
ନୂଆଦିଲ୍ଲୀ, ୨୬ ଅଗଷ୍ଟ (ହି.ସ.)- ଭାରତ ଏବଂ ସେଶେଲ୍ସ ମତ୍ସ୍ୟ, ଜଳଚାଷ ଏବଂ ବ୍ଲୁ ଇକୋନୋମି କ୍ଷେତ୍ରରେ ରଣନୈତିକ ସହଯୋଗକୁ ସୁଦୃଢ଼ କରିବା ପାଇଁ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ସଚିବ ଡ. ଅଭିଲକ୍ଷ ଲିଖି କରିଥିବାବେଳେ, ସେଶେଲ୍ସ ପକ୍ଷରୁ ମତ୍ସ୍ୟ, କୃଷି ଏବଂ ବ୍ଲୁ ଇକୋନୋମି ମନ୍ତ୍ରୀ ୱାଲେସ୍ କସଗ୍ରୋ ପ୍ରତିନିଧିତ୍ୱ କରିଥିଲେ।
କେନ୍ଦ୍ରୀୟ ମତ୍ସ୍ୟ ପାଳନ, ପଶୁପାଳନ ଏବଂ ଡେୟାରୀ ମନ୍ତ୍ରଣାଳୟ ଅନୁଯାୟୀ ମଙ୍ଗଳବାର ହୋଇଥିବା ବୈଠକରେ ଉଭୟ ପକ୍ଷ ବର୍ତମାନର ଢାଂଚାର ସମୀକ୍ଷା କରିଥିଲେ, ନୂତନ ସହଯୋଗୀ ସୁଯୋଗ ଉପରେ ଆଲୋଚନା କରିଥିଲେ ଏବଂ ସାମୁଦ୍ରିକ ସମ୍ପଦର ସ୍ଥାୟୀ ବ୍ୟବହାର ପାଇଁ ଏକ ଦୃଢ଼ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ସହମତ ହୋଇଥିଲେ। ଭାରତୀୟ ନେତୃତ୍ୱ ସେଶେଲ୍ସ ପ୍ରତିନିଧିମଣ୍ଡଳକୁ ସ୍ୱାଗତ କରି କହିଥିଲେ ଯେ ଉଭୟ ଦେଶ ମଧ୍ୟରେ ଗଭୀର ସାମୁଦ୍ରିକ ଭାଗିଦାରୀ ରହିଛି ଏବଂ ଭାରତ ମତ୍ସ୍ୟ, ଜଳଚାଷ, ବୈଜ୍ଞାନିକ ଗବେଷଣା ଏବଂ କ୍ଷମତା ନିର୍ମାଣରେ ବୈଷୟିକ ସହଯୋଗ ବଢ଼ାଇବା ପାଇଁ ପ୍ରତିବଦ୍ଧ।
ଆଲୋଚନା ସମୟରେ ଉଭୟ ପକ୍ଷ ମତ୍ସ୍ୟ କ୍ଷେତ୍ର ଏବଂ ବ୍ଲୁ ଇକୋନୋମିକୁ ଆର୍ôଥକ ବିକାଶ, ଗ୍ରାମୀଣ ନିଯୁକ୍ତି ଏବଂ ସ୍ଥାୟୀ ବିକାଶର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ବୋଲି କହିଥିଲେ। ଭାରତୀୟ ପ୍ରତିନିଧିମଣ୍ଡଳ କହିଥିଲା ଯେ ଦେଶର ବାର୍ଷିକ ମତ୍ସ୍ୟ ଉତ୍ପାଦନ ୧.୯୭ କୋଟି ଟନ୍ରେ ପହଂଚିଛି ଏବଂ ସାମୁଦ୍ରିକ ଉତ୍ପାଦର ରପ୍ତାନି ୮.୪୬ ବିଲିୟନ ଆମେରିକୀୟ ଡଲାର ରହିଛି। ଭାରତ ସ୍ଥାୟୀ ମତ୍ସ୍ୟ ପରିଚାଳନା, ଦାୟିତ୍ୱପୂର୍ଣ୍ଣ ଦୋହନ ଏବଂ ପ୍ରଯୁକ୍ତି ଆଧାରିତ ଢାଂଚାର ବିକାଶ ପାଇଁ ନିଜର ପଦକ୍ଷେପ ସେୟାର କରିଥିଲା।
ବୈଠକରେ ସାମୁଦ୍ରିକ ଜଳଚାଷ, ଆଧୁନିକ ହ୍ୟାଚେରୀ, ଟୁନା ମତ୍ସ୍ୟ ଅନୁକୂଳନ, ଷ୍ଟକ୍ ଆକଳନ, ଉନ୍ନତ ପୋଷ୍ଟ ହାର୍ଭେଷ୍ଟ ଇଞ୍ଜିନିୟରିଂ ଏବଂ ସାମୁଦ୍ରିକ ସଂରକ୍ଷଣ ଭଳି କ୍ଷେତ୍ରରେ ମିଳିତ ବିକାଶର ସମ୍ଭାବନା ଉପରେ ଆଲୋଚନା ହୋଇଥିଲା। ଉଭୟ ଦେଶ ମତ୍ସ୍ୟ ତଥ୍ୟ ପ୍ରଣାଳୀ, ନିରୀକ୍ଷଣ ଏବଂ କୃତ୍ରିମ ବୁଦ୍ଧିମତା ଆଧାରିତ ପରିଚାଳନାରେ ଭାଗିଦାରୀର ସମ୍ଭାବନା ଖୋଜିଥିଲେ। ଟୁନା ପ୍ରସ୍ତୁତିକରଣ, ଉତ୍ପାଦ ବିବିଧୀକରଣ ଏବଂ ସ୍ଥାୟୀ ବର୍ଜ୍ୟ ପରିଚାଳନା ଉପରେ ମଧ୍ୟ ଜୋର ଦିଆଯାଇଥିଲା।
-----------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ