
ଭୁବନେଶ୍ୱର, ୨୪ ଅଗଷ୍ଟ (ହି.ସ) - ଓଡ଼ିଶାର ସମ୍ପଦ ଓ ରାଜସ୍ୱ ଲୁଟ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାସ ହୋଇଥିବା ଏମଏମଡିଆର-୨୦୨୬ କଳା ଆଇନକୁ ପ୍ରତ୍ୟାହାର ଦାବିରେ ଇଣ୍ଡିଆମେଂଟର ସମସ୍ତ ବିରୋଧି ରାଜନୈତିକ ଦଳ ତରଫରୁ ସୋମବାର ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକ ଠାରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭାରତୀୟ ଜାତୀୟ କଂଗ୍ରେସ ସମେତ ଇଣ୍ଡିଆମେଂଟର ସମସ୍ତ ରାଜନୈତିଦଳର ନେତୃବୃନ୍ଦ ଅଂଶଗ୍ରହଣ କରି ଏଭଳି ଜନସ୍ୱାର୍ଥ ବିରୋଧି ବିଲକୁ ପ୍ରତ୍ୟାହାର ପାଇଁ ଦାବି କରିଥିଲେ । ରାଜ୍ୟର ସ୍ୱାର୍ଥରକ୍ଷା କରିବା ଦିଗରେ ବିଜେପିର ୨୦ ସାସଂଦ ଓ ଖୋଦ ମୁଖ୍ୟମନ୍ତ୍ରୀ ଚୁପ ରହିବା କ୍ଷୋଭ ଓ ପରିତାପର ବିଷୟ ବୋଲି ନେତୃବୃନ୍ଦ ପ୍ରକାଶ କରିଥିଲେ । ପରେ ମଶାଲା ରାଲି କରାଯିବା ସହିତ ମୁଖ୍ୟମନ୍ତ୍ରୀ ଓ ବିଜେପିର ୨୦ ସାଂସଦଙ୍କର କୁଶପୁତଳିକା ଦାହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ସର୍ବଶ୍ରୀ ସନ୍ତୋଷ ସିଂ ସାଲୁଜା, ସୁରେଶ କୁମାର ରାଉତରାୟ, ପ୍ରକାଶ ଜେନା, ଶିବାନନ୍ଦ ରାୟ, ସୁର ଜେନା, ପ୍ରଦୀପ ନାୟକ, ହେମନ୍ତ ବେହେରା, ପ୍ରଭାତ ସାମନ୍ତରାୟ, ସୁରେଶ ପାଣିଗ୍ରାହୀ, ଜ୍ୟୋତି ରଞ୍ଜନ ମହାପାତ୍ର, ମହେନ୍ଦ୍ର ପରିଡ଼ା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମିହିର ଆଚାର୍ଯ୍ୟ ଓ ସୂର୍ଯ୍ୟକାନ୍ତ ଜେନା ପରିଚାଳନା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା