
କେନ୍ଦ୍ରାପଡ଼ା, ୨୫ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ନାରୀନେତ୍ରୀ ଶ୍ରୀମତୀ ମିନତୀ ପରିଡ଼ା ବିଧାୟକ ଗଣେଶ୍ୱର ବେହେରାଙ୍କ କାର୍ଯ୍ୟରେ କ୍ଷୁବ୍ଧ ହୋଇ ବିଜେଡି ଛାଡ଼ିଛନ୍ତି। ଶ୍ରୀମତୀ ପରିଡ଼ା ତାଙ୍କ ଇସ୍ତଫା ପତ୍ର ଦଳର ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନିକଟକୁ ପଠାଇ ଦେଇଛନ୍ତି। ବିଧାୟକଙ୍କ ପ୍ରତି ତାଙ୍କର ଯେଉଁ ସବୁ ଅସନ୍ତୋଷ ଥିଲା ତାହାକୁ ସେ ବଖାଣିଛନ୍ତି। ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ମୁଁ ଜଣେ ସକ୍ରିୟ କର୍ମୀ। ମୁଁ ୨୦୦୨ ମସିହାରୁ ବିଜୁ ଜନତା ଦଳ ସହିତ ମୋର ରାଜନୈତିକ ଜୀବନ ଯାତ୍ରା ଆରମ୍ଭ କରିଥିଲି। ଦୀର୍ଘ ୨୪ ବର୍ଷରୁ ଅଧିକ ସମୟ ଧରି ମୁଁ ବିଜୁ ଜନତା ଦଳକୁ ନିଜର ରାଜନୈତିକ ପରିବାର ଭାବେ ଗ୍ରହଣ କରି ଦଳର ନୀତି, ଆଦର୍ଶ ଓ ସଂଗଠନକୁ ମଜବୁତ କରିବା ପାଇଁ ନିଷ୍ଠା ଓ ସମର୍ପଣର ସହିତ କାର୍ଯ୍ୟ କରିଆସିଛି। ମୋର ରାଜନୈତିକ ଜୀବନର ଆରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ ମୁଁ ଦଳର ନୀତି ଓ ନେତୃତ୍ୱ ଉପରେ ବିଶ୍ୱାସ ରଖ୍ ଦଳର ଜଣେ ନିଷ୍ଠାବାନ କର୍ମୀ ଭାବେ ସବୁବେଳେ ଲୋକଙ୍କ ପାଖରେ ରହି ଦଳ ପାଇଁ କାର୍ଯ୍ୟ କରିଆସିଛି। ମୋର ରାଜନୈତିକ ଯାତ୍ରାର ପ୍ରାରମ୍ଭିକ ସମୟରେ ତତ୍କାଳୀନ ବିଧାୟକ ଶ୍ରୀ ଦେବାଶିଷ ନାୟକଙ୍କ ସମୟରେ ମୁଁ କେନ୍ଦ୍ରାପଡ଼ା ବ୍ଳକ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଥିଲି। ୨୦୧୨ ମସିହାରେ ତତ୍କାଳୀନ ବିଧାୟିକା ଡ଼. ସିପ୍ରା ମଲ୍ଲିକଙ୍କ ସମର୍ଥନ ଓ ଆଶୀର୍ବାଦରେ ମୁଁ ଚାରିଗାଁ ପଂଚାୟତରୁ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିଲି। ଏହା ମୋର ରାଜନୈତିକ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଥିଲା। ନିର୍ବାଚିତ ପ୍ରତିନିଧି ହେବାପରେ ମଧ୍ୟ ମୁଁ ସାଧାରଣ ଲୋକଙ୍କ ସମସ୍ୟା ଓ ବିକାଶକୁ ଅଧିକ ଗୁରୁତ୍ୱ ଦେଇ ଦଳ ପାଇଁ କାର୍ଯ୍ୟ କରିଥିଲି। ପରବର୍ତୀ ସମୟରେ ବିଧାୟକ ଶ୍ରୀ କିଶୋର ଚନ୍ଦ୍ର ତରାଇଙ୍କ ସହିତ ରହି ମଧ୍ୟ ବିଜୁ ଜନତା ଦଳ ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିଥିଲି। ଦଳର ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ମୁଁ ମୋର ସାମର୍ଥ୍ୟ ଅନୁସାରେ ସର୍ବଦା ଉଦ୍ୟମ କରିଛି। ପୁନର୍ବାର ୨୦୧୯ ମସିହାରେ ଶ୍ରୀ ଶଶୀଭୂଷଣ ବେହେରାଙ୍କ ସହିତ ରହି ଦଳୀୟ କାର୍ଯ୍ୟ କରିଥିଲି। ମୋର ଦୀର୍ଘଦିନର ଦଳୀୟ କାର୍ଯ୍ୟ ଓ ନିଷ୍ଠାକୁ ଦେଖ୍ ୨୦୨୧ ମସିହାରେ ମୋତେ କେନ୍ଦ୍ରାପଡ଼ା ଜିଲ୍ଲା କମିଟିର ସାଧାରଣ ସମ୍ପାଦିକା ଭାବେ ଦାୟିତ୍ୱ ଦିଆଯାଇଥିଲା। ମୁଁ ସେହି ଦାୟିତ୍ୱକୁ ମଧ୍ୟ ସମ୍ପୂର୍ଣ୍ଣ ନିଷ୍ଠା, ସମୟ ଓ ପରିଶ୍ରମର ସହିତ ପାଳନ କରିଥିଲି। ପରବର୍ତୀ ସମୟରେ ମୋତେ ଜିଲ୍ଲା କମିଟିର ଉପସଭାନେତ୍ରୀ ଭାବେ ଦାୟିତ୍ୱ ଦିଆଯାଇଥିଲା। ଏହି ଦାୟିତ୍ୱ ପାଇବା ମୋ ପାଇଁ ଗର୍ବର ବିଷୟ ଥିଲା। ଦଳର ନେତୃତ୍ୱ ମୋ ଉପରେ ରଖୁଥିବା ବିଶ୍ୱାସକୁ ସମ୍ମାନ ଦେଇ ଦଳର ପ୍ରତ୍ୟେକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥୁଲି ଏବଂ ଦଳୀୟ କର୍ମୀମାନଙ୍କ ସହିତ ମିଶି ସଂଗଠନକୁ ମଜବୁତ କରିବାରେ ନିଜର ଭୂମିକା ନିର୍ବାହ କରିଥିଲି। କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ଯେ, ୨୦୨୪ ମସିହା ନିର୍ବାଚନ ପରେ ଦଳରେ ମତେ ଅଣଦେଖା କରାଯିବାର ମୁଁ ଅନୁଭବ କରୁଛି। ସ୍ଥାନୀୟ ବିଧାୟକ ସବୁଠୁ ଅଧିକ ପାତର ଅନ୍ତର କରିଛନ୍ତି। ତେଣୁ ବର୍ତମାନ ପରିସ୍ଥିତିରେ ମୋର ଆତ୍ମସମ୍ମାନ ଓ ଦୀର୍ଘଦିନର ଅନୁଭୂତିକୁ ବିଚାର କରି ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟାରୁ ଇସ୍ତଫା ପ୍ରଦାନ କରୁଛି। ୨୦୦୨ ମସିହାରୁ ଆଜି ପର୍ଯ୍ୟନ୍ତ ବିଜୁ ଜନତା ଦଳ ସହିତ ମୋର ଯେଉଁ ସମ୍ପର୍କ ରହିଛି, ତାହା ମୋ ଜୀବନର ଏକ ଅବିସ୍ମରଣୀୟ ଅଧ୍ୟାୟ ଓ ଦଳ ମୋତେ ଯେଉଁ ସୁଯୋଗ ଓ ଦାୟିତ୍ୱ ଦେଇଛି, ସେଥିପାଇଁ ମୁଁ ସର୍ବଦା କୃତଜ୍ଞ ରହିବି ବୋଲି ସେ ଉଲ୍ଲେଖ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି