
ମାତୃ ଓ ଶିଶୁ ପୁଷ୍ଟି ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ; ୧୮ ଜିଲ୍ଲାର ୨୩,୦୮୮ ଅଙ୍ଗନବାଡ଼ି କେନ୍ଦ୍ର ସାମିଲ
ଭୁବନେଶ୍ଵର , 30 ଅଗଷ୍ଟ (ହି.ସ.)ରାଜ୍ୟରେ ପୁଷ୍ଟିହୀନତା ଦୂରୀକରଣ ସହ ମାତୃ ଓ ଶିଶୁ ପୁଷ୍ଟିରେ ଉନ୍ନତି ଆଣିବା ପାଇଁ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’କୁ ମିଶନ୍-ମୋଡ୍ରେ କାର୍ଯ୍ୟକାରୀ କରାଯିବ। ଏ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ‘ଓଡ଼ିଶା ପୁଷ୍ଟି ମିଶନ’ର କାର୍ଯ୍ୟାନ୍ୱୟନ ଓ ରଣନୀତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।
ବୈଠକରେ ରାଜ୍ୟରେ ପୁଷ୍ଟିହୀନତା ଦୂରୀକରଣ, ଡିଜିଟାଲ ନିରୀକ୍ଷଣ ମାଧ୍ୟମରେ ସେବା ପ୍ରଦାନକୁ ସୁଦୃଢ଼ କରିବା ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ‘ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା’ ଅଧୀନରେ ଅସମ୍ପୂର୍ଣ୍ଣ କୋଠା ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ସହ ଆବଶ୍ୟକ ସ୍ଥାନରେ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରି ଶିଶୁମାନଙ୍କ ପାଇଁ ସୁରକ୍ଷିତ ଓ ଶିଶୁ-ଅନୁକୂଳ ପରିବେଶ ସୃଷ୍ଟି ଉପରେ ଆଲୋଚନା ହୋଇଥିଲା।
‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ଅଧୀନରେ ପୁଷ୍ଟିହୀନତା ଅଧିକ ଥିବା ୧୮ଟି ଜିଲ୍ଲାକୁ ବିଶେଷ ଭାବେ ଚିହ୍ନଟ କରାଯାଇଛି। ଏହି ଜିଲ୍ଲାଗୁଡ଼ିକର ୧୦୦ଟି ଆଇସିଡିଏସ୍ ପ୍ରକଳ୍ପ ଅଧୀନରେ ଥିବା ୨୨,୭୦୭ଟି ଅଙ୍ଗନବାଡ଼ି କେନ୍ଦ୍ର ସହ ପୁଷ୍ଟି ସୂଚକାଙ୍କ ଆଧାରରେ ଦୁର୍ବଳ ପ୍ରଦର୍ଶନ କରୁଥିବା ୨୨୨ଟି ଅଙ୍ଗନବାଡ଼ି କେନ୍ଦ୍ର ଏବଂ ମାଓପ୍ରଭାବିତ ଅଞ୍ଚଳର ୧୫୯ଟି ‘ଗ୍ରାମୋଦୟ’ ଅଙ୍ଗନବାଡ଼ି କେନ୍ଦ୍ରକୁ ମିଶାଇ ମୋଟ ୨୩,୦୮୮ଟି କେନ୍ଦ୍ରକୁ ଏହି ମିଶନରେ ସାମିଲ କରାଯାଇଛି।
ଅନୁଗୁଳ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାକୁ ଏଥିପାଇଁ ଚିହ୍ନଟ କରାଯାଇଛି। ଏଥିରେ ନୀତି ଆୟୋଗ ଚିହ୍ନଟ କରିଥିବା ୯ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟ ଅନ୍ତର୍ଭୁକ୍ତ ରହିଛି।
ପୁଷ୍ଟିହୀନତାର ଶୀଘ୍ର ଚିହ୍ନଟ ଓ ଉପଯୁକ୍ତ ହସ୍ତକ୍ଷେପ ପାଇଁ ମିଶନରେ ୯ଟି ରଣନୀତିକ ସ୍ତମ୍ଭ ଉପରେ କାର୍ଯ୍ୟ କରାଯିବ। ଏଥିରେ ଶୀଘ୍ର ଚିହ୍ନଟ, ସହାୟତା, ଶିକ୍ଷା, ପୁଷ୍ଟିବର୍ଦ୍ଧନ, ପୁଷ୍ଟିକର ଖାଦ୍ୟ, ବ୍ୟବହାରିକ ସଚେତନତା, ବିଶ୍ଳେଷଣ, ମୂଲ୍ୟାଙ୍କନ ଓ ଉନ୍ନତିକୁ ସାମିଲ କରାଯାଇଛି।
ପୋଷଣ ଟ୍ରାକର ମାଧ୍ୟମରେ ଶିଶୁମାନଙ୍କ ପୁଷ୍ଟି ସ୍ଥିତିର ନିୟମିତ ଚିହ୍ନଟ ସହ ଡିଜିଟାଲ ଓ ତଥ୍ୟଭିତ୍ତିକ ନିରୀକ୍ଷଣକୁ ସୁଦୃଢ଼ କରାଯିବ। ଶିଶୁଙ୍କ ଜୀବନର ପ୍ରଥମ ୧,୦୦୦ ଦିନ, କମ୍ ଓଜନର ନବଜାତକ ଏବଂ ଶିଶୁ ପୁଷ୍ଟି ଉପରେ ବିଶେଷ ଗୁରୁତ୍ୱ ରହିବ।
‘ସୁପୋଷିତ ଓଡ଼ିଶା ମିଶନ’ ମାଧ୍ୟମରେ ଅଙ୍ଗନବାଡ଼ି ସ୍ତରରେ ଗୁରୁତର କମ୍ ଓଜନ ଓ କ୍ଷୀଣତାର ଶିକାର ଶିଶୁଙ୍କ ସଂଖ୍ୟାକୁ ଶୂନ୍ୟ କରିବା ଲକ୍ଷ୍ୟ ରଖାଯାଇଛି। ଗର୍ଭବତୀ ଓ ପ୍ରସୂତି ମା’ ଏବଂ କିଶୋରୀମାନଙ୍କ ପାଇଁ ଅତିରିକ୍ତ ପୁଷ୍ଟିକର ଖାଦ୍ୟ ସହ ଗୁରୁତର ପୁଷ୍ଟିହୀନ ଶିଶୁଙ୍କ ପାଇଁ ବିଶେଷ ପୁଷ୍ଟି ସହାୟତା ବ୍ୟବସ୍ଥା କରାଯିବ।
ପୁଷ୍ଟିକର ଖାଦ୍ୟ ଯୋଗାଣ, ମାଇକ୍ରୋନ୍ୟୁଟ୍ରିଏଣ୍ଟ୍ ଅଭାବ ପୂରଣ, ଖାଦ୍ୟ ସୁଦୃଢ଼ୀକରଣ, ପୁଷ୍ଟି ସଚେତନତା ଓ ସମୁଦାୟର ଅଂଶଗ୍ରହଣ ଉପରେ ମଧ୍ୟ ମିଶନରେ ଗୁରୁତ୍ୱ ଦିଆଯିବ। କାର୍ଯ୍ୟକ୍ରମର ନିରୀକ୍ଷଣ ଓ ଗୁଣାତ୍ମକ ମୂଲ୍ୟାଙ୍କନ ପାଇଁ ଜିଓ-ଟ୍ୟାଗ୍ଡ ଅଙ୍ଗନବାଡ଼ି ପରିଦର୍ଶନ, ଲାଇଭ୍ ଡ୍ୟାସ୍ବୋର୍ଡ, ସ୍ୱାଧୀନ ମୂଲ୍ୟାଙ୍କନ ଓ ଗୁଣବତ୍ତା ପରୀକ୍ଷଣ ଭଳି ବ୍ୟବସ୍ଥାକୁ ସୁଦୃଢ଼ କରାଯିବ।
୨୦୨୬–୨୭ ଓ ୨୦୨୭–୨୮ ଆର୍ଥିକ ବର୍ଷ ପାଇଁ ‘ଓଡ଼ିଶା ପୁଷ୍ଟି ମିଶନ’ ନିମନ୍ତେ ମୋଟ ₹୩୬୦.୬୮ କୋଟିର ପ୍ରସ୍ତାବିତ ବ୍ୟୟବରାଦ ରହିଛି। ଏହି ଅର୍ଥ ପୁଷ୍ଟିକର ଖାଦ୍ୟ, ପ୍ରଦର୍ଶନଭିତ୍ତିକ ପ୍ରୋତ୍ସାହନ, ସଚେତନତା, ନିରୀକ୍ଷଣ, ପୁଷ୍ଟି ସର୍ବେକ୍ଷଣ, ଖାଦ୍ୟର ଗୁଣବତ୍ତା ପରୀକ୍ଷଣ ଓ ମାଇକ୍ରୋନ୍ୟୁଟ୍ରିଏଣ୍ଟ୍ ସମ୍ପର୍କିତ କାର୍ଯ୍ୟକ୍ରମରେ ବ୍ୟୟ ହେବ।
ବୈଠକରେ ‘ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା’ ଅଧୀନରେ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ, ଅସମ୍ପୂର୍ଣ୍ଣ କେନ୍ଦ୍ରଗୁଡ଼ିକର ନିର୍ମାଣ ଶେଷ କରିବା ଏବଂ ବର୍ତ୍ତମାନର କେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
୨୦୨୬–୨୭ରୁ ୨୦୩୦–୩୧ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ପାଇଁ ଏଥିପାଇଁ ବ୍ୟୟବରାଦ ରହିଛି। ଅସମ୍ପୂର୍ଣ୍ଣ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ଶୀଘ୍ର ସମ୍ପୂର୍ଣ୍ଣ କରିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ସୁରକ୍ଷା ଦୃଷ୍ଟିରୁ ପାଚେରୀ ନିର୍ମାଣ କରାଯିବ। ଆବଶ୍ୟକ ସ୍ଥାନରେ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ସହ ପାଚେରୀ ସୁବିଧା ମଧ୍ୟ ଯୋଗାଇ ଦିଆଯିବ।
ଶିଶୁମାନେ ଯେପରି ସହଜରେ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇପାରିବେ, ସେଥିପାଇଁ ଜନବସତି ନିକଟରେ ନୂତନ କେନ୍ଦ୍ର ନିର୍ମାଣ ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଛି।
ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଡ. ମୃଣାଳିନୀ ଦର୍ସୱାଲ, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ