ଝାରସୁଗୁଡ଼ା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ 'ବାୟୁ ପ୍ରଦୂଷଣ ସଚେତନତା ସପ୍ତାହ-୨୦୨୬' ପାଇଁ ପ୍ରସ୍ତୁତି ବୈଠକ
Awareness meeting on pollution
Awareness meeting on pollution


ଝାରସୁଗୁଡ଼ା, ୨୫ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନସ୍ଥ ଝାରସୁଗୁଡ଼ା ଆଞ୍ଚଳିକ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ପରିସରରେ ଆଗାମୀ 'ବାୟୁ ପ୍ରଦୂଷଣ ସଚେତନତା ସପ୍ତାହ-୨୦୨୬' ଏବଂ 'ବିଶ୍ୱ ଓଜୋନ୍ ଦିବସ' ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ବୈଠକରେ ଜିଲ୍ଲା ବନ୍ୟପ୍ରାଣୀ ସଂରକ୍ଷକ ତଥା ବୃକ୍ଷ ରୋପଣ ତଦାରଖ କମିଟିର ଅଧ୍ୟକ୍ଷ ପ୍ରହ୍ଲାଦ ନାୟକ, ଝାରସୁଗୁଡ଼ା ଜୋନ୍ର ଆଞ୍ଚଳିକ ଅଧିକାରୀ ଇଂ. ହିରଣ୍ୟ କୁମାର ନାୟକ ଏବଂ ପରିବେଶ ବୈଜ୍ଞାନିକ ଅନୁଶା ଏକ୍କା ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମର ସଫଳ ପରିଚାଳନା ନିମନ୍ତେ ଆଲୋଚନା କରିବା ସହ ଆବଶ୍ୟକୀୟ ଦିଗ୍ଦର୍ଶନ ପ୍ରଦାନ କରିଥିଲେ। ଏହା ସହିତ ଏହି ବୈଠକରେ ମେସର୍ସ ବେଦାନ୍ତ ଆଲୁମିନିୟମ ଲିମିଟେଡ୍ , ଓପିଜିସି, ରୁଙ୍ଗଟା ସନ୍ସ ପ୍ରାଇଭେଟ୍ ଲିମିଟେଡ୍ , ଜେଏସଡବ୍ଲୁ ଏନର୍ଜି ଉତ୍କଳ ଲିମିଟେଡ୍, ଏମସିଏଲ୍ ଏବଂ ଠାକୁର ପ୍ରସାଦ ସାଓ ଆଣ୍ଡ ସନ୍ସ ଲିମିଟେଡ୍ ପ୍ରଭୃତି ବିଭିନ୍ନ ପ୍ରମୁଖ ଶିଳ୍ପାନୁଷ୍ଠାନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଓ ସଚେତନତା ଅଭିଯାନରେ ସକ୍ରିୟ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।ଆସନ୍ତା ସେପ୍ଟେମ୍ବର ୭ ତାରିଖରୁ ବିଭିନ୍ନ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ପ୍ରସ୍ତୁତ କାର୍ଯ୍ୟସୂଚୀ ଅନୁଯାୟୀ, ସେପ୍ଟେମ୍ବର ୭ ତାରିଖରେ ଜୁନିଅର୍ କଲେଜ୍ ବେଲପାହାଡ ଠାରେ ଏକ ବ୍ୟାପକ ସଫେଇ ଅଭିଯାନ ମାଧ୍ୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ। ଏହାପରେ ସେପ୍ଟେମ୍ବର ୮ ତାରିଖରେ ଚାରା ବଣ୍ଟନ ସହ ପରିବେଶ ଅନୁକୂଳ ସାମଗ୍ରୀ ବ୍ୟବହାର ଉପରେ ସଚେତନତା ସୃଷ୍ଟି କରାଯିବ। ଏଥିସହ ସେପ୍ଟେମ୍ବର ୮ ତାରିଖରେ ଏଚକଟାପାଲିସ୍ଥିତ କଲ୍ୟାଣ ମଣ୍ଡପରେ ଏକ ସ୍ୱତନ୍ତ୍ର 'ପ୍ଲାଷ୍ଟିକ୍ ମୁକ୍ତ ଖାଦ୍ୟ ମେଳା' ଅନୁଷ୍ଠିତ ହେବ, ଯେଉଁଥିରେ ପରିବେଶ-ଉପଯୋଗୀ ପ୍ଲେଟ୍ ଓ କପ୍ ବ୍ୟବହାରକୁ ପ୍ରୋତ୍ସାହିତ କରାଯିବ। ସେପ୍ଟେମ୍ବର ୧୦ ଠରକସପୂର୍ ଶିବମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ନେଇ ଆଲୋଚନା ହୋଇଛି।

ପରିଶେଷରେ, ବିଶ୍ୱ ଓଜୋନ୍ ଦିବସ ଅବସରରେ ମୁଖ୍ୟ ସମାରୋହ ତଥା ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପରିବେଶ ସୁରକ୍ଷା ଓ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଜିଲ୍ଲାର ସମସ୍ତ ନାଗରିକ, ଛାତ୍ରଛାତ୍ରୀ ତଥା ସାମାଜିକ ସଂଗଠନମାନଙ୍କୁ ଏହି ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ବିଭାଗ ପକ୍ଷରୁ ନିବେଦନ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande