
ଭୁବନେଶ୍ୱର, ୨୫ ଅଗଷ୍ଟ (ହି.ସ)- କେନ୍ଦ୍ର ସରକାର ଏମଏମଡିଆର ବିଲ ପାସ କରି ଓଡ଼ିଶାର ଲକ୍ଷ ଲକ୍ଷ କୋଟି ଟଙ୍କା କ୍ଷତି ପହଂଚାଇଛନ୍ତି । ଏଥିରେ ରାଜ୍ୟ ସରକାର ପ୍ରତିବାଦ ନକରି ନିରବ ରହିବା ରାଜ୍ୟବାସୀଙ୍କ ପ୍ରତି କେତେ ଦରଦ ତାହା ସ୍ପଷ୍ଟ ହୋଇଛି । ଏହି ବିଲକୁ ରଦ୍ଦ କରିବା ଦାବିରେ ଇଣ୍ଡିଆମେଂଟର ସମସ୍ତ ବିରୋଧି ରାଜନୈତିକ ଦଳମାନେ ଭୁବନେଶ୍ୱର ଠାରେ ଏକ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ଉପଲକ୍ଷେ ଏକ ବିଶାଳ ପଦଯାତ୍ରା କଂଗ୍ରେସ ଭବନ ଠାରୁ ବାହାରି ଲୋୟର ପିଏମଜି ପର୍ଯ୍ୟନ୍ତ ଯାଇଥିଲା । ରାଜନୈତି ଦଳର ନେତୃବୃନ୍ଦ ମାନେ ଏହି ଜନସ୍ୱାର୍ଥ ବିରୋଧି ବିଲକୁ ପ୍ରତ୍ୟାହାର ପାଇଁ ନିଜ ନିଜ ଅଭିଭାଷଣରେ କହିବା ସହ ଏହି ବିଲ ଉପରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ଏବଂ ଜୋରଦାର ଆନ୍ଦୋଳନ ହେବ ବୋଲି କହିଥିଲେ । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତଳିକା ଦାହ କରାଯାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଚନ୍ଦ୍ର ଜେନାଙ୍କ ପରିଚାଳନାରେ ବିଭିନ୍ନ ରାଜନୈତି ଦଳର ନେତୃବୃନ୍ଦ ସର୍ବଶ୍ରୀ ସନ୍ତୋଷ ସିଂ ସାଲୁଜା, ସୁରେଶ କୁମାର ରାଉତରାୟ, ସୁର ଜେନା, ମହେନ୍ଦ୍ର ପରିଡ଼ା, ପ୍ରଦୀପ ନାୟକ, ଜଗନ୍ନାଥ ପଟ୍ଟନାୟକ, ରାମଚନ୍ଦ୍ର ଖୁଣ୍ଟିଆ, ଶିବାନନ୍ଦ ରାୟ, ହେମନ୍ତ ବେହେରା, ପ୍ରଭାତ ସାମନ୍ତରାୟ, ସୁରେଶ ପାଣିଗ୍ରାହୀ, ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ସହିତ ଶତାଧିକ ବିଭିନ୍ନ ରାଜନୈତିକ ଦଳର କର୍ମୀ ଅଂଶଗ୍ରହଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା