ଝୁଲଣ ଯାତ୍ରା ମହୋତ୍ସବ
କେନ୍ଦ୍ରାପଡ଼ା, ୨୫ ଅଗଷ୍ଟ(ହି.ସ.) – ଶ୍ରୀ ବଳଦେବଜୀଉଙ୍କ ପୁଣ୍ୟ ପୀଠ ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଆନୁକୂଲ୍ୟରେ ଏବଂ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ କୋରୋ ପାବନ କ୍ଷେତ୍ର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦ
ଝୁଲଣ ଯାତ୍ରା ମହୋତ୍ସବ


କେନ୍ଦ୍ରାପଡ଼ା, ୨୫ ଅଗଷ୍ଟ(ହି.ସ.) – ଶ୍ରୀ ବଳଦେବଜୀଉଙ୍କ ପୁଣ୍ୟ ପୀଠ ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଆନୁକୂଲ୍ୟରେ ଏବଂ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ କୋରୋ ପାବନ କ୍ଷେତ୍ର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଝୁଲଣ ଯାତ୍ରା ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଗୀତିକାର, ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଜିଲ୍ଲା ଅଗ୍ନି ଅଧିକାରୀ ବଳରାମ ମହାନ୍ତି ମୁଖ୍ୟ ଅତିଥି, ମନ୍ଦିର ସମ୍ପାଦକ ସୀତାକାନ୍ତ ଜେନା ମୁଖ୍ୟ ବକ୍ତା ଏବଂ ସମ୍ମାନୀତ ଅତିଥି ଭାବରେ ରେଡିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଶ୍ରୀମତୀ ଧୀରାମଣି ପରିଡ଼ା, ସମାଜସେବୀ ରାଜକିଶୋର ବିଶ୍ୱାଳ, ସଙ୍ଗୀତ ଗୁରୁ ସଞ୍ଜୟ ଦେବ ପ୍ରମୁଖ ଯୋଗଦେଇ ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଝୁଲଣ ଯାତ୍ରା ମହୋତ୍ସବର ମହତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଭାବଗ୍ରାହୀ କଳା ନିକେତନ ତରଫରୁ ବିମଳ ପ୍ରସାଦ ପରିଡ଼ା, ହେନାଞ୍ଜଳି ଜେନା, ରେଖାଞ୍ଜଳି ଜେନା, ରଞ୍ଜନ ବରାଳ, ସ୍ମୃତିରଞ୍ଜନ ବିଶ୍ୱାଳ, ବଳରାମ ମଲିକ ପ୍ରମୁଖ ଅକ୍ଷୟ ମହାନ୍ତି ଏବଂ ଭିକାରୀ ବଳଙ୍କ କାଳଜୟୀ ଭକ୍ତି ସଙ୍ଗୀତ ଗାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଅଙ୍କିତା ପରିଡ଼ା, ଅର୍ପିତା ସାହୁ, ଅଙ୍କିତା ସାହୁ, ଅଭିଲିପ୍ସା ସାହୁ, ରତ୍ନମଞ୍ଜରୀ ପରିଡ଼ା, ପ୍ରତୀକ୍ଷା ନାୟକ ପ୍ରମୁଖ କଳାକାରମାନେ ଚିତାକର୍ଷକ ଓଡ଼ିଶୀ ନୃତ୍ୟ ଏବଂ ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ଭାବ ବିହ୍ୱଳିତ କରିଥିଲେ। ପରେ ପରେ ଭୁବନେଶ୍ୱରର ଆଇଡ଼ିଆଲ କଲ୍‌ଜରାଲ ଟ୍ରୁପ୍ ଏବଂ ଆନନ୍ଦ ଧାରା ଭଜନ ସନ୍ଧ୍ୟାର ସଞ୍ଜୟ ଦେବ, ରୋଜାଲିନ୍ ସାହୁ, ମୋନାଲିସା ସାହୁ, ପ୍ରତୀକ୍ଷା ଚୌଧୁରୀ, ଅମର ପ୍ରସାଦ ବିଶ୍ୱାଳ ପ୍ରମୁଖ କଳାକାରମାନେ ଆକର୍ଷଣୀୟ ଭଜନ ଓ ରାସ ସଙ୍ଗୀତ ଗାଇ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ। ପବିତ୍ର ଝୁଲଣ ମହୋତ୍ସବ ଉପଲକ୍ଷେ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ସ୍ଥିତ ଝୁଲଣ ମଣ୍ଡପରେ ବିଗତ ବର୍ଷମାନଙ୍କ ପରି ଭାବଗ୍ରାହୀ କଳା ନିକେତନ ତରଫରୁ ଭଜନ ଏବଂ ନୃତ୍ୟ ପରିବେଷଣ କରାଯାଇଥିଲା। ଉଭୟ ସ୍ଥାନରେ ବିମଳ ପ୍ରସାଦ ପରିଡ଼ାଙ୍କ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନାରେ ଉପେନ୍ଦ୍ର ପାଢ଼ୀ ଏବଂ ନିରୁପମା ଜେନା ଗାଇଥିବା ଫୁଲ ଝୁଲଣାରେ ଝୁଲୁଛ ଗୀତରେ ପ୍ରସ୍ତୁତ ନୃତ୍ୟ ଦର୍ଶକମାନଙ୍କ ଦ୍ୱାରା ବିଶେଷ ଭାବରେ ଆଦୃତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ଉଭୟ ସ୍ଥାନରେ ପ୍ରବଚକ ବିକ୍ରମ କେଶରୀ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶତାଧିକ ଭକ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ। ହରିବୋଲ ହୁଳହୁଳି ଧ୍ୱନୀରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande