
ଝାରସୁଗୁଡ଼ା, ୨୫ ଅଗଷ୍ଟ (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆଇସିଡିଏସ (ସମନ୍ୱିତ ଶିଶୁ ବିକାଶ ଯୋଜନା) ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଭିକ୍ଟୋରିଆ ଏକ୍କା, ସମସ୍ତ ସିଡିପିଓ, ସୁପରଭାଇଜର, 'ମମତା' ଯୋଜନାର ଡିପିସି ଏବଂ 'ପୋଷଣ' ଅଭିଯାନର ଡିସି ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲାରେ ଶିଶୁ ଏବଂ ମହିଳାମାନଙ୍କ ସ୍ୱାସ୍ଥ୍ୟ ତଥା ପୁଷ୍ଟିକର ସ୍ଥିତିର ତୃଣମୂଳ ସ୍ତରର ସମୀକ୍ଷା କରିଥିଲେ।
ବିଶେଷ ଭାବରେ ଗୁରୁତର ଅପପୁଷ୍ଟିର ଶିକାର ହୋଇଥିବା ଶିଶୁମାନଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ନିୟମିତ ତଦାରଖ, ପୁଷ୍ଟିକର ଖାଦ୍ୟ ସମ୍ପର୍କିତ ପରାମର୍ଶ ଏବଂ ଠିକ୍ ସମୟରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଚିହ୍ନଟ ହୋଇଥିବା ସମସ୍ତ 'ସାମ୍' ଶିଶୁମାନଙ୍କ ଘରକୁ ନିୟମିତ ଭାବେ ଗସ୍ତ କରି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ପୁଷ୍ଟିସ୍ତର ଉପରେ କଡ଼ା ନଜର ରଖିବା ସହ ଆବଶ୍ୟକୀୟ ଅନୁବର୍ତ୍ତୀ ପଦକ୍ଷେପ ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କୁହାଯାଇଛି। ଏଥିସହ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଶିଶୁମାନଙ୍କର ସଠିକ୍ ଉଚ୍ଚତା ଓ ଓଜନ ମାପ କରିବା ଏବଂ ନିୟମିତ ତଦାରଖ ମାଧ୍ୟମରେ ଶିଶୁ ବିକାଶ ତଥ୍ୟକୁ ସଠିକ୍ ଭାବେ ପରିଚାଳନା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ