ରିଲ୍ସ ମାଧ୍ୟମରେ ମାନବିକତାର ଅଭିଯାନ: ଅନୁପମା ଡିମ୍ପଲଙ୍କ ନିଆରା ପ୍ରୟାସ
ମାଲକାନଗିରି , ୨୬ ଅଗଷ୍ଟ (ହି.ସ.) ଆପଣ ଯଦି ମାଲକାନଗିରି ଜିଲ୍ଲାର ସୋସିଆଲ ମିଡିଆ ବ୍ୟବହାରକାରୀ, ତେବେ ନିହାତି କେବେ ନା କେବେ ଆପଣଙ୍କ ମୋବାଇଲ୍ ସ୍କ୍ରିନ୍ରେ ଏଭଳି ଏକ ରିଲ୍ସ ଆସିଥିବ। ରିଲ୍ସରେ ମନୋରଞ୍ଜନ ନୁହେଁ, ଥାଏ ଜଣେ ଅସହାୟଙ୍କ ପାଇଁ ସହଯୋଗର ଆକୁଳ ନିବେଦନ। କାହାର ଚିକିତ୍ସା ପାଇଁ ଟଙ୍କା
ରିଲ୍ସ ମାଧ୍ୟମରେ ମାନବିକତାର ଅଭିଯାନ: ଅନୁପମା ଡିମ୍ପଲଙ୍କ ନିଆରା ପ୍ରୟାସ


ମାଲକାନଗିରି , ୨୬ ଅଗଷ୍ଟ (ହି.ସ.) ଆପଣ ଯଦି ମାଲକାନଗିରି ଜିଲ୍ଲାର ସୋସିଆଲ ମିଡିଆ ବ୍ୟବହାରକାରୀ, ତେବେ ନିହାତି କେବେ ନା କେବେ ଆପଣଙ୍କ ମୋବାଇଲ୍ ସ୍କ୍ରିନ୍ରେ ଏଭଳି ଏକ ରିଲ୍ସ ଆସିଥିବ। ରିଲ୍ସରେ ମନୋରଞ୍ଜନ ନୁହେଁ, ଥାଏ ଜଣେ ଅସହାୟଙ୍କ ପାଇଁ ସହଯୋଗର ଆକୁଳ ନିବେଦନ। କାହାର ଚିକିତ୍ସା ପାଇଁ ଟଙ୍କା ଦରକାର, କାହାର ଅସ୍ତ୍ରୋପଚାର ପାଇଁ ଅର୍ଥ ଅଭାବ। ଏଭଳି ଖବରକୁ ଲୋକଙ୍କ ପାଖରେ ପହଞ୍ଚାଇ ସହଯୋଗର ହାତ ବଢ଼ାଉଥିବା ଯୁବତୀ ହେଉଛନ୍ତି ବାଲିମେଳା ଅଞ୍ଚଳ ଏମଭି-୧୦୯ ଗ୍ରାମର ଅନୁପମା ଡିମ୍ପଲ।

ସୋସିଆଲ ମିଡିଆ ଆଜି କେବଳ ମନୋରଞ୍ଜନ, ଲାଇକ୍, ଭ୍ୟୁସ୍ କିମ୍ବା ରିଲ୍ସର ମଞ୍ଚ ହୋଇ ରହିନାହିଁ। ଠିକ୍ ଭାବେ ବ୍ୟବହାର କଲେ ଏହା ଜଣେ ଅସହାୟଙ୍କ ପାଇଁ ଜୀବନର ଆଶା ପାଲଟିପାରେ। ଅନୁପମା ଡିମ୍ପଲଙ୍କ କାହାଣୀ ଏହାର ଏକ ଜୀବନ୍ତ ଉଦାହରଣ। ଡିମ୍ପଲଙ୍କ ନିଜ ଜୀବନ ମଧ୍ୟ କୌଣସି ସହଜ କାହାଣୀ ନୁହେଁ। ପିଲାଦିନରେ ରୋଗରେ ବାପା ଓ ମାଆଙ୍କୁ ହରାଇବା ପରେ ଭାଇ-ଦୁଇ ଭଉଣୀ ତିନି ଜଣ ନିଜ ନିଜ ସଂଘର୍ଷ ମଧ୍ୟରେ ବଡ଼ ହୋଇଛନ୍ତି। ଜୀବନର ଅନେକ ଅଭାବ ଓ କଷ୍ଟକୁ ସାମ୍ନା କରି ବାଲିମେଳାରେ ପାଠପଢ଼ା ଶେଷ କରିଥିବା ଡିମ୍ପଲ ଏବେ ବିଶାଖାପାଟଣାରେ ରହି ଏକ ଘରୋଇ କମ୍ପାନୀରେ ଚାକିରି କରୁଛନ୍ତି।

ନିଜ ଜୀବନର ସଂଘର୍ଷ ତାଙ୍କୁ କେବଳ ଦୃଢ଼ କରିନାହିଁ, ଅନ୍ୟର କଷ୍ଟକୁ ବୁଝିବାର ମନ ମଧ୍ୟ ଦେଇଛି। ତେଣୁ କେହି ଅସହାୟ ହୋଇ ସହଯୋଗ ଲୋଡ଼ିଲେ ସେ ଚୁପ୍ ରହିପାରନ୍ତି ନାହିଁ। ସୋସିଆଲ ମିଡିଆରେ ପରିଚିତ ହେବା ପୂର୍ବରୁ ମଧ୍ୟ ସେ ନିଜ ସାମର୍ଥ୍ୟ ଅନୁଯାୟୀ ଅନେକଙ୍କୁ କ୍ୟାମେରା ପଛରେ ରହି ସହଯୋଗ କରିଆସୁଥିଲେ। କିନ୍ତୁ ନିକଟରେ ସେ କାଲିମେଳା ବ୍ଲକ ଚିତ୍ରାଙ୍ଗପାଲ୍ଲୀ ପଞ୍ଚାୟତ ଏମ ଭି ୫୪ଗ୍ରାମ ର କିଡ଼ନୀ ରୋଗୀ ମନୋରଞ୍ଜନ ଦାସ ଙ୍କ କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ଆବଶ୍ୟକ ଅର୍ଥର ପରିମାଣ ଅଧିକ ଥିବାରୁ ଏକାକୀ ସହଯୋଗ କରିବା ସମ୍ଭବ ହୋଇନଥିଲା। ସେତେବେଳେ ସେ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଏଥିପାଇଁ ବ୍ୟବହାର କରିଥିଲେ। ଭିଡିଓ ମାଧ୍ୟମରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମସ୍ୟା ଲୋକଙ୍କୁ ଜଣାଇ ସହଯୋଗ ପାଇଁ ଅପିଲ୍ କରିଥିଲେ। ଏହି ଭିଡିଓର ଉଦ୍ଦେଶ୍ୟ ଲାଇକ୍ କିମ୍ବା ଭ୍ୟୁସ୍ ସଂଗ୍ରହ କରିବା ନଥିଲା। ଆବଶ୍ୟକ ଥିଲା ଅଧିକ ଲୋକଙ୍କ ପାଖରେ ସେହି ଅସହାୟ ପରିବାରର ଆବଶ୍ୟକତା ପହଞ୍ଚାଇବା। ସୋସିଆଲ ମିଡିଆର ବ୍ୟାପକ ପହଞ୍ଚ ଯୋଗୁଁ ଅଧିକ ଲୋକ ଏହି ଆହ୍ୱାନ ଦେଖିବେ ଏବଂ ନିଜ ସାମର୍ଥ୍ୟ ଅନୁଯାୟୀ ସହଯୋଗ କରିବେ—ଏହା ହିଁ ଥିଲା ତାଙ୍କ ଉଦ୍ଦେଶ୍ୟ।

କେବଳ ଭିଡିଓ ପୋଷ୍ଟ କରି ଡିମ୍ପଲ ନିଜ ଦାୟିତ୍ୱ ଶେଷ କରିନଥିଲେ। ଏକ ବକ୍ସ ନେଇ ବିଭିନ୍ନ ଗାଁ ଓ ଅଞ୍ଚଳକୁ ଯାଇ ଘରଘରୁ ସହଯୋଗ ସଂଗ୍ରହ କରିଥିଲେ। ଜଣେ ଯୁବତୀ ଭାବେ ଏଭଳି ଭାବରେ ଲୋକଙ୍କ ପାଖକୁ ଯାଇ ସହଯୋଗ ମାଗିବା ସହଜ ନୁହେଁ। ତଥାପି ଉଦ୍ଦେଶ୍ୟ ଆଗରେ ନିଜ ଅସୁବିଧାକୁ ସେ ପଛକୁ ରଖିଥିଲେ। ଏହି ପ୍ରୟାସ ପାଇଁ ତାଙ୍କୁ ପ୍ରଶଂସା ମିଳିବା ସହ ସମାଲୋଚନା ମଧ୍ୟ ସାମ୍ନା କରିବାକୁ ପଡ଼ିଛି। ସୋସିଆଲ ମିଡିଆରେ ରିଲ୍ସ କରୁଥିବା ନେଇ କେତେକ ଲୋକ ତାଙ୍କୁ ବଦନାମ ମଧ୍ୟ କରନ୍ତି। ହେଲେ ଏସବୁ ତାଙ୍କୁ ଅଟକାଇ ପାରିନାହିଁ। ଡିମ୍ପଲଙ୍କ କଥାରେ, “ସଂଘର୍ଷ ଓ କଷ୍ଟ ମୋତେ ବଡ଼ କରିଛି, ମଣିଷ କରିଛି। ତେଣୁ କାହାର କଷ୍ଟ ଦେଖିଲେ ମୋତେ ଦୁଃଖ ଲାଗେ। ମୋତେ ଲୋକେ ରିଲ୍ସ କରୁଛି ବୋଲି ବଦନାମ କରନ୍ତି। କିନ୍ତୁ ମୁଁ ସେସବୁକୁ ଖାତିର କରେନି। ଲୋକଙ୍କ ପାଇଁ କିଛି କରୁଥିଲେ ବଦନାମ ସହିବାକୁ ପଡ଼ିଲେ ମଧ୍ୟ ଏଥିରେ ମୋର ଖୁସି ଅଛି।” ସେ ଆହୁରି କହନ୍ତି, ମୋତେ ଦେଖି କିମ୍ବା ମୋ ପରେ ଯଦି ଆଉ କେହି ଅସହାୟଙ୍କ ପାଇଁ ଭିଡିଓ କରି ସହଯୋଗ ଆହ୍ୱାନ କରୁଛନ୍ତି, ତେବେ ତାହା ମୋ ପାଇଁ ବହୁତ ବଡ଼ ଖୁସିର କଥା। ଏଭଳି କାମ କରୁଥିବା ପ୍ରତ୍ୟେକ ଲୋକଙ୍କୁ ମୁଁ ଧନ୍ୟବାଦ ଦେଉଛି।

ମାଲକାନଗିରି ଭଳି ଦୁର୍ଗମ ଜିଲ୍ଲାରେ ଗୁରୁତର ରୋଗ କିମ୍ବା ବଡ଼ ଅସ୍ତ୍ରୋପଚାର ସମୟରେ ଅର୍ଥାଭାବ ଅନେକ ପରିବାର ପାଇଁ ବଡ଼ ସମସ୍ୟା ହୋଇଥାଏ। ଏଭଳି ସମୟରେ ସୋସିଆଲ ମିଡିଆର ପହଞ୍ଚକୁ ସହାୟତାର ମାଧ୍ୟମ କରିବା ନିଶ୍ଚିତ ଭାବେ ଏକ ସକାରାତ୍ମକ ପଦକ୍ଷେପ। ଜଣେ ବ୍ୟକ୍ତିର ପ୍ରୟାସ ଯେତେବେଳେ ଅନ୍ୟ ଜଣଙ୍କୁ ପ୍ରେରଣା ଦିଏ, ସେତେବେଳେ ତାହା ଏକ ବ୍ୟକ୍ତିଗତ ପ୍ରୟାସ ନ ରହି ସାମାଜିକ ଅଭିଯାନର ରୂପ ନିଏ।

ରିଲ୍ସରେ କିଛି ସେକେଣ୍ଡର ଭିଡିଓ ହୁଏତ ଲୋକଙ୍କୁ ମନୋରଞ୍ଜନ ଦେଇପାରେ; କିନ୍ତୁ ସେହି ରିଲ୍ସ ଯଦି ଜଣେ ଅସହାୟଙ୍କ ଚିକିତ୍ସା ପାଇଁ ସହାୟତାର ଆହ୍ୱାନ ହୋଇ ଶତାଧିକ ଲୋକଙ୍କ ପାଖରେ ପହଞ୍ଚେ, ତେବେ ତାହାର ମୂଲ୍ୟ ଅନ୍ୟ ରକମ। ନିଜ ଜୀବନର କଷ୍ଟକୁ ନିଜ ଭିତରେ ରଖି ନଥାଇ, ଅନ୍ୟର କଷ୍ଟକୁ ନିଜର କଷ୍ଟ ଭାବି ଆଗକୁ ବଢ଼ୁଥିବା ଅନୁପମା ଡିମ୍ପଲଙ୍କ ଏହି ପ୍ରୟାସ ସେହି ମାନବିକତାର ଏକ ନିଆରା ଚିତ୍ର।

ନାମ ପାଇଁ ନୁହେଁ, ମଣିଷ ପାଇଁ—ବଦନାମକୁ ପଛରେ ପକାଇ ଅନ୍ୟର ଜୀବନରେ ସହାୟତାର ଆଶା ଜାଗାଇବା ହିଁ ଡିମ୍ପଲଙ୍କ ଲକ୍ଷ୍ୟ।ବର୍ତମାନ ମନୋରଞ୍ଜନ ଦାସ ଙ୍କ କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ ମେଡିକଭର ହସ୍ପିଟାଲ ରେ ହେଉଛି!

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande