



ବଲାଙ୍ଗୀର, ୩୦ ଅଗଷ୍ଟ(ହି.ସ.) – ପ୍ରଧାନମନ୍ତ୍ରୀଙ୍କ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ ଅବସରରେ ଆଜି ଲୋଇସିଂହାସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ସାମାଜିକ ଅନୁଷ୍ଠାନ ‘ଡିବ୍ରି’ ପକ୍ଷରୁ ଏକ ବିଶାଳ ନିଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର, ରକ୍ତଦାନ ଶିବିର ଏବଂ ସହାୟତା ଉପକରଣ ବଂଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି., ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ପୁଷ୍ପାଞ୍ଜଳି ମିଶ୍ର, ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକ, ସରପଂଚ ଉପରବାହାଲ କ୍ଷୀରାଦ୍ରୀ ସାହୁ, ପ୍ରଧାନ ଆଚାର୍ଯ୍ୟ ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ରଘୁ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଚିକିତ୍ସକ ଓ ଅଧିକାରୀମାନେ ଯୋଗ ଦେଇଥିଲେ।
ଏହି ଶିବିରରେ ଶିଶୁଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଲୋକଙ୍କୁ ଆୟୁର୍ବେଦ, ହୋମିଓପାଥି, ଫିଜିଓଥେରାପି ସମେତ ବିଭିନ୍ନ ବିଭାଗରେ ନିଶୁଳ୍କ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ମୋଟ ୧,୧୩୯ ଜଣ ମହିଳା ଓ ପୁରୁଷ ଏହି ଶିବିରରେ ଚିକିତ୍ସା ସେବା ପାଇବା ସହ ମାଗଣାରେ ଔଷଧ ଗ୍ରହଣ କରିଥିଲେ। ଏଥିସହିତ ସମେତ ବିଭିନ୍ନ ରୋଗ ନିରାକରଣ ପରୀକ୍ଷା କରାଯିବା ସହ ଆବଶ୍ୟକତା ଅନୁଯାୟୀ ମାଗଣା ଚଷମା ମଧ୍ୟ ବଂଟନ କରାଯାଇଥିଲା।
୧୧୪ ଜଣ ଦିବ୍ୟାଙ୍ଗ ଓ ବୟସ୍କମାନଙ୍କ ସହାୟତା ପାଇଁ ଭାରତ ସରକାରଙ୍କ ଆଲିମ୍କୋ ପକ୍ଷରୁ ତିନିଚକିଆ ସାଇକେଲ, ଶ୍ରବଣ ଯନ୍ତ୍ର, ଅଂଟାବେଲ୍ଟ ଆଦି ବିଭିନ୍ନ ସହାୟତା ଉପକରଣ ମାଗଣାରେ ବଂଟନ କରାଯାଇଥିଲା।
ଅନ୍ୟପକ୍ଷରେ, ଆୟୋଜିତ ରକ୍ତଦାନ ଶିବିରରେ ୭୩ ଜଣ ସ୍ୱେଚ୍ଛାସେବୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ମାନବିକତାର ଉଦାହରଣ ସୃଷ୍ଟି କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଉପସ୍ଥିତ ଅତିଥି ଓ ଜନସାଧାରଣ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମକୁ ସିଧାସଳଖ ଶୁଣିଥିଲେ। ଏହି ବିଶାଳ ସ୍ୱାସ୍ଥ୍ୟ ଶିବିରକୁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ, ଗୋପବନ୍ଧୁ ସରକାରୀ ଆୟୁର୍ବେଦ ମେଡ଼ିକାଲ କଲେଜ ଓ ହସ୍ପିଟାଲ, ବିକାଶ ହସ୍ପିଟାଲ, ବରଗଡ଼, ମହାନଦୀ ନେତ୍ର ଚିକିତ୍ସାଳୟ, ବୀରମିତ୍ରପୁର, କୃଷ୍ଣା ଡାଏଗ୍ନୋଷ୍ଟିକ୍, ଆଲ୍କୋ ଏବଂ ପଲ୍ଲୀ ଆଲୋକ ପାଠାଗାର ସମେତ ବିଭିନ୍ନ ଅନୁଷ୍ଠାନ ସହଯୋଗ କରିଥିଲେ।
ଲୋଇସିଂହା ନିର୍ବାଚନମଣ୍ଡଳୀର ଲୋକମାନଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଂଚାଇବା ଲକ୍ଷ୍ୟରେ ପ୍ରତି ମାସର ଶେଷ ରବିବାର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଏଭଳି ବିଶାଳ ନିଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର ନିୟମିତ ଭାବେ ଆୟୋଜନ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ