
ଭୁବନେଶ୍ୱର, ୨୫ ଅଗଷ୍ଟ (ହି.ସ)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀପ୍ରସାଦ ନନ୍ଦଙ୍କୁ ଭେଟି ଛାତ୍ର ସଂସଦ ନିର୍ବାଚନ ଓ ବିଶ୍ୱବିଦ୍ୟାଳୟର ବିଭିନ୍ନ ଛାତ୍ର ସମସ୍ୟା ସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଦୀର୍ଘ ସମୟ ଧରି ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ନହେବା ଫଳରେ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ପ୍ରତିନିଧିତ୍ୱ ବାଧାପ୍ରାପ୍ତ ହେଉଛି। ତେଣୁ ଚଳିତ ଶିକ୍ଷାବର୍ଷରେ ଛାତ୍ର ସଂସଦ ନିର୍ବାଚନ ଶୀଘ୍ର ଘୋଷଣା କରିବା ସହ ଛାତ୍ରମାନଙ୍କ ସମସ୍ୟାର ସମାଧାନ ପାଇଁ ପରିଚାଳନା କମିଟି ଗଠନ କରିବାକୁ ଏବିଭିପି ପକ୍ଷରୁ ଦାବି କରାଯାଇଛି।
ଏଥିସହ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ପରିମଳ, ପାନୀୟ ଜଳ, ଶିକ୍ଷା ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବା ନେଇ ମଧ୍ୟ କୁଳପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
ଏବିଭିପି ପକ୍ଷରୁ କୁହାଯାଇଛି ଯେ, ଛାତ୍ରଛାତ୍ରୀଙ୍କ ନ୍ୟାୟସଙ୍ଗତ ଦାବି ଓ ଗଣତାନ୍ତ୍ରିକ ଅଧିକାର ପ୍ରତି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ସକାରାତ୍ମକ ପଦକ୍ଷେପ ନେବେ ବୋଲି ଆଶା ରହିଛି। ଛାତ୍ର ସମାଜର ହିତ ପାଇଁ ଏବିଭିପି ଆଗାମୀ ଦିନରେ ମଧ୍ୟ ସକ୍ରିୟ ଭାବେ କାର୍ଯ୍ୟ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା