
ଜୟପୁର, ୨୫ ଅଗଷ୍ଟ (ହି.ସ.)- କୋରାପୁଟ ଜିଲାର ଜୟପୁର, କୋରାପୁଟ, ସେମିଳିଗୁଡା, ବୋରିଗୁମ୍ମା ସହ ଉପାନ୍ତ ଅଞ୍ଚଳରେ ପନୀର, ଛେନା, ଫାଷ୍ଟଫୁଡରେ ଅପମିଶ୍ରଣ ହେଉଛି । ତେଣୁ ପ୍ରଶାସନ ଚଢଉ କରି କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି । କୋରାପୁଟ ଜିଲାର ସେମିଳିଗୁଡା, କୋରାପୁଟ, ଜୟପୁର, କୋଟପାଡ, ବୈପାରିଗୁଡା, କୁନ୍ଦୁରା ଅଞ୍ଚଳରେ ଅପମିଶ୍ରଣରେ ଫାଷ୍ଟଫୁଡ, ପନୀର, ଛେନା ଆଦି ବିକ୍ରୟ ଜୋରସୋରରେ ଚାଲିଛି ।
ବର୍ତମାନ ସମୟରେ ଜୀବନଶୈଳୀରେ ଫାଷ୍ଟଫୁଡ୍ ର ଚାହିଦା ଦିନକୁ ଦିନ ବଢ଼ିଚାଲିଛି । ସେହିପରି ପନିର, ଛେନା, ମିଠା ଓ ଦୁଗ୍ଧଜାତ ଖାଦ୍ୟର ମଧ୍ୟ ଲୋକଙ୍କ ମଧ୍ୟରେ ଚାହିଦା ବୃ୍ଦ୍ଧି ପାଇଛି । କିନ୍ତୁ ଅଧିକ ଲାଭଆଶାରେ କେତେକ ଅସାଧୁ ବ୍ୟବସାୟୀ ଓ ଖାଦ୍ୟ ପ୍ରସ୍ତୁତକାରୀ ଏହି ଖାଦ୍ୟରେ ଅପମିଶ୍ରଣ କରୁଥିବା ଅଭିଯୋଗ ହୋଇଛି । ଫଳରେ ସ୍ୱାଦ ଓ ଦେଖିବାକୁ ଆକର୍ଷଣୀୟ ଖାଦ୍ୟ ପଛରେ ଲୁଚି ରହୁଛି ସ୍ୱାସ୍ଥ୍ୟ ପ୍ରତି ବିପଦ । ପନିର ଓ ଛେନା ପ୍ରସ୍ତୁତିରେ ଗୁଣାତ୍ମକ କ୍ଷୀର ବ୍ୟବହାର ଅତ୍ୟନ୍ତ ଜରୁରୀ । ମାତ୍ର କେତେକ ସ୍ଥାନରେ ଗୋରସର ଗୁଣବତ୍ତା ନିମ୍ନମାନର ହେବା ସହ ଅନୁଚିତ ଉପାଦାନ ବ୍ୟବହାର କରାଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଛି । ଏଭଳି ଖାଦ୍ୟ ଦୀର୍ଘ ସମୟ ଧରି ଖାଇଲେ ପେଟ ସମସ୍ୟା, ଖାଦ୍ୟଜନିତ ଅସୁସ୍ଥତା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ରହିଥାଏ । ଫାଷ୍ଟଫୁଡ୍ ରେ ମଧ୍ୟ ସମସ୍ୟା କମ୍ ନୁହେଁ । ଚାଉମିନ୍, ମଞ୍ଚୁରିଆନ୍, ରୋଲ୍, ବର୍ଗ, ପିଜା ଓ ଅନ୍ୟାନ୍ୟ ଖାଦ୍ୟରେ ନିମ୍ନମାନର ତେଲ, ଅତ୍ୟଧିକ ଲୁଣ, ଚିନି ଓ କୃତ୍ରିମ ସ୍ୱାଦବର୍ଦ୍ଧକ ବ୍ୟବହାର ନେଇ ସମୟ ସମୟରେ ପ୍ରଶ୍ନ ଉଠୁଛି । ବାରମ୍ବାର ବ୍ୟବହୃତ ରନ୍ଧନ ତେଲକୁ ନେଇ ମଧ୍ୟ ଖାଦ୍ୟର ଗୁଣବତ୍ତା ନେଇ ପ୍ରଶ୍ନ ଉଠିଛି । ଅପମିଶ୍ରିତ ଖାଦ୍ୟର ସବୁଠାରୁ ବଡ଼ ପ୍ରଭାବ ଶିଶୁ, ବୃଦ୍ଧ ଓ ଅନ୍ୟ ସମ୍ବେଦନଶୀଳ ବ୍ୟକ୍ତିଙ୍କ ଉପରେ ପଡ଼ିବାର ଆଶଙ୍କା ରହିଛି । ଖାଦ୍ୟର ଗୁଣାବତ୍ତା ନେଇ ସାମାନ୍ୟ ଅବହେଳା ମଧ୍ୟ ଖାଦ୍ୟ ବିଷାକ୍ତତା, ଜୀର୍ଣ୍ଣ ସମସ୍ୟା ଓ ଅନ୍ୟାନ୍ୟ ଅସୁବିଧାର କାରଣ ହୋଇପାରେ । ତେଣୁ କେବଳ ରାସ୍ତାକଡ଼ର ଦୋକାନ ନୁହେଁ, ସମସ୍ତ ଖାଦ୍ୟ ବିକ୍ରୟ କେନ୍ଦ୍ରରେ ସଚ୍ଛତା ଓ ଖାଦ୍ୟ ସୁରକ୍ଷା ନିୟମ ପାଳନ ଆବଶ୍ୟକ । ଖାଦ୍ୟ ଅପମିଶ୍ରଣ ରୋକିବା ପାଇଁ ନିୟମିତ ଯାଞ୍ଚ, ନମୁନା ସଂଗ୍ରହ ଓ ଲାବରେଟୋରି ପରୀକ୍ଷା ଜୋରଦାର କରିବା ଜରୁରି ହୋଇପଡିଛି । ଦୋଷୀ ବ୍ୟବସାୟୀଙ୍କ ବିରୋଧରେ କେବଳ ଜୋରିମାନା ନୁହେଁ, ଆଇନ ଅନୁଯାୟୀ କଠୋର ପଦକ୍ଷେପ ନିଆଗଲେ ହିଁ ଅପମିଶ୍ରଣକାରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହେବ।
ଅନ୍ୟପକ୍ଷରେ ଗ୍ରାହକଙ୍କ ସଚେତନତା ମଧ୍ୟ ଅତ୍ୟନ୍ତ ଜରୁରୀ । ଖାଦ୍ୟ କିଣିବା ସମୟରେ ଦୋକାନର ପରିଚ୍ଛନ୍ନତା, ଖାଦ୍ୟର ତାଜାପଣ, ପ୍ୟାକେଟ୍ ଖାଦ୍ୟର ଲେବଲ୍, ଉତ୍ପାଦନ ଓ ଅବଧି ସମ୍ପର୍କରେ ଯାଞ୍ଚ କରିବା ଆବଶ୍ୟକ । ସନ୍ଦେହଜନକ ଖାଦ୍ୟ ଦେଖିଲେ ତାହା କିଣିବାରୁ ବିରତ ରହିବା ସହ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବା ଉଚିତ ବୋଲି ମତ ପ୍ରକାଶ ପାଇଛି । ସ୍ୱାଦ ପାଇଁ ସ୍ୱାସ୍ଥ୍ୟକୁ ବିପଦରେ ପକାଇବା ଉଚିତ ନୁହେଁ । ଖାଦ୍ୟରେ ଅପମିଶ୍ରଣ କେବଳ ଜଣେ ଗ୍ରାହକଙ୍କ ସମସ୍ୟା ନୁହେଁ, ଏହା ସମଗ୍ର ଜିଲାର ସ୍ୱାସ୍ଥ୍ୟ ସହ ଜଡ଼ିତ । ତେଣୁ ପ୍ରଶାସନ ପକ୍ଷରୁ ଏହା ଉପରେ କଡ଼ା କାର୍ଯ୍ୟ।ନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି