
ଝାରସୁଗୁଡ଼ା, ୨୫ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ସହର ତଥା ପୌର ପରିଷଦ ଅଞ୍ଚଳରେ ବୁଲା କୁକୁରଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଥିବାରୁ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସହରର ବିଭିନ୍ନ ୱାର୍ଡ, ପ୍ରମୁଖ ରାସ୍ତା, ବଜାର ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଦଳ ଦଳ ହୋଇ ବୁଲା କୁକୁର ଘୁରି ବୁଲୁଥିବା ଦେଖାଯାଉଛି। ବୁଲା କୁକୁରଙ୍କ ପ୍ରାଦୁର୍ଭାବ ଯୋଗୁଁ ସ୍କୁଲ୍ ଯାଉଥିବା ଛୋଟ ପିଲା, ମହିଳା ଓ ବୃଦ୍ଧବୃଦ୍ଧାମାନେ ଭୟଭୀତ ଅବସ୍ଥାରେ ଯାତାୟାତ କରୁଛନ୍ତି। ରାସ୍ତାରେ ଯିବା ସମୟରେ କୁକୁରମାନେ ଗୋଡ଼ାଇବା ସହ ହଠାତ୍ ଆକ୍ରମଣ କରୁଥିବାରୁ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ବିଶେଷକରି ବାଇକ୍ ଓ ସାଇକେଲ୍ ଚାଳକମାନେ ଏଥିରେ ଅଧିକ ହଇରାଣ ହେଉଛନ୍ତି।
ଅନ୍ୟପକ୍ଷରେ, ଆଖପାଖ ଗ୍ରାମାଞ୍ଚଳରୁ କେତେକ ଲୋକ ଗାଡ଼ିରେ କୁକୁର ଆଣି ସହର ମଧ୍ୟରେ ଛାଡ଼ି ଦେଉଥିବା ନେଇ ମଧ୍ୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଇଛି। ଏହା ସତ୍ତ୍ୱେ ପୌର ପ୍ରଶାସନ ପକ୍ଷରୁ ସମସ୍ୟାର ନିରାକରଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି।
ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବୁଲା କୁକୁରଙ୍କ ସମସ୍ୟାର ସ୍ଥାୟୀ ସମାଧାନ ସହ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସହରର ସଂକୀର୍ତନ ପ୍ରଧାନ, ମନ ମେହେର ଓ ଟୁକୁ ଖରସେଲ ଦାବି କରିଛନ୍ତି। ଏନେଇ ଝାରସୁଗୁଡ଼ା ପୌର ପରିଷଦର ଇ.ଓ. ନିଶିକାନ୍ତ ଟେଟେଙ୍କ ସହ ଯୋଗାଯୋଗ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ