
ନୂଆଦିଲ୍ଲୀ, ୨୭ ଅଗଷ୍ଟ (ହି.ସ.)- କେନ୍ଦ୍ର ସରକାର ସାମୁଦ୍ରିକ ମତ୍ସ୍ୟ ସମ୍ପଦକୁ ଜାତୀୟ ହିସାବ ଢାଂଚାରେ ସାମିଲ କରିବା ପାଇଁ ସେଗୁଡ଼ିକର ମୁଦ୍ରା ସମ୍ପତି ହିସାବ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହା ଅଧୀନରେ ମତ୍ସ୍ୟ ସମ୍ପଦର ଭୌତିକ ସ୍ଥିତି, ସମ୍ପତିର ଆୟୁ, କ୍ଷୟ, ପୁନର୍ଜନନ ଏବଂ ମୁଦ୍ରା ମୂଲ୍ୟାଙ୍କନକୁ ଏକୀକୃତ ଢାଂଚାରେ ଆଣିବା ପାଇଁ ପଦକ୍ଷେପ ନିଆଯାଇଛି।
କେନ୍ଦ୍ରୀୟ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କ୍ରିୟାନ୍ୱୟନ ମନ୍ତ୍ରଣାଳୟ ଏ ସମ୍ପର୍କରେ ଏକ ଧାରଣା ପତ୍ର ଜାରି କରିଛି। ଏହି ପତ୍ରରେ କୁହାଯାଇଛି ଯେ ଏବେ ସାମୁଦ୍ରିକ ମତ୍ସ୍ୟ ସମ୍ପଦକୁ ଜୈବିକ ସମ୍ପଦ ଏବଂ ଆର୍ôଥକ ସମ୍ପତି ଉଭୟ ରୂପରେ ସ୍ୱୀକୃତି ଦିଆଯିବ। ମନ୍ତ୍ରଣାଳୟ ପର୍ଯ୍ୟାୟକ୍ରମେ ହିସାବ ପ୍ରକ୍ରିୟା ଉପସ୍ଥାପନ କରିଛି, ଯେଉଁଥିରେ ଉପଲବ୍ଧ ତଥ୍ୟର ବ୍ୟବହାର କରି ସମ୍ପଦର ସମ୍ପତିରେ ପରିବର୍ତନକୁ ବୁଝିବା ଏବଂ ସତତ ପରିଚାଳନା ପାଇଁ ପରିସଂଖ୍ୟାନର ଉପଯୋଗିତା ବଢ଼ାଇବା ଉପରେ ଜୋର ଦିଆଯାଇଛି।
ପତ୍ରରେ କୁହାଯାଇଛି ଯେ ଏହି ପଦ୍ଧତି ଏବେ ପରୀକ୍ଷାମୂଳକ ଏବଂ ବର୍ତମାନର ତଥ୍ୟ ସୀମାବଦ୍ଧତା କାରଣରୁ ପ୍ରକ୍ସି ଦୃଷ୍ଟିକୋଣ ଉପରେ ଆଧାରିତ। ଏହା ସତ୍ୱେ ସରକାର ସମ୍ପଦର ଦୀର୍ଘକାଳୀନ ଉତ୍ପାଦନ କ୍ଷମତା ଏବଂ ମୂଲ୍ୟାଙ୍କନକୁ ବ୍ୟବସ୍ଥିତ ଭାବେ ଆକଳନ କରିବା ଦିଗରେ କାମ ଆରମ୍ଭ କରିଛନ୍ତି।
କେନ୍ଦ୍ର ସରକାର ବିଶେଷଜ୍ଞ, ଗବେଷକ, ସରକାରୀ ଏଜେନ୍ସି ଏବଂ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକଠାରୁ ପରାମର୍ଶ ଏବଂ ମତାମତ ମାଗିଛନ୍ତି ଯାହାଦ୍ୱାରା ଏହି ପଦ୍ଧତିକୁ ମାନକୀକୃତ ରୂପ ଦିଆଯାଇପାରିବ। ପ୍ରାପ୍ତ ପ୍ରତିକ୍ରିୟାଗୁଡ଼ିକ ଭାରତର ଜାତୀୟ ହିସାବ ଢାଂଚାରେ ମତ୍ସ୍ୟ ସମ୍ପଦର ମୁଦ୍ରା ମୂଲ୍ୟାଙ୍କନକୁ ଚୂଡ଼ାନ୍ତ ରୂପ ଦେବାରେ ସହାୟତା କରିବ।
ଏହି ପଦକ୍ଷେପ ଦ୍ୱାରା ଭାରତ ପ୍ରାକୃତିକ ପୁଞ୍ଜି ହିସାବ କ୍ଷେତ୍ରରେ ଉଦୀୟମାନ ଅର୍ଥନୀତିଗୁଡ଼ିକ ମଧ୍ୟରେ ଅଗ୍ରଣୀ ଭୂମିକା ନେଇପାରିବ ଏବଂ ମତ୍ସ୍ୟ ସମ୍ପଦର ସଂରକ୍ଷଣ ଓ ସତତ ବ୍ୟବହାର ପାଇଁ ତଥ୍ୟ ଆଧାରିତ ନୀତି ପ୍ରସ୍ତୁତ କରିବାରେ ସକ୍ଷମ ହେବ।
---------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ