
କେନ୍ଦ୍ରାପଡ଼ା, ୨୫ ଅଗଷ୍ଟ(ହି.ସ.) – ଆଜି ସନ୍ଧ୍ୟା ୫ଟା ସୁଦ୍ଧାର ବନ୍ୟା ସ୍ଥିତି ରିପୋର୍ଟ ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲାର ୫ଟି ବ୍ଲକ୍-ଆଳି, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ରାଜନଗର ଓ ରାଜକନିକା ବନ୍ୟା ପ୍ରଭାବିତ ହୋଇଛି। ମୋଟ ୬୧ଟି ଗ୍ରାମ ପଂଚାୟତ ଓ ୧୪୫ଟି ଗ୍ରାମ, ଏବଂ ପଟ୍ଟାମୁଣ୍ଡାଇ ପୌରପାଳିକାର ୧୧ଟି ୱାର୍ଡ଼ ପ୍ରଭାବିତ ହୋଇଛି। ମୋଟ ୧,୯୫,୪୫୨ ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ଏପର୍ଯ୍ୟନ୍ତ ୬୫ଟି ଆଶ୍ରୟ କେନ୍ଦ୍ରକୁ ୧୦,୫୫୩ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଆଜି କୌଣସି ନୂତନ ସ୍ଥାନାନ୍ତର କରାଯାଇ ନାହିଁ। ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ୍ ଯୋଗାଇବା ପାଇଁ ମୋଟ ୧୨୦ଟି ମାଗଣା ରୋଷେଇ କେନ୍ଦ୍ର/ରିଲିଫ୍ କେନ୍ଦ୍ର ଖୋଲାଯାଇଛି। ଆଜି ୯ଟି କେନ୍ଦ୍ର ଚାଲୁ ରହିଛି, ଯେଉଁ ଠାରେ ୪,୭୧୦ ଜଣ ହିତାଧିକାରୀଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି। ଏପର୍ଯ୍ୟନ୍ତ ମୋଟ ୩୩,୩୪୧ ଜଣ ହିତାଧିକାରୀ ଏହି ସୁବିଧା ପାଇଛନ୍ତି। ଏପର୍ଯ୍ୟନ୍ତ ୧,୨୮୬.୫୫ କୁଇଂଟାଲ ଚାଉଳ, ୧୧୪.୭୫ କୁଇଂଟାଲ ଚୁଡ଼ା ଓ ୪,୧୯୪ କୁଇଂଟାଲ ଗୁଡ଼/ଚିନି ବଂଟନ କରାଯାଇଛି। ଏହାସହିତ ୭୦,୧୯୨ ପ୍ୟାକେଟ୍ ବିସ୍କୁଟ୍, ୨,୮୨,୫୫୮ ବୋତଲ ପାଣି ଓ ୮୩,୨୦୦ ପାଣି ପାଉଚ୍ ବଂଟନ କରାଯାଇଛି। ଆଜି ୨ କୁଇଂଟାଲ ଚାଉଳ, ୦.୨୫ କୁଇଂଟାଲ ଚୁଡ଼ା, ୧୮୪ କିଲୋଗ୍ରାମ ଗୁଡ଼/ଚିନି ଓ ୪,୮୦୦ ବୋତଲ ପାଣି ବଂଟନ କରାଯାଇଛି। ବନ୍ୟା ପ୍ରଭାବିତ ଅଂଚଳରେ ସ୍ୱାସ୍ଥ୍ୟସେବା ପାଇଁ ୧୨ଟି ମେଡିକାଲ୍ ଟିମ୍ ନିୟୋଜିତ ହୋଇଛନ୍ତି। ଆଳିରେ ୨ଟି, ପଟ୍ଟାମୁଣ୍ଡାଇରେ ୩ଟି, ଇନ୍ଦୁପୁରରେ ୧ଟି, ରାଜନଗରରେ ୩ଟି ଏବଂ ରାଜକନିକାରେ ୨ଟି ଟିମ୍ କାର୍ଯ୍ୟରତ ଅଛନ୍ତି। ଏହାସହ ୬ଟି ପଶୁଚିକିତ୍ସା ଟିମ୍ ନିୟୋଜିତ ହୋଇଛନ୍ତି। ମୋଟ ୯୮,୨୮୪ଟି ପଶୁସମ୍ପଦ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଏଥିରେ ୫୬,୦୨୧ ବଡ଼ ପଶୁ, ୨୨,୨୫୮ ଛୋଟ ପଶୁ ଓ ୨୦,୦୦୫ କୁକୁଡ଼ା ସାମିଲ ଅଛନ୍ତି। ପଶୁସମ୍ପଦ ମୃତ୍ୟୁ ମଧ୍ୟରେ ୨ଟି ବଡ଼ ପଶୁ ଓ ୮୦୫ଟି କୁକୁଡ଼ା ରହିଛି। ବନ୍ୟାଜଳରେ ରାସ୍ତା ବୁଡ଼ିଯିବା ଯୋଗୁଁ ମୋଟ ୯୧ଟି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବନ୍ୟାଜଳ ହ୍ରାସ ପାଇବା ପରେ ଘର ଓ ଫସଲ କ୍ଷୟକ୍ଷତିର ଆକଳନ କରାଯିବ। ଜଳ ଜମି ରହିବା କାରଣରୁ ୯୭ ଜଣ ଉପଭୋକ୍ତା, ୩ଟି ଡିଟି ସେଂଟର ଏବଂ ୧୦୨ଟି ବିଦ୍ୟୁତ୍ ପଏଂଟ ପ୍ରଭାବିତ/ବିଚ୍ଛିନ୍ନ ହୋଇଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ୪ଟି ପାୱାର ବୋଟ୍, ୬୫ଟି ଦେଶୀ ଡଙ୍ଗା ଏବଂ ୫ଟି ଯାନ୍ତ୍ରିକ ଦେଶୀ ଡଙ୍ଗା ନିୟୋଜିତ କରାଯାଇଛି। ବ୍ରାହ୍ମଣୀ ନଦୀ ଅଳଭା ଠାରେ ବର୍ତମାନ ଜଳସ୍ତର ୫.୩୫ ମିଟର, ଯାହା ବିପଦ ସଙ୍କେତ ୪.୮୮ ମିଟର ଠାରୁ ଅଧିକ। ଗୋପାଳପୁରରେ ଜଳସ୍ତର ୯.୧୪ ମିଟର, ବିପଦ ସଙ୍କେତ ୧୦.୦୫ ମିଟର। ଜେନାପୁର ଆନିକଟରେ ଜଳସ୍ତର ୬୨.୬୦ ଫୁଟ୍, ବିପଦସଙ୍କେତ ୬୭ ଫୁଟ୍ ଥିବାବେଳେ ଇନ୍ଦୁପୁରରେ ଜଳସ୍ତର ୭.୫୨ ମିଟର, ବିପଦ ସଙ୍କେତ ୮.୨୩ ମିଟର ରହିଛି। ବୈତରଣୀ ନଦୀ ଆଖୁଆପଦା ଠାରେ ଜଳସ୍ତର ୧୮.୦୧ ମିଟର, ଯାହା ବିପଦ ସଙ୍କେତ ୧୮.୩୩ ମିଟରରୁ କମ୍ ରହିଛି। ମୁଣ୍ଡଳୀ ଠାରେ ୨,୧୩,୩୪୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଆଜି ଜିଲ୍ଲାରେ ମୋଟ ୩୭ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ହାରାହାରି ବର୍ଷା ପରିମାଣ ୪.୧୧ ମିମି ରହିଛି। ମହାକାଳପଡ଼ାରେ ସର୍ବାଧିକ ୧୨ ମିମି, ମାର୍ଶାଘାଇରେ ୧୦ ମିମି, ରାଜନଗରରେ ୫ ମିମି, ଗରଦପୁର ଓ ପଟ୍ଟାମୁଣ୍ଡାଇରେ ୪ ମିମି, ରାଜକନିକାରେ ୨ ମିମି ବର୍ଷା ହୋଇଛି।ବନ୍ୟା ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ନିରନ୍ତର ନଜର ରଖିଛି। ପ୍ରଭାବିତ ଲୋକଙ୍କୁ ସମୟୋଚିତ ରିଲିଫ୍, ସ୍ୱାସ୍ଥ୍ୟସେବା, ପାନୀୟ ଜଳ, ଉଦ୍ଧାର ସହାୟତା ଓ ଅନ୍ୟାନ୍ୟ ଆବଶ୍ୟକୀୟ ସେବା ଯୋଗାଇଦେବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଜାରି ରହିଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି