
ଝାରସୁଗୁଡ଼ା, ୨୫ ଅଗଷ୍ଟ (ହି.ସ.)- ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅଧୀନରେ ଆଜି ବ୍ଲକ ସ୍ତରୀୟ ଏକଦିବସୀୟ ଅଭିମୁଖୀକରଣ ତଥା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ସମାଜରେ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନର ପ୍ରସାର ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକର ପ୍ରାୟ ୧୩୦ ଜଣ ସ୍ୱେଚ୍ଛାସେବୀ ଶିକ୍ଷକ ଏବଂ କ୍ଲଷ୍ଟର ସମ୍ବଳ କେନ୍ଦ୍ର ସଂଯୋଜକ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି।
ଏହି ତାଲିମ ଶିବିରରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରବୀନ୍ଦ୍ର କୁମାର ମାଝୀ ଏବଂ ବ୍ଲକ ଶିକ୍ଷା ଅଧିକାରୀ ପ୍ରକାଶ ସାହୁ ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ। ସେମାନେ 'ଉଲ୍ଲାସ' ଯୋଜନାର ମୂଳ ଲକ୍ଷ୍ୟ, ଡିଜିଟାଲ୍ ମାଧ୍ୟମରେ ଶିକ୍ଷାଦାନ ପଦ୍ଧତି, ଆପ୍ ବ୍ୟବହାର ଏବଂ ନିରକ୍ଷର ବ୍ୟକ୍ତିମାନଙ୍କୁ ସାକ୍ଷର କରିବାର ସହଜ କୌଶଳ ଉପରେ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ। ଆଗାମୀ ଦିନରେ ପ୍ରତ୍ୟେକ ଗ୍ରାମାଞ୍ଚଳରେ ଏହି ଅଭିଯାନକୁ ସଫଳ କରି ଶତପ୍ରତିଶତ ସାକ୍ଷରତା ହାସଲ କରିବା ଦିଗରେ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ଉପସ୍ଥିତ ସମସ୍ତ ସ୍ୱେଚ୍ଛାସେବୀ ଶିକ୍ଷକ ଓ ସିଆରସିସିମାନଙ୍କୁ ଆହ୍ୱାନ ଦେଇଥିଲେ। ସମସ୍ତ ପ୍ରଶିକ୍ଷାର୍ଥୀ କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରି ସାକ୍ଷରତା ଅଭିଯାନକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସଂକଳ୍ପ ନେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ