
ବିଜୟପୁର, ୨୬ ଅଗଷ୍ଟ (ହି.ସ.) : କର୍ଣ୍ଣାଟକର ବିଜୟପୁରା ଜିଲ୍ଲା ଆଦର୍ଶନଗର ଥାନା ଅଧୀନ ଭୂତନାଳ ହ୍ରଦରୁ ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ତାଙ୍କର ୫ ଜଣ ଶିଶୁ ଥିବା ଜଣାପଡ଼ିଛି।
ମୃତକମାନେ ହେଲେ ତୋରଭି ଶାନ୍ତିନଗର ଅଞ୍ଚଳର ମଲ୍ଲିକାର୍ଜୁନ ଜାଲଗେରୀଙ୍କ ପତ୍ନୀ ଶୋଭା (୩୫) ଏବଂ ତାଙ୍କ ୫ ସନ୍ତାନ ବିଦ୍ୟା (୧୫), ସୁବର୍ଣ୍ଣା (୧୩), ଟିପ୍ପରାୟ (୧୨), ସାନିକା (୧୦) ଓ ବିକାଶ (୬)।
ପୁଲିସର ସୂଚନା ଅନୁଯାୟୀ, ଅଗଷ୍ଟ ୨୪ ତାରିଖରେ ଶୋଭା ଓ ତାଙ୍କ ପିଲାମାନେ ନିଖୋଜ ଥିବା ନେଇ ବିଜୟପୁର ଗ୍ରାମୀଣ ଥାନାରେ ଅଭିଯୋଗ ହୋଇଥିଲା। ପାରିବାରିକ ବିବାଦକୁ ନେଇ ଶୋଭା ପିଲାମାନଙ୍କୁ ସାଙ୍ଗରେ ନେଇ ଘରୁ ଚାଲିଯାଇଥିବା ମଲ୍ଲିକାର୍ଜୁନ ଅଭିଯୋଗରେ ଦର୍ଶାଇଥିଲେ।
ଏହାପରେ ପୁଲିସ ନିଖୋଜ ମା’ ଓ ପିଲାମାନଙ୍କୁ ଖୋଜାଖୋଜି କରୁଥିଲା। ତଦନ୍ତ ବେଳେ ଭୂତନାଳ ହ୍ରଦରୁ ସମସ୍ତ ୬ ଜଣଙ୍କ ମୃତଦେହ ମିଳିଥିଲା। ପୁଲିସ ମୃତଦେହଗୁଡ଼ିକୁ ଉଦ୍ଧାର କରି ବିଜୟପୁରର ବିଏଲ୍ଡିଇ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ବିଜୟପୁରା ପୁଲିସ ଅଧୀକ୍ଷକ ଲକ୍ଷ୍ମଣ ନିମ୍ବରଗୀ କହିଛନ୍ତି ଯେ, ପରିବାରର ସଦସ୍ୟମାନେ କିପରି ହ୍ରଦ ନିକଟରେ ପହଞ୍ଚିଲେ, ଘଟଣା କେଉଁ ପରିସ୍ଥିତିରେ ଘଟିଲା ଏବଂ ମୃତ୍ୟୁର ପ୍ରକୃତ କାରଣ କ’ଣ, ସେନେଇ ତଦନ୍ତ ଜାରି ରହିଛି।
--------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ