ସ୍ନେହ ସେତୁ’ ମାଧ୍ୟମରେ ମଧ୍ୟପ୍ରଦେଶର ମହିଳାଙ୍କ ପରିବାର ସହ ହେଲା ପୁନଃମିଳନ
Reunion with family members
ଝାରସୁଗୁଡ଼ା, ୨୪


ଝାରସୁଗୁଡ଼ା, ୨୪ ଅଗଷ୍ଟ (ହି.ସ.)- ଜିଲ୍ଲା ପ୍ରଶାସନର ମାନବୀୟ ପ୍ରୟାସ ‘ସ୍ନେହ ସେତୁ’ ଅଭିଯାନ ମାଧ୍ୟମରେ ଆଜି ଆଉ ଏକ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ମଧ୍ୟପ୍ରଦେଶର ମାନସିକ ଅସୁସ୍ଥ ମହିଳା କମଳିନୀ ଲୋଧି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଆଜି ତାଙ୍କ ପରିବାର ସହିତ ସଫଳତାର ସହ ପୁନଃମିଳନ କରାଯାଇଛି। ତାଙ୍କୁ ନେବା ପାଇଁ ତାଙ୍କ ସ୍ୱାମୀ ମଧ୍ୟପ୍ରଦେଶରୁ ଝାରସୁଗୁଡ଼ା ଆସିଥିଲେ।

ଗତ ୨୭ ମାର୍ଚ୍ଚ ୨୦୨୬ ରେ ମାନସିକ ଭାରସାମ୍ୟ ହରାଇ ବୁଲୁଥିବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଏଚ୍. କଟାପାଲିସ୍ଥିତ ‘ମିଶନ ଆଶ୍ରା-୨’ (ପିପୁଲ୍ସ ଫୋରମ୍ ଏନଜିଓ) ଆଶ୍ରୟସ୍ଥଳୀରେ ଭର୍ତ୍ତି କରାଯାଇଥିଲା। ସେଠାରେ ନିରନ୍ତର ଚିକିତ୍ସା, ସେବା ଓ ଉପଯୁକ୍ତ ଯତ୍ନ ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନିଜ ପରିବାର ବିଷୟରେ ଜଣାଇଥିଲେ। ପରବର୍ତ୍ତୀ ସମୟରେ ପ୍ରଶାସନ ତାଙ୍କ ସ୍ୱାମୀ ତଥା ପରିବାରବର୍ଗଙ୍କ ସହ ଯୋଗାଯୋଗ କରିଥିଲା। ଆଜି ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଉପସ୍ଥିତିରେ କମଳିନୀଙ୍କୁ ତାଙ୍କ ସ୍ୱାମୀଙ୍କ ହାତରେ ସୁରକ୍ଷିତ ଭାବେ ହସ୍ତାନ୍ତର କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ନାୟକ, ବିଭାଗୀୟ କର୍ମଚାରୀ ଆଦିତ୍ୟ ବାଦୀ ଏବଂ ‘ମିଶନ ଆଶ୍ରା-୨’ ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଦୀର୍ଘ ଦିନ ପରେ ସ୍ତ୍ରୀଙ୍କୁ ସୁସ୍ଥ ଅବସ୍ଥାରେ ଫେରି ପାଇ ସ୍ୱାମୀ ଭାବବିହ୍ୱଳ ହୋଇ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande