
ମୁମ୍ବାଇ, ୨୬ ଅଗଷ୍ଟ(ହି.ସ.) – ରାଜସ୍ୱ ଇଂଟେଲିଜେନ୍ସ ନିର୍ଦ୍ଦେଶାଳୟ(ଡିଆର୍ଆଇ)ର ଏକ ଟିମ୍ ପୁଣେ ରେଳ ଜଙ୍କସନରେ ପ୍ରାୟ ୩.୪୧ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ସହିତ ଜଣେ ଭାରତୀୟ ମହିଳା ଯାତ୍ରୀଙ୍କୁ ଗିରଫ କରିଛି। ଡିଆଅର୍ାଇ ଟିମ୍ ଏହି ମାମଲାର ବିସ୍ତୃତ ତଦନ୍ତ କରୁଛି।
ବୁଧବାର ଦିନ ଡିଆର୍ଆଇ ଅଧିକାରୀ କହିଛନ୍ତି ଯେ ଦିଲ୍ଲୀର ନିଜାମୁଦ୍ଦିନ ରେଳ ଷ୍ଟେସନରୁ ଆସୁଥିବା ଏକ ଟ୍ରେନରେ ମହିଳା ଡ୍ରଗ୍ସ ମାଲ ସହିତ ଆସୁଛନ୍ତି ବୋଲି ଏକ ଗୁପ୍ତ ସୂଚନା ମିଳିଥିଲା। ଏହାକୁ ଆଧାର କରି ଡିଆଅର୍ାଇ ଟିମ୍ ପୁଣେ ଷ୍ଟେସନରେ ନଜର ରଖିଥିଲେ।
ମଙ୍ଗଳବାର ଦିନ, ଦିଲ୍ଲୀରୁ ଆସୁଥିବା ଟ୍ରେନ୍ ପୁଣେ ଷ୍ଟେସନରେ ଅଟକିବା ପରେ, ଡିଆର୍ଆଇ ଦଳ ସମ୍ପୃକ୍ତ ମହିଳାଙ୍କ ଲଗେଜ୍ ଯାଂଚ କରିଥିଲେ। ୨,୫୩୨ ଗ୍ରାମ ଧଳା/ହଳଦିଆ ସ୍ଫଟିକାକାର ପଦାର୍ଥ, ଯାହା ଆମ୍ଫେଟାମାଇନ୍ ବୋଲି ସନ୍ଦେହ କରାଯାଉଛି, ମହିଳାଙ୍କ ଲଗେଜ୍ ଭିତରୁ ମିଳିଥିଲା। ଏହାବ୍ୟତୀତ, ବିଭିନ୍ନ ରଙ୍ଗର ୮୭୮ ଗ୍ରାମ ଟାବଲେଟ୍ ଉଦ୍ଧାର କରାଯାଇଛି, ଯାହା ଏମ୍ଡିଏମ୍ଏ ବୋଲି ସନ୍ଦେହ କରାଯାଉଛି। ଏହି ସମସ୍ତ ନିଶାଦ୍ରବ୍ୟ ଡିଆର୍ଆଇ ଦଳ ଦ୍ୱାରା ଜବତ କରାଯାଇଥିଲା।
ଜବତ ହୋଇଥିବା ନିଷିଦ୍ଧ ସାମଗ୍ରୀର ମୂଲ୍ୟ ପାଖାପାଖି ୩.୪୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଉଦ୍ଧାର ପରେ ମହିଳାଙ୍କୁ ଗିରଫ କରାଯାଇଥିଲା। ଏଜେନ୍ସି ଏହି ପଦାର୍ଥଗୁଡ଼ିକର ଉତ୍ସ ଏବଂ ଗନ୍ତବ୍ୟ ସ୍ଥଳ ଖୋଜିବା ସହିତ ଏହି କଥିତ ଚୋରା ନେଟୱାର୍କ ସହିତ ଜଡ଼ିତ ଅନ୍ୟମାନଙ୍କୁ ଖୋଜିବା ପାଇଁ ଅନୁସନ୍ଧାନ କରୁଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି