ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଘରୋଇକରଣ ପ୍ରସଙ୍ଗ , ରାଜ୍ୟର ସମ୍ପଦ ଲୁଟ ହେଉଥିବା ବେଳେ ପାଟି ଖୋଲୁନି ରାଜ୍ୟ ସରକାର: ବିଜେଡି
ଭୁବନେଶ୍ୱର , 25 ଅଗଷ୍ଟ (ହି.ସ.)- ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଲିଜ୍ ଦେଇ ଘରୋଇକରଣ କରାଇବାକୁ ବିଜେପି ସରକାର ପ୍ରୟାସକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସ
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଘରୋଇକରଣ ପ୍ରସଙ୍ଗ , ରାଜ୍ୟର ସମ୍ପଦ ଲୁଟ ହେଉଥିବା ବେଳେ ପାଟି ଖୋଲୁନି ରାଜ୍ୟ ସରକାର: ବିଜେଡି


ଭୁବନେଶ୍ୱର , 25 ଅଗଷ୍ଟ (ହି.ସ.)- ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଲିଜ୍ ଦେଇ ଘରୋଇକରଣ କରାଇବାକୁ ବିଜେପି ସରକାର ପ୍ରୟାସକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇ ସଂସ୍ଥା ହାତକୁ ଟେକି ଦେବାକୁ ବିଜେପି ସରକାର ଅନୁମୋଦନ କରିଛନ୍ତି । ଯାହାକି ଓଡିଆ ଅସ୍ମିତା ପ୍ରତି କୁଠାରଘାତ କରିବା ସଦୃଶ୍ୟ । ପ୍ରବାଦ ପୁରୁଷ ବିଜୁବାବୁଙ୍କ ନାମରେ ନାମିତ ଉକ୍ତ ବିମାନ ବନ୍ଦର ଦେଶର ପ୍ରମୁଖ ଓ ଲାଭନ୍ୱିତ ବିମାନ ବନ୍ଦର । ବର୍ଷକୁ ୨୦୦କୋଟିରୁ ଉଦ୍ଧ୍ୱର୍ ଲାଭ ହେବା ସହ ୫୦ଲକ୍ଷ ଲୋକେ ଯାତାୟାତ କରିଥାନ୍ତି । ତେବେ ଏହାକୁ ଘରୋଇ କରଣ କରିବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି । ବିଜେପି ସରକାର ଇଂରେଜ ମାନଙ୍କ ଭଳି ଶାସନ କରି ରାଜ୍ୟର ସମ୍ପତ୍ତିକୁ ବିକ୍ରି କରିବାକୁ ଯୋଜନା କରୁଛନ୍ତି । ଏଥିରେ ଆହୁରି ନିବେଶ କରି ବିକାଶ କରିବା ବଦଳରେ ବିଜେପି ସରକାର ବିମାନବନ୍ଦରକୁ ପିପିପି ମୋଡରେ ଘରୋଇ ସଂସ୍ଥା ହାତକୁ ଟେକି ଦେଇଛନ୍ତି । ଡବଲ ଇଞ୍ଜିନ ସରକାର ଓଡ଼ିଶା ପାଇଁ କାଳ ସାଜିଛନ୍ତି । ରାଜ୍ୟର ସମସ୍ତ ସମ୍ପଦକୁ ଲୁଟିବା ପାଇଁ କେନ୍ଦ୍ରର ବିଜେପି ସରକାର ଯୋଜନା କରୁଥିବା ବେଳେ ରାଜ୍ୟର ବିଜେପି ସରକାର ଏଜେଣ୍ଟ ସାଜି ତାହାକୁ ସମର୍ଥନ ଜଣାଉଛନ୍ତି ।

ଓଡ଼ିଶାର ଅନେକ କ୍ଷତି ହେଉଥିଲେ ସୁଦ୍ଧା କେନ୍ଦ୍ର ସରକାରଙ୍କ ସମ୍ମୁଖରେ ରାଜ୍ୟ ସରକାର ଚୁପ ରହୁଛନ୍ତି । ଏମଏମଡିଆର ଆକ୍ଟ ଯୋଗେ ରାଜ୍ୟର ଖଣିକୁ ବିକ୍ରି କରିଛନ୍ତି । ବିଭିନ୍ନ ବନ୍ଦର ଗୁଡିକ ଘରୋଇ କମ୍ପାନୀ ମାନଙ୍କ ହାତକୁ ଟେକି ଦେଇଛନ୍ତି । ଜାତୀୟ ରାଜପଥ ଗୁଡ଼ିକ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହେଉଛି । ଏହାପରେ ବିଜେପି ସରକାରଙ୍କ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଲୋଲୁପ ଦୃଷ୍ଟି ପଡ଼ିଛି । ବିମାନବନ୍ଦର ସହିତ ୫୦ବର୍ଷ ପାଇଁ ଘରୋଇ କରଣ କରିଛନ୍ତି । ଏନେଇ ବିଜେପି ସରକାରଙ୍କୁ କିଏ ଅଧିକାର ଦେଇଛି ବୋଲି ପ୍ରଶ୍ନ କରିଛନ୍ତି । ଓଡ଼ିଶାକୁ ଗରିବ ରାଜ୍ୟ କରିବା ପାଇଁ ବିଜେପି ସରକାର ଯୋଜନାବଦ୍ଧ ଭାବେ ଲାଗି ପଡିଛନ୍ତି । ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ, ୨୦ଜଣ ବିଜେପି ସାଂସଦ, ରାଜ୍ୟସଭା ସାଂସଦ ମାନେ ଜାଣି ସୁଦ୍ଧା ଚୁପ ବସିବାର କାରଣ କଣ ବୋଲି ପ୍ରଶ୍ନ କରିଛନ୍ତି । ଉକ୍ତ ନିଷ୍ପତ୍ତିକୁ ବିଜେପି ସରକାର ଯଦି ରଦ୍ଦ ନକରନ୍ତି ତେବେ ବିଜେଡି ପକ୍ଷରୁ ଘୋର ବିରୋଧ କରି ଆନେ୍ଦାଳନ କରାଯିବ ବୋଲି ଡ. ସାମନ୍ତସିଂହାର କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande