
ନୂଆଦିଲ୍ଲୀ, ୩୦ ଅଗଷ୍ଟ(ହି.ସ.) – ଭାରତ ଏବଂ ଉଜବେକିସ୍ତାନ ସେମାନଙ୍କ ସମ୍ପର୍କକୁ ଏକ ବ୍ୟାପକ ରଣନୈତିକ ଭାଗିଦାରୀର ସ୍ଥିତିକୁ ଉନ୍ନୀତ କରିବା ଲାଗି ସହମତ ହୋଇଛନ୍ତି। ଏହାବ୍ୟତୀତ, ଦୁଇଦେଶ ୨୦୩୦ ସୁଦ୍ଧା ସେମାନଙ୍କର ୧ ବିଲିୟନ ଡଲାରର ବାଣିଜ୍ୟ କାରବାରକୁ ୫ ବିଲିୟନ ଡଲାରକୁ ନେଇଯିବେ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଉଜବେକିସ୍ତାନ ରାଷ୍ଟ୍ରପତି ଶ୍ୱକତ ମିର୍ଜିୟୋୟେଭଙ୍କ ସହ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା କରିଛନ୍ତି। ଆଲୋଚନା ପରେ ଏକ ମିଳିତ ବିବୃତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦୁଇ ଦେଶର ଦ୍ୱିପାକ୍ଷିକ ବାଣିଜ୍ୟ ୧ ବିଲିୟନ ଡଲାର ଅତିକ୍ରମ କରିଛି ଏବଂ ବର୍ତମାନ ୨୦୩୦ ସୁଦ୍ଧା ୫ ବିଲିୟନ ଡଲାରରେ ପହଂଚିବାର ଲକ୍ଷ୍ୟ ରହିଛି। ଏଥିପାଇଁ ବଜାର ସୁବିଧା, ସଂଯୋଗ, ବ୍ୟାଙ୍କିଙ୍ଗ ଏବଂ ଦେୟ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ।
ସେ କହିଥିଲେ ଯେ ଚଳିତ ବର୍ଷ ଆମର ରଣନୈତିକ ଭାଗିଦାରୀର ୧୫ ବର୍ଷ ପୂରଣ ହୋଇଛି। ଏହି ସ୍ୱତନ୍ତ୍ର ଅବସରରେ, ଆମେ ଏହି ସମ୍ପର୍କକୁ ଏକ ବ୍ୟାପକ ରଣନୈତିକ ଭାଗିଦାରୀର ସ୍ଥିତିକୁ ଉନ୍ନୀତ କରିବାକୁ ନିଷ୍ପତି ନେଇଛୁ। ଆଜି, ଆମେ ଆମର ଭାଗିଦାରୀର ଏହି ନୂତନ ଫର୍ମାଟରେ ଦ୍ରୁତ ଏବଂ ଦୃଢ଼ ଫଳାଫଳ ସହିତ ଆଗକୁ ବଢ଼ିବା ପାଇଁ ଏକ ଉଚ୍ଚାଭିଳାଷୀ ଏଜେଣ୍ଡା ପ୍ରସ୍ତୁତ କରିଛୁ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭବିଷ୍ୟତରେ ପ୍ରତିରକ୍ଷା ଉଦ୍ୟୋଗଗୁଡ଼ିକ ମଧ୍ୟରେ ସିଧାସଳଖ ସଂଯୋଗ, ମିଳିତ ଉତ୍ପାଦନ ଏବଂ ମିଳିତ ବିକାଶକୁ ପ୍ରୋତ୍ସାହନ ଦିଆଯିବ। ଆତଙ୍କବାଦ, ଉଗ୍ରବାଦ ଏବଂ ବିଚ୍ଛିନ୍ନତାବାଦ ବିରୋଧରେ ଶୂନ୍ୟ ସହନଶୀଳତା ଉଭୟ ଦେଶର ସହଭାଗୀ ସଂକଳ୍ପ ହୋଇରହିବ। ସେ କହିଥିଲେ ଯେ ଡିଜିଟାଲ ସାର୍ବଜନୀନ ଭିତିଭୂମି, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସ୍ୱଚ୍ଛ ଶକ୍ତି, ମହାକାଶ ଏବଂ ଆଣବିକ ଶକ୍ତି କ୍ଷେତ୍ରରେ ସହଯୋଗ ଦୁଇ ଦେଶର ଭାଗିଦାରୀକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରୁଛି। ଭିତିଭୂମି ବିକାଶ କ୍ଷେତ୍ରରେ ମଧ୍ୟ ସହଯୋଗ ବୃଦ୍ଧି କରାଯିବ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି