
ମାଲକାନଗିରି , ୨୫ ଅଗଷ୍ଟ (ହି.ସ.) - ମାଲକାନଗିରି ସଦର ଡିଏନକେ ଛକ ନିକଟରେ ମଙ୍ଗଳବାର ଏକ ଅଘଟଣରୁ ଅଳ୍ପକେ ବର୍ତିଛନ୍ତି ଜଣେ ବାଇକ ଚାଳକ। ସୌଭାଗ୍ୟବଶତଃ ତାଙ୍କ ଜୀବନ ରକ୍ଷା ପାଇଥିବା ବେଳେ ଦୁର୍ଘଟଣାରେ ବାଇକଟି ଟ୍ରକ ଚକା ତଳେ ପଡ଼ି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି।
ସୂଚନା ଅନୁଯାୟୀ, ମାଲକାନଗିରି ସହର ମଧ୍ୟଦେଇ ୩୨୬ ନମ୍ବର ଜାତୀୟ ରାଜପଥ ଯାଇଥିବାରୁ ପ୍ରତିଦିନ ଏହି ରାସ୍ତାରେ ଶହ ଶହ ମାଲବାହୀ ଯାନ ଯାତାୟାତ କରିଥାଏ। ଆଜି ଅପରାହ୍ନରେ ଏକ ମାଲବାହୀ ଟ୍ରକ ସହର ମଧ୍ୟଦେଇ ଯାଉଥିବା ସମୟରେ ପଛପଟୁ ଆସୁଥିବା ବାଇକ ଚାଳକ ଆଶୁ ଦେବନାଥ ହଠାତ୍ ଭାରସାମ୍ୟ ହରାଇ ରାସ୍ତାରେ ପଡ଼ିଯାଇଥିଲେ। ସେ ଏମଭି-୪୩ ଗ୍ରାମର ବୋଲି ଜଣାପଡ଼ିଛି। ତେବେ ଭାଗ୍ୟବଶତଃ ଆଶୁ ଟ୍ରକ ଚକାର ବିପରୀତ ଦିଗରେ ପଡ଼ିଯିବାରୁ ଏକ ବଡ଼ ବିପଦରୁ ରକ୍ଷା ପାଇଥିଲେ। ତାଙ୍କୁ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବାଇକଟି ଟ୍ରକ ଚକା ତଳେ ପଡ଼ି ରାସ୍ତା ଉପରେ ଚାପି ଯାଇଥିବା ଦେଖାଯାଇଥିଲା। ଘଟଣା ପରେ ଡିଏନକେ ଛକରେ କିଛି ସମୟ ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଏହି ଘଟଣାରେ ଟ୍ରକ ଚାଳକଙ୍କ ତ୍ରୁଟି ନଥିବା ବେଳେ ରାସ୍ତାର ଦୁରବସ୍ଥା ଦୁର୍ଘଟଣାର ମୁଖ୍ୟ କାରଣ। ରାସ୍ତାରୁ ପିଚୁ ଉଠିଯାଇ ବହୁ ସ୍ଥାନରେ ଛୋଟ ଛୋଟ ଚିପ୍ସ ବାହାରି ରହିଛି। ଫଳରେ ଦୁଇଚକିଆ ଯାନ ଚାଳକମାନେ ବିଶେଷକରି ଏହି ସ୍ଥାନରେ ଭାରସାମ୍ୟ ହରାଇବାର ଆଶଙ୍କା ରହିଛି। ମାଲକାନଗିରି ସହର ମଧ୍ୟଦେଇ ଯାଇଥିବା ଏହି ଜାତୀୟ ରାଜପଥରେ ଭାରୀଯାନ ସହିତ ଦୈନିକ ବହୁ ସଂଖ୍ୟକ ଦୁଇଚକିଆ ଯାନ ଚଳାଚଳ କରୁଥିବାରୁ ରାସ୍ତାର ଏଭଳି ଅବସ୍ଥା ଯାତାୟାତକୁ ବିପଦପୂର୍ଣ୍ଣ କରିଦେଇଛି। ତେଣୁ ଆଗାମୀ ଦିନରେ ଏଭଳି ଅଘଟଣକୁ ଏଡ଼ାଇବା ପାଇଁ ଡିଏନକେ ଛକ ସମେତ ସହରର ମୁଖ୍ୟ ରାସ୍ତାର ତୁରନ୍ତ ମରାମତି କରିବାକୁ ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ନିକଟରେ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ