
କେନ୍ଦ୍ରାପଡ଼ା, ୩୦ ଅଗଷ୍ଟ(ହି.ସ.) – ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଡାକ୍ତରୀ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ମେଧାବୀ ଛାତ୍ର ପି. ଜୀବନ ପ୍ରଦୀପଙ୍କୁ ମହାକାଳପଡ଼ା ବିଧାୟକ ଡ଼. ଦୁର୍ଗାପ୍ରସନ ନାୟକ ସମ୍ବର୍ଦ୍ଧିତ କରିବା ସହିତ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ମାର୍ଶାଘାଇ ବ୍ଲକ କୁଆଁରପାଳ ଗ୍ରାମ ନିବାସୀ ଏବଂ କେନ୍ଦ୍ରାପଡ଼ା ଅର୍ବାନ କୋ ଅପରେଟିଭ ବ୍ୟାଙ୍କ ମାର୍ଶାଘାଇ ଶାଖାର ଆସିଷ୍ଟାଂଟ ମ୍ୟାନେଜର ଅଞ୍ଜନ କୁମାର ଦଳାଇ ଏବଂ ସମାଜସେବିକା ସୁଜାତା ସାମନ୍ତରାୟଙ୍କ ପୁତ୍ର ପି ଜୀବନ ଜ୍ୟୋତି ମାର୍ଶାଘାଇ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରୁ ମାଟ୍ରିକ ପାଠପଢ଼ା ପରେ ଯାଜପୁରର ଏକ ଶିକ୍ଷାନୁଷ୍ଠାନରେ ଯୁକ୍ତ ଦୁଇ ବିଜ୍ଞାନ ଏବଂ ମେଡ଼ିକାଲ ପ୍ରବେଶିକା ଶିକ୍ଷା ନେଉଥିଲେ। ୬୮୨ ର୍ୟାଙ୍କରେ କୃତକାର୍ଯ୍ୟ ହୋଇ ପୁରୀ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ମାର୍ଶାଘାଇ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟି ସମ୍ପାଦକ ହିମାଂଶୁ ଶେଖର ନାୟକ, ଶିଳିପୁର ପଂଚାୟତ ଯୁବନେତା ବିଶ୍ୱରଞ୍ଜନ ପରିଡ଼ା, ଛାତ୍ରନେତା ଉମାକାନ୍ତ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି