ରାଜ୍ୟରେ ବର୍ଷା ଓ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ
ଭୁବନେଶ୍ୱର ,୨୫ ଅଗଷ୍ଟ (ହି.ସ.)- ରାଜ୍ୟରେ ଲଘୁଚାପଜନିତ ବର୍ଷା ଓ କେତେକ ଅଂଚଳରେ ବନ୍ୟା ପରିସ୍ଥିତି ଉପରେ ସ୍ପେଶାଲ ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ତଥା ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ପକ୍ଷରୁ ୨୪ ଘଂଟିଆ ନଜର ରଖାଯାଇଛି। ମଙ୍ଗଳବାର ସୁଦ୍ଧା ସମଗ୍ର ରାଜ୍ୟର ପରିସ୍ଥିତି ନିୟନ୍ତ୍ରଣାଧୀନ ର
ରାଜ୍ୟରେ ବର୍ଷା ଓ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ


ଭୁବନେଶ୍ୱର ,୨୫ ଅଗଷ୍ଟ (ହି.ସ.)- ରାଜ୍ୟରେ ଲଘୁଚାପଜନିତ ବର୍ଷା ଓ କେତେକ ଅଂଚଳରେ ବନ୍ୟା ପରିସ୍ଥିତି ଉପରେ ସ୍ପେଶାଲ ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ତଥା ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ପକ୍ଷରୁ ୨୪ ଘଂଟିଆ ନଜର ରଖାଯାଇଛି। ମଙ୍ଗଳବାର ସୁଦ୍ଧା ସମଗ୍ର ରାଜ୍ୟର ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଏହାର ସଂଲଗ୍ନ ଝାଡ଼ଖଣ୍ଡ ଏବଂ ଉତର ଓଡ଼ିଶା ଅଂଚଳ ଉପରେ ରହିଥିବା ଲଘୁଚାପ କ୍ଷେତ୍ର ସମାନ ଅଂଚଳରେ ସକ୍ରିୟ ରହିଛି। ଏହା ସହିତ ସଂପୃକ୍ତ ଘୂର୍ଣ୍ଣିବଳୟ ପ୍ରବାହ ସମୁଦ୍ର ପତନଠାରୁ ପ୍ରାୟ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଆସନ୍ତା ୨୪ ଘଂଟାରେ ଏହି ପ୍ରଣାଳୀ ଝାଡ଼ଖଣ୍ଡ ଓ ଉତର ଓଡ଼ିଶା ଦେଇ ପ୍ରାୟ ଉତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି।

ଆଜି ରାଜ୍ୟର କେତେକ ଜିଲ୍ଲାରେ ବଜ୍ରପାତ ସହ ଘଡ଼ଘଡ଼ି ଏବଂ ଘଂଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବହିବାର ସମ୍ଭାବନା ରହିଛି। ଏଥିପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ପ୍ରଶାସନକୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି।

ଗତ ୨୪ ଘଂଟାରେ ରାଜ୍ୟରେ ହାରାହାରି ୧୭.୫ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକରେ ସର୍ବାଧିକ ୧୬୨.୨ ମିଲିମିଟର ବର୍ଷା ହୋଇଛି। ଚାରିଟି ବ୍ଲକରେ ୧୦୦ ମିଲିମିଟରରୁ ଅଧିକ ଏବଂ ୯ଟି ବ୍ଲକ ଓ ଗୋଟିଏ ପୌରାଂଚଳରେ ୫୦ରୁ ୧୦୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଅଗଷ୍ଟ ୧ରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମୁଦାୟ ବର୍ଷା ୩୪୪.୪ ମିଲିମିଟର ରହିଥିବା ବେଳେ ସ୍ୱାଭାବିକ ବର୍ଷା ୨୮୭.୧ ମିଲିମିଟର ତୁଳନାରେ ଏହା ୨୦ ପ୍ରତିଶତ ଅଧିକ। ଜୁନ୍ ୧ରୁ ଅଗଷ୍ଟ ୨୫ ପର୍ଯ୍ୟନ୍ତ ସମୁଦାୟ ବର୍ଷା ୧୧୦୦.୬ ମିଲିମିଟର ହୋଇଥିବା ବେଳେ ସ୍ୱାଭାବିକ ୮୩୧.୫ ମିଲିମିଟର ତୁଳନାରେ ୩୨.୪ ପ୍ରତିଶତ ଅଧିକ ରହିଛି।

ବର୍ତମାନ ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ଅଂଚଳ ବନ୍ୟା ପ୍ରଭାବିତ ହୋଇଛି। ଭଦ୍ରକ ଜିଲ୍ଲାର ତିହିଡ଼ି ଓ ଚାନ୍ଦବାଲି ବ୍ଲକର ୧୮ଟି ଗ୍ରାମ ପଂଚାୟତ ଅଧୀନ ୭୦ଟି ଗ୍ରାମର ୭୫,୪୩୨ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଯାଜପୁର ଜିଲ୍ଲାର ବରୀ, ବିଞ୍ଝାରପୁର ଓ ଦଶରଥପୁର ବ୍ଲକର ୧୫ଟି ଗ୍ରାମ ପଂଚାୟତ ଅଧୀନ ୪୧ଟି ଗ୍ରାମର ୨୧,୦୧୦ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୬୭ଟି ରିଲିଫ୍ କ୍ୟାମ୍ପ ଚାଲୁ ରହିଛି। କେନ୍ଦ୍ରାପଡ଼ା ଜିଲ୍ଲାର ୫ଟି ବ୍ଲକ, ଗୋଟିଏ ପୌରାଂଚଳ, ୧୧ଟି ୱାର୍ଡ, ୩୫ଟି ଗ୍ରାମ ପଂଚାୟତ ଓ ୬୪ଟି ଗ୍ରାମର ୫,୪୭୫ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ସେଠାରେ ୧୩ଟି ରିଲିଫ୍ କ୍ୟାମ୍ପ ଚାଲୁ ରହିଛି।

ଅତ୍ୟଧିକ ବର୍ଷା ଯୋଗୁଁ କେନ୍ଦୁଝର, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର କେତେକ ଅଂଚଳ ମଧ୍ୟ ପ୍ରଭାବିତ ହୋଇଛି। ନବରଙ୍ଗପୁର ଜିଲ୍ଲାର ୯ଟି ବ୍ଲକ୍ ପ୍ରଭାବିତ ହୋଇଥିବା ବେଳେ ୧,୬୨୨ ଜଣଙ୍କୁ ସ୍ଥାନାନ୍ତର କରାଯାଇ ରିଲିଫ୍ କ୍ୟାମ୍ପରେ ରଖାଯାଇଛି। କୋରାପୁଟରେ ୬୬୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ଅଂଚଳରେ ତ୍ୱରିତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ମୋଟ ୭୯ଟି ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି। ଏଥିରେ ୨୮ଟି ଓଡ୍ରାଫ୍ ଟିମ୍, ୧ଟି ଏନ୍ଡିଆରଏଫ୍ ଟିମ୍ ଏବଂ ୫୦ଟି ଅଗ୍ନିଶମ ଓ ଜରୁରୀକାଳୀନ ସେବା ଟିମ୍ ସାମିଲ ଅଛନ୍ତି।

ବନ୍ୟା ପ୍ରଭାବିତ ଅଂଚଳରେ ରିଲିଫ୍ କ୍ୟାମ୍ପ ପରିଚାଳନା ଓ ଅନ୍ୟାନ୍ୟ ଜରୁରୀ ପ୍ରତିକ୍ରିୟାମୂଳକ କାର୍ଯ୍ୟ ପାଇଁ ଝଊଜୠରୁ ବିଭିନ୍ନ ପର୍ଯ୍ୟାୟରେ ମୋଟ ୧୭୦.୩୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହାଛଡ଼ା ପ୍ରଭାବିତ ଜିଲ୍ଲାଗୁଡ଼ିକୁ ପଲିଥିନ୍ ପ୍ୟାକେଟ୍ ଓ ଗୋଖାଦ୍ୟ ଯୋଗାଣ କରାଯାଇଛି। ମୋଟ ୧,୩୫,୭୨୫ଟି ପଲିଥିନ୍ ପ୍ୟାକେଟ୍ ଏବଂ ୧୫୮୭.୫୬ ମେଟ୍ରିକ ଟନ୍ ଗୋଖାଦ୍ୟ ଯୋଗାଣ ହୋଇଛି।

ଜିଲ୍ଲା ପ୍ରଶାସନଗୁଡ଼ିକୁ ସମ୍ଭାବ୍ୟ ପରିସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ରହିବା, ତଳିଆ ଅଞ୍ଚଳରେ ଜଳବନ୍ଦୀ ଓ ସ୍ଥାନୀୟ ବନ୍ୟା ପରିସ୍ଥିତିର ମୁକାବିଲା, ରାସ୍ତା ଓ ଅଣ୍ଡରପାସ୍?ର ସ୍ଥିତି ଉପରେ ନଜର ରଖିବା, ଦୁର୍ବଳ କୋଠା ଓ କଚ୍ଚା ରାସ୍ତାର ସମ୍ଭାବ୍ୟ କ୍ଷୟକ୍ଷତି ପ୍ରତି ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ବଜ୍ରପାତ ସମୟରେ ଲୋକମାନେ ସୁରକ୍ଷିତ ଆଶ୍ରୟ ନେବା ସହ ପାଣିପାଗ ସମ୍ପର୍କିତ ସୂଚନା ଉପରେ ନଜର ରଖିବାକୁ ମଧ୍ୟ ଅନୁରୋଧ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande