
ଭୁବନେଶ୍ୱର, 25 ଅଗଷ୍ଟ (ହି.ସ.)ଦୁର୍ନୀତି ବିରୋଧୀ ଅଭିଯାନରେ ଓଡ଼ିଶା ଭିଜିଲାନ୍ସକୁ ଏକ ବଡ଼ ସଫଳତା ମିଳିଛି। ବରଗଡ଼ ଜିଲ୍ଲା ପୁରେଣା ଗ୍ରାମ ପଞ୍ଚାୟତର ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଛବିଳା ବରିହାଙ୍କୁ ଲାଞ୍ଚ ମାମଲାରେ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବରଗଡ଼ର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ମଙ୍ଗଳବାର ଛବିଳା ବରିହାଙ୍କୁ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ କଠୋର କାରାଦଣ୍ଡ ଏବଂ ୨୦,୦୦୦ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଦଣ୍ଡାଦେଶ ପରେ ଛବିଳା ବରିହାଙ୍କୁ ଜେଲ୍ ହାଜତକୁ ପଠାଯାଇଛି।
ଓଡ଼ିଶା ଭିଜିଲାନ୍ସର ସୂଚନା ଅନୁଯାୟୀ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣର ଜଣେ ହିତାଧିକାରୀଙ୍କୁ ଯୋଜନାର ଶେଷ କିସ୍ତି ମଞ୍ଜୁର କରାଇଦେବା ପାଇଁ ଛବିଳା ବରିହା ୭,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ ଏବଂ ଗ୍ରହଣ କରିଥିଲେ। ଏହି ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା।
ଏହି ମାମଲାରେ ଓଡ଼ିଶା ଭିଜିଲାନ୍ସ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩(୨) ସହିତ ଧାରା ୧୩(୧)(ଡି) ଏବଂ ଧାରା ୭ ଅନୁଯାୟୀ ଛବିଳା ବରିହାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା।
ଅଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ଛବିଳା ବରିହାଙ୍କୁ ଜେଲ୍ ହାଜତକୁ ପଠାଯାଇଛି। ସେ ଅବସରପ୍ରାପ୍ତ ହୋଇଥିବାରୁ ତାଙ୍କ ପେନ୍ସନ୍ ବନ୍ଦ କରିବା ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ଆବଶ୍ୟକ ପଦକ୍ଷେପ ନେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ