
ଗଞ୍ଜାମ, ୨୫ ଅଗଷ୍ଟ (ହି.ସ.)- ଗଞ୍ଜାମ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଏବଂ ଜିଲ୍ଲା କ୍ଷୁଦ୍ର ସଞ୍ଚୟ କାର୍ଯ୍ୟାଳୟର ସମନ୍ୱୟରେ ଶେରଗଡ଼ ବ୍ଲକରେ ଆର୍ଥିକ ସାକ୍ଷରତା, ଡିଜିଟାଲ ବୁଲିଂ ଓ ସାଇବର ସୁରକ୍ଷା ସମ୍ପର୍କିତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ଶେରଗଡ଼ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ମମତାଞ୍ଜଳି ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ଡି. ନାଗରତ୍ନମ୍ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ବିଷୟବସ୍ତୁ ସମ୍ପର୍କରେ ଅବଗତ କରାଇଥିଲେ।
ସହକାରୀ ଜିଲ୍ଲାପାଳ ତଥା ଜିଲ୍ଲା କ୍ଷୁଦ୍ର ସଞ୍ଚୟ ଅଧିକାରୀ ସୁଦାମ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ସେ ଆର୍ଥିକ ସାକ୍ଷରତା, ନିୟମିତ ସଞ୍ଚୟର ଗୁରୁତ୍ୱ, ଅନଲାଇନ୍ ଓ ସୋସିଆଲ୍ ମିଡିଆର ସୁରକ୍ଷିତ ବ୍ୟବହାର ସହ ଭ୍ରାନ୍ତିକର ଓ ଏଆଇ ଆଧାରିତ ପୋଷ୍ଟରୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ।
ଛତ୍ରପୁର ଏସପିକାର୍ଯ୍ୟାଳୟର ସାଇବର ସେଲ୍ ର ଏଏସଆଇ କିରଣ କୁମାର ପାତ୍ର ଡିଜିଟାଲ ବୁଲିଂ, ସାଇବର ଅପରାଧ ଓ ଡିଜିଟାଲ ସୁରକ୍ଷା ସମ୍ପର୍କରେ ସଚେତନ କରିଥିଲେ। ସେ ଅଜଣା ଆପ ଫାଇଲ୍ ଓ ଆପ୍ ଡାଉନଲୋଡ୍ ନକରିବା, ସୋସିଆଲ୍ ଇଞ୍ଜିନିୟରିଂ, ଠକେଇପୂର୍ଣ୍ଣ ଜରୁରୀ କଲ୍, କଲ୍ ଫରୱାର୍ଡିଂ ଠକେଇ ଏବଂ ମୋବାଇଲ୍ ରେ ଡିଜିଟାଲ ସ୍ୱଚ୍ଛତା ବଜାୟ ରଖିବା ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ସନ୍ଦେହଜନକ ଆପ୍/ଫାଇଲ୍ ଚିହ୍ନଟ କରି ଅପସାରଣ କରିବା, ପାସୱାର୍ଡ ସୁରକ୍ଷିତ ରଖିବା ଏବଂ ମୋବାଇଲ୍ ଚୋରି ହେଲେ ଡିଭାଇସ୍ ଟ୍ରାକିଂ ବ୍ୟବସ୍ଥା ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ।
ଆସ୍କା ଡିଭିଜନ୍ ପୋଷ୍ଟାଲ୍ ସେବାର ଅଧୀକ୍ଷକ ଶ୍ରୀ ଦିଲୀପ କୁମାର ବେହେରା ସଞ୍ଚୟ, ଆର୍ଥିକ ଅନ୍ତର୍ଭୁକ୍ତି ଓ ଆର୍ଥିକ ସୁରକ୍ଷା ସମ୍ପର୍କରେ ଆଲୋଚନା କରିବା ସହ ସୁକନ୍ୟା ସମୃଦ୍ଧି ଯୋଜନା ଭଳି ସାମାଜିକ ସୁରକ୍ଷା ଯୋଜନାର ଲାଭ ନେବାକୁ ସଚେତନ କରିଥିଲେ।
ପିଏଲଆଇର ବିକାଶ ଅଧିକାରୀ ଦୀପକ ରଞ୍ଜନ ପାଣିଗ୍ରାହୀ ପୀଏଲଆଇ, ଆରପିଏଲଆଇ ଓ ବିଭିନ୍ନ ଡାକ ଜୀବନ ବୀମା ଏବଂ ସଞ୍ଚୟ ଯୋଜନା ସମ୍ପର୍କରେ ସୂଚନା ଦେଇ ଭବିଷ୍ୟତର ଆର୍ଥିକ ସୁରକ୍ଷା ପାଇଁ ସଞ୍ଚୟ ଓ ବୀମାର ଗୁରୁତ୍ୱ ବୁଝାଇଥିଲେ।
କର୍ମଶାଳାରେ ସାଇବର ସୁରକ୍ଷିତ ରହିବାର ଉପାୟ, ସୋସିଆଲ୍ ମିଡିଆର ସୁରକ୍ଷିତ ବ୍ୟବହାର, ଅନଲାଇନ୍ ସେଫ୍ଟି, ଅନଲାଇନ୍ ଆର୍ଥିକ କାରବାରରେ ସତର୍କତା, ସାଇବର ସ୍ପେସ୍ରେ ଶିଶୁମାନଙ୍କ ସୁରକ୍ଷା, କେୱ।ଇସି/ପାନ/ଆଧାରଅପଡେଟ୍ ଠକେଇ, ସର୍ଚ୍ଚ ଇଞ୍ଜିନ୍ ଠକେଇ, ଚାକିରି ଠକେଇ, ଲୋନ୍ ଆପ୍ ଠକେଇ, ମାଟ୍ରିମୋନିଆଲ୍/ଉପହାର ଠକେଇ, ଅଜଣା କଲ୍ ଓ ସିମ୍-ସ୍ୱାପ୍ ଠକେଇ ତଥା ଅନଲାଇନ୍ କ୍ରୟ-ବିକ୍ରୟ ଠକେଇ ସମ୍ପର୍କରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ସଶକ୍ତିକରଣ ହବ୍ର ଜିଲ୍ଲା ସଂଯୋଜିକା ଶ୍ରୀମତୀ ଗୀତାଞ୍ଜଳି ମହାରଣା, ୟୁନିସେଫ ଜିଲ୍ଲା ସଂଯୋଜକ ଦେବବ୍ରତ ମହାନ୍ତ, ଆର୍ଥିକ ସାକ୍ଷରତା ଲିଙ୍ଗ ବିଶେଷଜ୍ଞ ବାପୁଜୀ କନ୍ୟାରୀଙ୍କ ସମେତ ଶେରଗଡ଼ ଆଇସିଡିଏସ ପ୍ରକଳ୍ପର ସମସ୍ତ ଅଞ୍ଚଳ ପରିଦର୍ଶିକା ଓ ଅଙ୍ଗନବାଡ଼ି କର୍ମୀମାନେ ଉପସ୍ଥିତ ଥିଲେ। ଶେଷରେ ଶେରଗଡ ଆଇସିଡିଏସ ପ୍ରକଳ୍ପ ଅଧିକାରିଣୀ ଧନ୍ୟବାଦ ଅର୍ପଣ କରିବା ସହ କର୍ମଶାଳାର ସଫଳ ସମାପନ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ