
ଝାରସୁଗୁଡ଼ା, ୨୫ ଅଗଷ୍ଟ (ହି.ସ.)- ଏନ୍ଏଚ୍-୪୯ ନିର୍ମାଣ କାର୍ଯ୍ୟ ଓ ଫ୍ଲାଇ-ଆସ୍ ପରିଚାଳନାରେ ଅବହେଳା ଯୋଗୁଁ ଶିଆଲରମା ଓ ତାଲପଟିଆ ଅଞ୍ଚଳର ଚାଷଜମି ଓ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ସହ ଫ୍ଲାଇ-ଆସ୍ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ମଙ୍ଗଳବାର ସ୍ଥାନୀୟ ମହିଳା ଓ ଚାଷୀମାନେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଦାବିପତ୍ର ଗ୍ରହଣ କରିଥିଲେ। ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ଗତବର୍ଷ ଏନ୍ଏଚ୍-୪୯ ନିର୍ମାଣ ସମୟରେ ବର୍ଷାଜଳ ସହ ଫ୍ଲାଇ-ଆସ୍ ବୋହି ଆସି ଚାଷଜମିରେ ପ୍ରବେଶ କରିଥିଲା। ଫଳରେ ବ୍ୟାପକ ଫସଲ ନଷ୍ଟ ହୋଇଥିଲା। ତେବେ ଏପର୍ଯ୍ୟନ୍ତ କ୍ଷୟକ୍ଷତିର ସଠିକ୍ ଆକଳନ ହୋଇନଥିବା ବେଳେ ଅନେକ କ୍ଷତିଗ୍ରସ୍ତ ଚାଷୀ କ୍ଷତିପୂରଣରୁ ବଞ୍ଚିତ ଥିବା ଦାବି କରାଯାଇଛି। ଗତବର୍ଷ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଘଟଣାସ୍ଥଳ ପରିଦର୍ଶନ କରି ଏଫ୍ଆଇଆର୍ ଦେବା ସହ କ୍ଷତିପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ବର୍ଷେ ବିତିଥିଲେ ମଧ୍ୟ ଏଫ୍ଆଇଆର୍ ଉପରେ ଆଖିଦୃଶିଆ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।
ଦାବିପତ୍ରରେ ଶିଆଲରମା ଓ ତାଲପଟିଆର ସମସ୍ତ କ୍ଷତିଗ୍ରସ୍ତ ଚାଷଜମିର ନିରପେକ୍ଷ ଆକଳନ, ତୁରନ୍ତ ଉପଯୁକ୍ତ କ୍ଷତିପୂରଣ, ଏନ୍ଏଚ୍-୪୯ରେ ନିୟମ ବାହାରେ ଫ୍ଲାଇ-ଆସ୍ ବ୍ୟବହାର ବନ୍ଦ ଏବଂ ସରକାରୀ ନିୟମ ଅନୁଯାୟୀ ଫ୍ଲାଇ-ଆସ୍ ପରିଚାଳନା ପାଇଁ ଦାବି କରାଯାଇଛି। ଏଥିସହ ଚାଷଜମିକୁ ଫ୍ଲାଇ-ଆସ୍ ପ୍ରବେଶର ମୂଳ କାରଣ ଚିହ୍ନଟ କରି ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା କରିବାକୁ ମଧ୍ୟ ଦାବି ହୋଇଛି। ଏହାସହ ଗତବର୍ଷ ଦାଏର ଏଫ୍ଆଇଆର୍ ରେ ଅଗ୍ରଗତି ଆଣି ଦୋଷୀ ଠିକାସଂସ୍ଥା ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଦାବିପତ୍ରରେ ମିନିଆ କୁମାରୀ ନାଏକ, ବେଦମତୀ ପଟେଲ, ସୁବାସିନୀ ପଟେଲ, କୁନ୍ତଳା ନାଏକ, ଶୁଶିଲା ପଟେଲଙ୍କ ସମେତ ତାଲପଟିଆ ଅଞ୍ଚଳର ଅନେକ ମହିଳା ଓ ଚାଷୀ ସ୍ୱାକ୍ଷର କରିଛନ୍ତି। ତୁରନ୍ତ ନ୍ୟାୟ ନମିଳିଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ