



ବଲାଙ୍ଗିର, ୩୦ ଅଗଷ୍ଟ (ହି.ସ.)- ଗଣତନ୍ତ୍ର ରାଷ୍ଟ୍ରରେ ଗଣମାଧ୍ୟମର ଭୂମିକା ବେଶ ଗୁରୁତ୍ୱପୂର୍ଣ ରହିଛି l ଦେଶକୁ ସମୃଦ୍ଧ ତଥା ପ୍ରଗତିଶୀଳ କରାଇବାରେ ଗଣମାଧ୍ୟମ ନିଜକୁ ଉତ୍ସର୍ଗୀକୃତ ଭାବରେ ରଖି ସର୍ବଦା ସାଲିସବିହୀନ ସେବା ଭାବରେ ନିଜ ଦାୟିତ୍ୱ ବହନ କରି ଆସୁଛି l ଜନମଙ୍ଗଳ ରାଷ୍ଟ୍ରରେ ତିନୋଟି ସ୍ତମ୍ଭ ବେତନଭୋଗୀ ରହିଥିବା ବେଳେ ଏକ ନିର୍ଦ୍ଦିଷ୍ଟ ସମୟସୀମା ପରେ ପେନସନ ପାଉଥିବା ବେଳେ ଉଭୟ ତିନୋଟି ସ୍ତମ୍ଭକୁ ପରୋକ୍ଷ ତଥା ପ୍ରତ୍ୟକ୍ଷ ଭାବରେ ସଂଗଠିତ କରୁଥିବା, ସମନ୍ଵୟ ରଖି କାର୍ଯ୍ୟ କରୁଥିବା ତଥା ସେମାନଙ୍କର ସାଧାରଣ ଜନତାଙ୍କ ପ୍ରତି ରହିଥିବା ଉତ୍ତରଦାୟିତ୍ୱବୋଧକୁ ଜାଗ୍ରତ କରୁଥିବା ଗଣମାଧ୍ୟମ ଆଜି ଅବହେଳିତ ଅବସ୍ଥାରେ ରହିଛି l ନା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବେତନ ମିଳୁଛି ଆଉ ନା ପେନସନ ବ୍ୟବସ୍ଥା ରହିଛି l ସାଧାରଣ ସୁରକ୍ଷା ବ୍ୟବସ୍ଥା ବି ନାହିଁ l ଏଣୁ ଆଜି ସମାଜର ଆଇନା ସାଜି ସମସ୍ତ ପରିସ୍ଥିତିରେ ଖରା, ବର୍ଷା, ଶୀତ ସହିତ ଝଡ଼ ଝଞ୍ଜାକୁ ସାମ୍ନା କରି ଅହରହ ପରିଶ୍ରମ କରି ଖବର ସଂଗ୍ରହ କରିଆସୁଥିବା ସାମ୍ବାଦିକଟିଏ ଦିନ ମଜୁରିଆ ଠୁ ବି ଆହୁରି ନିମ୍ନଗାମୀ ହେବାରେ ଲାଗିଛି l ଯାହାକୁ ନେଇ ବକ୍ତା ମାନେ ରବିବାର ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘର ୬୫ ତମ ପ୍ରତିଷ୍ଠା ଦିବସରେ ପ୍ରକାଶ କରିବା ସହିତ ତୀବ୍ର ଉଦବେଗ ପ୍ରକାଶ କରିଛନ୍ତି l
ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ରବି ଦାଶ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ବର୍ତମାନ ପରିସ୍ଥିତିରେ ଗଣମାଧ୍ୟମ ପ୍ରତିନିଧି ମାନେ ଅବହେଳିତ ଅବସ୍ଥାରେ ରହିଥିବା ବେଳେ କୌଣସି ସରକାର ସାମ୍ବାଦିକ ମାନଙ୍କ ପାଇଁ ବିଧି ବ୍ୟବସ୍ଥା, ସୁରକ୍ଷା, ପେନସନ, ବେତନ ଉପରେ ପଦକ୍ଷେପ ନ ନେବା ଆହୁରି ଦୁଃଖଦାୟକ ବୋଲି କହିଛନ୍ତି l ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସାମ୍ବାଦିକ ମାନଙ୍କ ପାଇଁ ରହିଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମାକୁ ୫ ଲକ୍ଷ ପରିବର୍ତ୍ତେ ୧୦ ଲକ୍ଷକୁ ବୃଦ୍ଧି କରିବା ସହିତ ସୁରକ୍ଷା ବ୍ୟବସ୍ଥା ଏବଂ ପେନସନ ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବୀ କରିଥିଲେ l
ଏହି ଅବସରରେ ଆୟୋଜିତ ଏକ ଭବ୍ୟ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସରକାର ଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଯୋଗଦେଇ ସାମ୍ବାଦିକ ମାନଙ୍କ ସମସ୍ତ ସମସ୍ୟା ଏବଂ ଏହାର ନିରାକରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ଏବଂ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଉପସ୍ଥିତ ବଲାଙ୍ଗୀର ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆଶ୍ୱାସନା ଦେଇଛନ୍ତି l
ଅନ୍ୟ ମାନଙ୍କ ମଧ୍ୟରେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌରପରିଷଦ ଅଧ୍ୟକ୍ଷା ଲିକା ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସଭାକୁ ବରିଷ୍ଠ ସାମ୍ବାଦିକ ଆନନ୍ଦ ଚରଣ ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଜିଲ୍ଲା ସଭାପତି ଶିବ ପ୍ରସାଦ ପରିଡା, ସମ୍ପାଦକ ଶିଶିରକାନ୍ତ ଶତପଥୀ ପ୍ରମୁଖ ମଂଚାସୀନ ଥିଲେ l
ଏହା ପୂର୍ବରୁ ଜିଲ୍ଲା ସାମ୍ବାଦିକ ସଂଘ କାର୍ଯ୍ୟାଳୟ ପରିସରରେ ସାମ୍ବାଦିକ ଗୋପବନ୍ଧୁ ଶତପଥି ଧ୍ୱଜାବତୋରଣ କରିଥିଲେ l ଏହି ଅବସରରେ ଜିଲ୍ଲାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ନାରାୟଣ ପୃସେଠ ସ୍ମୃତି ସମ୍ମାନ ମୁକେଶ ବହିଦାର, ସପନ ବହିଦାର ସ୍ମୃତି ସମ୍ମାନ ଅଭିଳାଷ ହୋତା, ଶଙ୍କର ପ୍ରସାଦ ସ୍ମୃତି ସମ୍ମାନ ଦୀପକ ପୁରୋହିତ, ସତ୍ୟନାରାୟଣ ବେହେରା ସ୍ମୃତି ସମ୍ମାନ ଅନୀଳ ତ୍ରିପାଠୀ, ବାଳକୃଷ୍ଣ ହୋତା ସ୍ମୃତି ସମ୍ମାନ ସୁବ୍ରତ ନାଏକ, ହୃଦାନନ୍ଦ ନନ୍ଦ ସ୍ମୃତି ସମ୍ମାନରେ ଦୀପକ କୁମାର ଦାସ ଯାଦବଙ୍କୁ ସମ୍ମାନିତ କରାଯାଇଥିଲା l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ