ୍କୁ ୧୦,୦୦୦ ଟଙ୍କା ଏବଂ ରେଡକ୍ରସ୍ ପାଣ୍ଠିରୁ ଅନ୍ୟ ଜଣେ ହିତାଧିକାରୀଙ୍କୁ ୨୦,୦୦୦ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ