
ଚମ୍ପୁଆ, ୨୪ ଅଗଷ୍ଟ (ହି.ସ.)- ଚମ୍ପୁଆ ଶିକ୍ଷା ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଅତି ଦେବାଳିଆ ସ୍ଥିତିରେ ଗତି କରୁଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟ ଗୁଡିକରେ ଶିକ୍ଷା ଦାନ ତ ଯାହା ହେଉଛି, ତା' ସହିତ ପିଲାଙ୍କ ସୁରକ୍ଷା ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉ ନଥିବା ସାଧାରଣରେ ଗୁରୁତର ଅଭିଯୋଗ ହେଉଛି।
ସରକାରୀ ନିୟମ ଅନୁଯାୟୀ, ମଧ୍ୟାହ୍ନ ଭୋଜନ ସମୟରେ (ଅପରାହ୍ନ ୧:୩୦ ରୁ ୨:୦୦) ବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ପୂର୍ଣ୍ଣ ବନ୍ଦ ରହିବା ଆବଶ୍ୟକ। ଯାହାଦ୍ୱାରା ପିଲାମାନେ ବାହାରକୁ ଯାଇ ରାସ୍ତାରେ ଦୁର୍ଘଟଣାର ଶିକାର ହେବେ ନାହିଁ। ଏହି ସମୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି ଖାଦ୍ୟର ଗୁଣବତ୍ତା ସହିତ ପିଲାଙ୍କ ସୁରକ୍ଷା ଉପରେ ନଜର ରଖିବା କଥା। ପିଲାମାନେ ଯେପରି ଗେଟ୍ ବାହାରକୁ ନ ଯାଆନ୍ତି, ସେଥି ପ୍ରତି ପ୍ରଧାନଶିକ୍ଷକ ଓ ନୋଡାଲ ଶିକ୍ଷକ ଦୃଷ୍ଟି ଦେବା ବାଧ୍ୟତାମୂଳକ। କିନ୍ତୁ ଚମ୍ପୁଆ ବ୍ଲକ ଅନ୍ତର୍ଗତ କାଶୀପାଳ ପଞ୍ଚାୟତ ଉଚ୍ଚ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଏହାର ସମ୍ପୂର୍ଣ୍ଣ ଓଲଟା ଚିତ୍ର ଦେଖିବାକୁ ମିଳିଛି। ଶିକ୍ଷକମାନଙ୍କର ମନମାନି ଏବଂ ବେପରୁଆ ନୀତି ଯୋଗୁଁ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ସମୟରେ ବିପଦପୂର୍ଣ୍ଣ ଭାବେ ବିଦ୍ୟାଳୟ ପରିସର ବାହାରକୁ ଚାଲିଆସୁଛନ୍ତି। ପିଲାମାନେ ଦଳ ଦଳ ହୋଇ ବାହାରେ ଥିବା ବ୍ୟସ୍ତବହୁଳ ଚମ୍ପୁଆ - ତୁରମୁଙ୍ଗା ମୁଖ୍ୟ ରାସ୍ତା ଉପରେ ବୁଲୁଥିବା ଦେଖିବାକୁ ମିଳୁଛି। ଏହି ବେପରୁଆ କାର୍ଯ୍ୟ ଯୋଗୁଁ ଯଦି କୌଣସି ସମୟରେ କିଛି ଅପ୍ରିତିକର ବଡ଼ ଦୁର୍ଘଟଣା ଘଟେ, ସେଥିପାଇଁ ଦାୟୀ କିଏ ହେବ ବୋଲି ଏବେ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି ଦାୟିତ୍ୱହୀନତାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଶିକ୍ଷା ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏଭଳି ସମ୍ବେଦନଶୀଳ ଘଟଣା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ତୁରନ୍ତ ଦୋଷୀ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta