ମାଲକାନଗିରିରେ ପ୍ରଥମ ଥର ଅରୂପା ବାଣିଜ୍ୟ ମେଳା-୨୦୨୬
ମାଲକାନଗିରି , ୨୫ ଅଗଷ୍ଟ (ହି.ସ.) - ମାଲକାନଗିରିରେ ପ୍ରଥମ ଥର ପାଇଁ ଓଡ଼ିଶାର ଗ୍ରାମାଂଚଳ ଓ ସହରାଂଚଳ ଉତ୍ପାଦକ ସଂଘ ‘ଅରୂପା’ ପକ୍ଷରୁ ବିଶାଳ ବାଣିଜ୍ୟ ମେଳା-୨୦୨୬ ଆୟୋଜିତ ହୋଇଛି। ସ୍ଥାନୀୟ ନୂଆଗୁଡ଼ା ଷ୍ଟାଡିୟମ୍ ପଡ଼ିଆରେ ଚାଲିଥିବା ଏହି ମେଳା ଅଗଷ୍ଟ ୫ରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।
ମାଲକାନଗିରିରେ ପ୍ରଥମ ଥର ‘ଅରୂପା’ ବାଣିଜ୍ୟ ମେଳା-୨୦୨୬


ମାଲକାନଗିରି , ୨୫ ଅଗଷ୍ଟ (ହି.ସ.) - ମାଲକାନଗିରିରେ ପ୍ରଥମ ଥର ପାଇଁ ଓଡ଼ିଶାର ଗ୍ରାମାଂଚଳ ଓ ସହରାଂଚଳ ଉତ୍ପାଦକ ସଂଘ ‘ଅରୂପା’ ପକ୍ଷରୁ ବିଶାଳ ବାଣିଜ୍ୟ ମେଳା-୨୦୨୬ ଆୟୋଜିତ ହୋଇଛି। ସ୍ଥାନୀୟ ନୂଆଗୁଡ଼ା ଷ୍ଟାଡିୟମ୍ ପଡ଼ିଆରେ ଚାଲିଥିବା ଏହି ମେଳା ଅଗଷ୍ଟ ୫ରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଭୁବନେଶ୍ୱରସ୍ଥିତ ‘ଅରୂପା’ ସଂସ୍ଥା ୧୯୯୦ ମସିହାରୁ କାରିଗର, ବୁଣାକାର, କୃଷକ ଓ ଏମ୍ଏସ୍ଏମ୍ଇ କ୍ଷେତ୍ର ସହ ଜଡ଼ିତ ଉତ୍ପାଦକଙ୍କ ବିକାଶ ଓ ସ୍ୱାବଲମ୍ବନ ପାଇଁ କାର୍ଯ୍ୟ କରିଆସୁଛି। କାରିଗରଙ୍କୁ ବିଭିନ୍ନ ପ୍ରଶିକ୍ଷଣ, ସ୍ୱାସ୍ଥ୍ୟ ବୀମା ଓ ସ୍ୱାସ୍ଥ୍ୟସେବା, ପରିଚୟପତ୍ର, କଂଚାମାଲ ଯୋଗାଣ ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଇବା ଭଳି କାର୍ଯ୍ୟ କରୁଛି। ଏହି ବାଣିଜ୍ୟ ମେଳାରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର କାରିଗର ଓ ଉତ୍ପାଦକଙ୍କ ସାମଗ୍ରୀ ସ୍ଥାନ ପାଇଛି। ସମ୍ବଲପୁରୀ, ବ୍ରହ୍ମପୁରୀ ଓ ପାଟ ଶାଢ଼ୀ, କାଠ ଓ ବାଉଁଶ ନିର୍ମିତ ସାମଗ୍ରୀ, ମାଟି ତିଆରି ଉତ୍ପାଦ, କଟକର ତାରକସି କାମ, ରାଜସ୍ଥାନୀ ଗହଣା, ଆୟୁର୍ବେଦିକ ଔଷଧ ଆଦି ବିଭିନ୍ନ ଷ୍ଟଲ୍ରେ ଉପଲବ୍ଧ ହେଉଛି।

ଆସାମ ଓ ପଶ୍ଚିମବଙ୍ଗର କାଠକାମ, ଗହଣା ଓ ବ୍ୟାଗ, ରାଜକୋଟର କାନଫୁଲ, ମୁମ୍ବାଇର ଖେଳନା, ଟାଟା ଓ ରାଉରକେଲାର ଲୁହା ସାମଗ୍ରୀ, ବ୍ରହ୍ମପୁରର ବଡ଼ି, ପାମ୍ପଡ଼ ଓ ଆଚାର, ଜଗତସିଂହପୁର ରଘୁନାଥପୁରର ଅଗରବତୀ, ହରିୟାଣାର ପାନିପଥ ସାମଗ୍ରୀ, ସୋଫା ଓ ଟିଭି କଭର, ମ୍ୟାଟ୍, ମଧ୍ୟପ୍ରଦେଶ ଜବଲପୁରର ହ୍ୟାଣ୍ଡଲୁମ୍ ଏବଂ କନ୍ଧମାଳର ହଳଦୀ, ମସଲା, ବୁଟ ଓ ହରଡ଼ ଡାଲି ଆଦି ଗ୍ରାହକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି।

ମେଳାରେ ଘର ସଜାବଟ ସାମଗ୍ରୀ ସହ ମୀନା ବଜାର, ପିଲାମାନଙ୍କ ପାଇଁ ଦୋଳି ଓ ବିଭିନ୍ନ ମନୋରଞ୍ଜନର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମେଳାର ଆକର୍ଷଣ ବଢ଼ାଉଛି। ସ୍ଥାନୀୟ ଜନସାଧାରଣଙ୍କୁ ସପରିବାର ମେଳା ପରିଦର୍ଶନ କରିବା ସହ କାରିଗର ଓ ଉତ୍ପାଦକଙ୍କ ସାମଗ୍ରୀ କିଣି ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ଆୟୋଜକଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

‘ଲୋକାଲ୍ ପାଇଁ ଭୋକାଲ୍’ ଭାବନାକୁ ଆଗକୁ ବଢ଼ାଇବା ସହ ସ୍ଥାନୀୟ କାରିଗର, ବ୍ୟବସାୟୀ ଓ ଉଦ୍ୟୋଗୀଙ୍କ ଉତ୍ପାଦକୁ ବଜାର ଯୋଗାଇବାରେ ଏହି ମେଳା ଏକ ପ୍ରମୁଖ ମଂଚ ପାଲଟିଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande