୩ ବର୍ଷରେ ଆଦର୍ଶ ସ୍କୁଲ କୋଠାରେ ଫାଟ, ଉଡ଼ିଗଲା ରଙ୍ଗ, ଖସୁଛି କଂକ୍ରିଟ ଖଣ୍ଡ; ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ
Crack in school building
ସ୍କୁଲ କୋଠାରେ ଫାଟ ଉଡ଼ିଗଲା ରଙ୍ଗ


ଝାରସୁଗୁଡ଼ା, ୩୦ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅଧୀନ ପତ୍ରାପାଲିରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନୂତନ କୋଠାରେ ଫାଟ ଦେଖାଯିବା ସହ ବିଭିନ୍ନ ସ୍ଥାନରୁ କଂକ୍ରିଟ ଖଣ୍ଡ ଖସି ପଡ଼ୁଥିବା ଅଭିଯୋଗ ହୋଇଛି। ନିର୍ମାଣକୁ ମାତ୍ର ୩ ବର୍ଷ ପୂରିଥିବା ବେଳେ କୋଠାର ଏଭଳି ଅବସ୍ଥାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଜାତୀୟ ରାଜପଥ ନମ୍ବର ୪୯ କଡ଼ରେ ଥିବା ପତ୍ରାପାଲି ଛକ ନିକଟରେ ୨୦୨୩ ସେପ୍ଟେମ୍ବରରେ ନୂତନ କୋଠା ନିର୍ମାଣ ହେବା ପରେ ଆଦର୍ଶ ବିଦ୍ୟାଳୟ ଆରମ୍ଭ ହୋଇଥିଲା। ତେବେ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ ପୂର୍ବରୁ ମଧ୍ୟ ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ବର୍ତ୍ତମାନ ବିଦ୍ୟାଳୟ କୋଠାର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। କେତେକ ସ୍ଥାନରୁ ସିମେଣ୍ଟ ଖଣ୍ଡ ଖସି ତଳେ ପଡ଼ୁଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏହାସହ ବିଦ୍ୟାଳୟ ଆରମ୍ଭ ହେବାର ବର୍ଷେ ନପୂରୁଣୁ କୋଠାର କାନ୍ଥର ରଙ୍ଗ ଫିକା ପଡ଼ିବା ସହ ଅନେକ ସ୍ଥାନରେ ସମ୍ପୂର୍ଣ୍ଣ ରଙ୍ଗ ଉଡ଼ିଯାଇଛି। ଫଳରେ ରଙ୍ଗ କାମରେ ମଧ୍ୟ ନିମ୍ନମାନର ସାମଗ୍ରୀ ବ୍ୟବହାର ହୋଇଥିବା ନେଇ ପ୍ରଶ୍ନ ଉଠିଛି।

ଝାରସୁଗୁଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ଆନୁକୂଲ୍ୟରେ ବିଦ୍ୟାଳୟ କୋଠା ନିର୍ମାଣ ହୋଇଥିବା ବେଳେ ଏତେ କମ୍ ସମୟ ମଧ୍ୟରେ କୋଠାରେ ଫାଟ ଓ ନିର୍ମାଣଜନିତ ତ୍ରୁଟି ଦେଖାଦେବାକୁ ନେଇ ଅଭିଭାବକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରଫୁଲ୍ଲ କାଲୋଙ୍କ ସମେତ ବହୁ ଅଭିଭାବକ ଘଟଣାର ତଦନ୍ତ କରାଯାଇ ନିର୍ମାଣର ଗୁଣବତ୍ତା ଯାଞ୍ଚ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଲେଙ୍କାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ନହେବାରୁ ତାଙ୍କର ମତାମତ ମିଳିପାରିନାହିଁ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande