
ଜୟପୁର, ୨୫ ଅଗଷ୍ଟ (ହି.ସ.)- ରାକ୍ଷୀ ପୂର୍ଣ୍ଣିମା ନେଇ ଚଳଚଞ୍ଚଳ କୋରାପୁଟ ଜିଲା । ଜୟପୁର ସହର ସମେତ କୋରାପୁଟ, ସେମିଳିଗୁଡା, ବୈପାରିଗୁଡା, ବୋରିଗୁମ୍ମା, କୋଟପାଡରେ ରାକ୍ଷୀ ବଜାରରେ ଭିଡ ଦେଖିବାକୁ ମିଳୁଛି । ଭାଇ ହାତରେ ରକ୍ଷାର ପ୍ରତିଶ୍ରୁତି ବନ୍ଧନ ବାନ୍ଧିବାକୁ ପ୍ରସ୍ତୁତ ହେଉଛି ଭଉଣୀ । ସହରର ଛକ
ବଜାର ଓ ଗଳିକନ୍ଦିରେ ରାକ୍ଷୀ ଦୋକାନ ଖୋଲିବା ଆରମ୍ଭ ହୋଇଗଲାଣି । ଜୟପୁରର ଏମଜି ରୋଡରେ ରାକ୍ଷୀ ବଜାର ପଡିଛି । ବଜାରରେ ଏବେ ପାରମ୍ପରିକ ରାକ୍ଷୀଠାରୁ ଆରମ୍ଭ କରି ଫ୍ୟାନ୍ସି, ବ୍ରେସ୍ଲେଟ୍, ଗୋଲ୍େଡନ୍, ମୟୂର ପୁଚ୍ଛ, କଉଡ଼ି, ରୁଦ୍ରାକ୍ଷ, କପଡ଼ାରେ ପ୍ରସ୍ତୁତ ଷ୍ଟୋନ ରାକ୍ଷୀ ରହିଛି । ଏସବୁର ଦାମ୍ ୧୦ ଟଙ୍କାରୁ ଆରମ୍ଭ କରି ୨ ଶହ ଟଙ୍କା ପର୍ଯ୍ୟନ୍ତ ରହିଛି । ତେବେ ଷ୍ଟୋନ୍ ରାକ୍ଷୀର ଚାହିଦା ବେଶି । ଏହାର ଦାମ୍ ୧୦୦ ଟଙ୍କାରୁ ନେଇ ୬୦୦ ଟଙ୍କା ଯାଏଁ ରହିଛି । ଏସବୁ କୋଲକାତା, ରାଜସ୍ଥାନ, ଦିଲ୍ଲୀ, ରାୟପୁର ଓ ଗୁଜୁରାଟରୁ କୋରାପୁଟ ଜିଲାକୁ ଆସୁଛି । ସେହିପରି ଅନଲାଇନ୍ ରେ ରାକ୍ଷୀ ସହିତ ବିଭିନ୍ନ ଡ୍ରାଏ ଫ୍ରୁଟ୍ସ, ଚକୋଲେଟ୍, ସିନ୍ଦୁର, କି-ଚେନ୍, କାର୍ଡ ଥିବା ସ୍ୱତନ୍ତ୍ର ବାକ୍ସର ମଧ୍ୟ ବେଶ୍ ଚାହିଦା ରହିଛି । ରାକ୍ଷୀ ପାଇଁ ଡାକଘରେ ଗହଳି
ପରିଲକ୍ଷିତ ହେଲାଣି । ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଡାକ ବିଭାଗ ତରଫରୁ ରାକ୍ଷୀ ପୋଷ୍ଟ ପାଇଁ ସ୍ୱତନ୍ତ୍ର ଚିତ୍ରଥିବା ରାକ୍ଷୀ କଭର ପ୍ରଦାନ କରାଯାଉଛି ।
ସେହିପରି ରାକ୍ଷୀ ପୂର୍ଣ୍ଣିମା ପାଇଁ ସ୍ପିଡ୍ ପୋଷ୍ଟରେ ରାଖି ପ୍ରେରଣ କଲେ ୧୦ ପ୍ରତିଶତର ରିହାତି ମଧ୍ୟ ପ୍ରଦାନ କରାଯାଉଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି