
କେନ୍ଦ୍ରାପଡ଼ା, ୨୫ ଅଗଷ୍ଟ(ହି.ସ.) – ଶ୍ରାବଣ ମାସରେ ରାୟଗଡ଼ା ଜିଲ୍ଲାର ଦେବଗିରି ପର୍ବତରେ ଥିବା ନୀଳକଣ୍ଠେଶ୍ୱର ମହାଦେବ ଏବେ ସାରା ଓଡ଼ିଶାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂପୁର ବ୍ଲକ୍ରେ ଏହି ଦେବଗିରି ପର୍ବତ ଅବସ୍ଥିତ। ଏବେ ଶ୍ରାବଣର ମାସ ସରିଛି। ସାରା ଓଡ଼ିଶା ଓ ଅନ୍ୟ ରାଜ୍ୟରୁ ମଧ୍ୟ ଶ୍ରଦ୍ଧାଳୁମାନେ ଏହି ଶୈବ ପିଠକୁ ଜଳାଭିଷେକ ପାଇଁ ଆସିଥାନ୍ତି। ଦୁଃଖର ବିଷୟ ଏହି କି ଯେ ଭକ୍ତମାନେ ଜଳାଭିଷେକ କରିବା ସହ ପରିବେଶକୁ ଦୂଷିତ କରିଥାନ୍ତି। ଯେପରି କି ପ୍ଲାଷ୍ଟିକ ଗଡୁରେ ଜଳ ଅଭିଷେକ ପାଇଁ ନେବା, ପ୍ଲାଷ୍ଟିକ ବୋତଲ ଏଣେ ତେଣେ ପକାଇବା, କାଉଡ଼ି ଭାର ବାହାରେ ପକାଇବା ଇତ୍ୟାଦି। ଆଜି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦେବଗିରିରେ ଜଳାଭିଷେକ ପାଇଁ କିଛି କର୍ମକର୍ତା ଆସିଥିଲେ। ଏହି ଅଳିଆକୁ ଦେଖି କର୍ମକର୍ତାମାନେ ଅସନ୍ତୁଷ୍ଟ ହୋଇଥିଲେ। ଏହି ସ୍ଥାନରେ ଡଷ୍ଟବିନ୍ ନଥିବାରୁ ଏହିପରି ଅବ୍ୟବସ୍ଥା ହେଉଛି ବୋଲି ସ୍ଥାନୀୟ ଲୋକେ କୁହନ୍ତି। ସମସ୍ତଙ୍କ ମିଳିତ ସହଯୋଗରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା। କାଉଡ଼ି ଭାଇମାନଙ୍କୁ ପ୍ଲାଷ୍ଟିକ ପାତ୍ରରେ ଜଳ ନଆଣିବାକୁ ଟ୍ରଷ୍ଟ ପକ୍ଷରୁ ବାର୍ତା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ପରେ ଦେବଗିରି ପାହାଡ଼ରେ ପ୍ଲାଷ୍ଟିକ ମୁକ୍ତ ପାଇଁ ଓ ପର୍ଯ୍ୟାପ୍ତ ଡଷ୍ଟବିନ ରଖିବା ପାଇଁ ଜିଲ୍ଲା ପ୍ରଶାସନକୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ସୁବାଶିଷ ଷଡ଼ଙ୍ଗୀ, ମନୋଜ ନାୟକ, ଦେବେନ୍ଦ୍ର ନାୟକ, ରମେଶ ଦେହୁରୀ, ଦିଲ୍ଲୀପ କୁମାର ସାହୁ, ପ୍ରହଲ୍ଲାଦ ବାରିକ, ତପନ ସେନାପତି, ବିନୋଦ ପଣ୍ଡା ଓ ଗୌରାଙ୍ଗ ନାୟକ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି