
ଭୁବନେଶ୍ୱର, ୨୪
ଅଗଷ୍ଟ (ହି.ସ) : ଓଡ଼ିଶାର ମହିଳା ପର୍ବତାରୋହୀମାନେ ମାଉଣ୍ଟ ୟୁନାମ୍ରେ ସଫଳତାର ସହ ଆରୋହଣ
କରି ସ୍ୱାଧୀନତା ଦିବସ ଅବସରରେ ୨୦,୧୦୦ ଫୁଟ୍ ଉଚ୍ଚତାରେ ତ୍ରିରଙ୍ଗା ଉଡ଼ାଇଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ସୋସିଆଲ
ମିଡିଆ ପୋଷ୍ଟ ମାଧ୍ୟମରେ ମହିଳା ପର୍ବତାରୋହୀମାନଙ୍କ ଏହି ଉଲ୍ଲେଖନୀୟ ସଫଳତାକୁ ପ୍ରଶଂସା କରି
ଏହାକୁ ‘ନାରୀ ଶକ୍ତି’ର ଅଦମ୍ୟ ଇଚ୍ଛାର ଏକ ଶକ୍ତିଶାଳୀ ପ୍ରମାଣ ବୋଲି କହିଛନ୍ତି। ସେ କହିଛନ୍ତି
ଯେ, ସାହସ, ଦୃଢ଼ତା
ଓ ସଂକଳ୍ପ ବଳରେ ଏହି ପର୍ବତାରୋହୀମାନେ ପ୍ରମାଣ କରିଛନ୍ତି ଯେ କୌଣସି ଚ୍ୟାଲେଞ୍ଜ ଏତେ ବଡ଼
ନୁହେଁ ଏବଂ କୌଣସି ଉଚ୍ଚତା ଏପରି ନୁହେଁ,
ଯାହାକୁ ହାସଲ କରାଯାଇପାରିବ ନାହିଁ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହିଳା
ପର୍ବତାରୋହୀମାନଙ୍କ ଏହି ସଫଳତା ଓଡ଼ିଶା ସମେତ ସମଗ୍ର ଦେଶ ପାଇଁ ଗର୍ବର ବିଷୟ। ସେ ଆଶା ପ୍ରକାଶ
କରିଛନ୍ତି ଯେ, ସେମାନଙ୍କର ସଫଳତା ଝିଅମାନେ ଓ ଯୁବତୀମାନଙ୍କୁ ଆତ୍ମବିଶ୍ୱାସର ସହ
ବଡ଼ ସ୍ୱପ୍ନ ଦେଖିବା, ଉତ୍କର୍ଷ ହାସଲ କରିବା ଏବଂ ନୂଆ କୀର୍ତ୍ତିମାନ ସ୍ଥାପନ କରିବା ପାଇଁ
ପ୍ରେରଣା ଯୋଗାଇବ।
ମୁଖ୍ୟମନ୍ତ୍ରୀ
ପର୍ବତାରୋହୀମାନଙ୍କ ସାହସ, ନିଷ୍ଠା ଓ ଦୃଢ଼ ସଂକଳ୍ପକୁ ପ୍ରଶଂସା କରି କହିଛନ୍ତି ଯେ, ସେମାନଙ୍କର
ଏହି ସଫଳତା ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା