
ଦୁଇ ଦିନିଆ ସାଂଗଠନିକ ଗସ୍ତରେ ପଞ୍ଜାବ ଆସିଥିବା ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ(ସଂଗଠନ) ପଟିଆଲାରେ କଲେ ପ୍ରଥମ ଆଂଚଳିକ ବୈଠକ
ପଟିଆଲା, ୨୪ ଅଗଷ୍ଟ(ହି.ସ.) – ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ(ସଂଗଠନ) ବି.ଏଲ୍. ସନ୍ତୋଷ ସୋମବାର କହିଛନ୍ତି ଯେ ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନରେ ଦଳ ଏକାକୀ ସମସ୍ତ ୧୧୭ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଏବଂ ରାଜ୍ୟରେ ସରକାର ଗଠନ କରିବାକୁ ଲକ୍ଷ୍ୟ ରଖିଛି।
ପଟିଆଲାରେ ତାଙ୍କର ଦୁଇ ଦିନିଆ ସାଂଗଠନିକ ଗସ୍ତର ପ୍ରଥମ ଦିନରେ ପ୍ରଥମ ଆଂଚଳିକ ବୈଠକକୁ ସମ୍ବୋଧିତ କରି ସନ୍ତୋଷ କହିଛନ୍ତି ଯେ ପଞ୍ଜାବ ପରିବର୍ତନ ପାଇଁ ପ୍ରସ୍ତୁତ ଅଛି ଏବଂ ବିଜେପି ଏହି ପରିବର୍ତନକୁ ବାସ୍ତବ ରୂପ ଦେବାକୁ ପ୍ରସ୍ତୁତ ଅଛି। ନିର୍ବାଚନ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ଏବଂ ସଂଗଠନକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ସୁଦୃଢ଼ କରିବା ଲାଗି ସେ କର୍ମୀମାନଙ୍କୁ ଆହ୍ୱାନ କରିଥିଲେ।
ଏହାପୂର୍ବରୁ ପଞ୍ଜାବ ବିଜେପି ସଭାପତି କେୱଲ ସିଂ ଧିଲନ୍ ମଧ୍ୟ ଅକାଳୀ ଦଳ ସହିତ ସମ୍ଭାବ୍ୟ ମେଂଟକୁ ଖଣ୍ଡନ କରି କହିଥିଲେ ଯେ ବିଜେପି ସମସ୍ତ ୧୧୭ଟି ଆସନରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ଅଛି। ସୋମବାର ସକାଳେ ଚଣ୍ଡିଗଡ଼ ବିମାନବନ୍ଦରରେ ପହଂଚିବା ପରେ ବି.ଏଲ୍. ସନ୍ତୋଷଙ୍କୁ କେୱାଲ୍ ସିଂ ଧିଲନ୍ ଏବଂ ପଞ୍ଜାବ ବିଜେପି ସହ-ପ୍ରଭାରୀ ନରେନ୍ଦ୍ର ସିଂ ରାଇନା ସ୍ୱାଗତ କରିଥିଲେ।
ଏହି ଗସ୍ତ ସମୟରେ ସନ୍ତୋଷ ପଞ୍ଜାବର ବିଭିନ୍ନ ଭାଗରେ ବିଜେପି ନେତା ଏବଂ ସାଂଗଠନିକ ପଦାଧିକାରୀଙ୍କ ସହ ଆଂଚଳିକ ବୈଠକ କରି ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦଳର କାର୍ଯ୍ୟକଳାପ ଏବଂ ପ୍ରସ୍ତୁତିର ସମୀକ୍ଷା କରିବେ। ସୋମବାର ପଟିଆଲା ଏବଂ ଭଟିଣ୍ଡାରେ ବୈଠକ ଧାର୍ଯ୍ୟ ହୋଇଥିଲା। ପଟିଆଲା ଜୋନ୍ ବୈଠକରେ ମୋହାଲି, ପଟିଆଲା ଉତର, ପଟିଆଲା ସହରାଂଚଳ, ପଟିଆଲା ଦକ୍ଷିଣ, ଫତେହଗଡ଼ ସାହିବ ଏବଂ ସଙ୍ଗ୍ରୁରର ପ୍ରତିନିଧିମାନେ ଯୋଗ ଦେଇଥିଲେ।
ବର୍ଣ୍ଣାଲା, ମାନସା, ଭଟିଣ୍ଡା ଗ୍ରାମାଂଚଳ, ଭଟିଣ୍ଡା ସହରାଂଚଳ, ମୁକ୍ତସର ସାହିବ, ଫାଜିଲ୍କା ଏବଂ ଫରିଦକୋଟ୍ର ସାଂଗଠନିକ ପ୍ରତିନିଧିମାନେ ଭଟିଣ୍ଡା ଜୋନ୍ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି