
ଜୟପୁର, ୨୫ ଅଗଷ୍ଟ (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ମୁଖ୍ୟ ଟ୍ରାଫିକ ଛକ ନିକଟରେ ସିପିଆଇ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l କେନ୍ଦ୍ର ବିଜେପି ସରକାର ମାଇନିଙ୍ଗ ଆଇନ୍ ୧୯୫୭ କୁ ସମ୍ପୁର୍ଣ୍ଣ ରୂପେ ବଦଳେଇ ଦେଇ ଏମ୍ ଏମ୍ ଡି ଆର୍ ଆକ୍ଟ - ୨୦୨୬ ପାସ୍ କରିଛନ୍ତି ଏବଂ ତାହା ରାଷ୍ଟ୍ରପତିଙ୍କ ସମ୍ମତି ମଧ୍ୟ ପାଇଛି। ଏହି ଆଇନ୍ ପିଛିଲା ଭାବେ ଲାଗୁ ହୋଇଛି। ଏହାର ଅର୍ଥ ଟାଟା କମ୍ପାନୀକୁ ଏକଲକ୍ଷ ଦଶ କୋଟି ଟଙ୍କା ବକେୟା ଦେବା ପାଇଁ ସୁପ୍ରିମକୋର୍ଟ ଯେଉଁ ନିର୍ଦେଶ ଦେଇଥିଲେ ସେ ଟଙ୍କା ଆଉ ଓଡ଼ିଶା ରାଜ୍ୟ ସରକାରଙ୍କୁ ଦେବ ନାହିଁ ଏବଂ ପ୍ରତିବର୍ଷ ଓଡ଼ିଶାରୁ କେନ୍ଦ୍ର ସରକାର ବାର ହଜାର କୋଟି ଟଙ୍କା ଖଣିଜ ଦ୍ରବ୍ୟ ଉତ୍ତୋଳନ ଏବଂ ନିୟନ୍ତ୍ରଣ ଆଇନ୍ ବଳରେ ପାଇବ । ଏହା ଓଡ଼ିଶାର ଅର୍ଥନୀତି ପ୍ରତି ପ୍ରଚଣ୍ଡ ଧକ୍କା । ଏଥିପାଇଁ ତୁରନ୍ତ ଓଡିଶା ସରକାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡ଼କାଇ ଆଲୋଚନା କରି ସର୍ବୋଚ୍ଚ ରାୟ କେନ୍ଦ୍ର ସରକାରଙ୍କୁ ଜଣାଇବା ପାଇଁ ବିରୋଧୀ ଦଳମାନେ ଦାବି କରି ଆସୁଛନ୍ତି। ଯଦି ଓଡ଼ିଶା ସରକାର ଏହି ଦାବିକୁ ଗ୍ରହଣ ନକରନ୍ତି ତା ହେଲେ ଆଗାମୀ ସେପ୍ଟେମ୍ବର -୯ ତାରିଖ ଦିନ ରାଜଧାନୀ ଭୁବନେଶ୍ବରରେ ଗଣ କନଭେନସନ୍ ହେବ ଏବଂ ଓଡ଼ିଶା ବନ୍ଦ ଆହ୍ୱାନ କରାଯିବା ସହ ଅର୍ଥନୈତିକ ଅବରୋଧ ଆନ୍ଦୋଳନ ବ୍ୟାପକ ହେବ ବୋଲି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ପ୍ରମୋଦ କୁମାର ମହାନ୍ତି ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାର ଶ୍ରମିକ ଖଟିଖିଆଙ୍କ ଉପରେ ମାଡ ମାରି ଚିନି, ଚାଉଳ ଆଦି ସକଳ ଖାଉଟି ଦ୍ରବ୍ୟ ମହଙ୍ଗା କରିଛନ୍ତି ଏବଂ ଦେଶର ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବା ପାଇଁ ପ୍ରାୟ ଏକ ଲକ୍ଷ ସରକାରୀ ସ୍କୁଲ୍ ବନ୍ଦ କରିଛନ୍ତି ସାରା ଦେଶରେ । ଜନ୍ତର ମନ୍ତର ଆନ୍ଦୋଳନ ଦେଶର ଯୁବପିଢୀଙ୍କ ଆଖି ଖୋଲି ଦେଇଛି ଏବଂ ତୃଣମୂଳ ସ୍ତରରୁ ଦେଶ ଗଢ଼ିବାର କାରଖାନା ବିଦ୍ୟାଳୟକୁ ଠିକ୍ କରିବା ପାଇଁ ଆନ୍ଦୋଳନକୁ ଚପେଇ ଦେବା ପାଇଁ ଯେଉଁ ଯୋଜନା କରୁଛନ୍ତି ତାହା ଗରୀବ ଶ୍ରମିକ ଶ୍ରେଣୀୟ ଲୋକମାନେ ବରଦାସ୍ତ କରିବେ ନାହିଁ ବୋଲି ଏଆଇଟିୟୂସି ଜିଲ୍ଲା ସଭାପତି ଯୁଧିଷ୍ଠିର ରାଉଳ ଘୋଷଣା କରିଛନ୍ତି। ଆଗାମୀ ସେପ୍ଟେମ୍ବର ୧ ଦିଲ୍ଲୀ ଚାଲ ଅଭିଯାନକୁ ସଫଳ କରିବା ଏବଂ ଖଣିଜ ସମ୍ପଦରେ ଭରପୁର କୋରାପୁଟ ଜିଲ୍ଲାରେ ବ୍ୟାପକ ପ୍ରଚାର ଅଭିଯାନ ପାଇଁ ଆହ୍ୱାନ ଦେଇଛନ୍ତି । ଆଜି ପୂର୍ବାହ୍ନ ୧୧ଟା ସମୟରେ ଜୟପୁର ମୁଖ୍ୟ ଟ୍ରାଫିକ ଛକ ଠାରେ ସିପିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ବିକ୍ଷୋଭ ପ୍ରଦର୍ଶନରେ ଅନ୍ୟ ମାନଙ୍କ ମଧ୍ୟରେ ସିପିଆଇ ଜିଲ୍ଲା ସହ ସମ୍ପାଦକ ବୁଦ୍ରା ବଡନାୟକ, ସୁଦର୍ଶନ ବିଷୋୟୀ, ବସନ୍ତ ବେହେରା, ରତନ ନାୟକ ,ଭୀଷ୍ମ ନାୟକ,ବାଦଲ୍ ପରଜା, ବିକାଶ ପରଜା, ପ୍ରମୁଖ କର୍ମୀମାନେ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି