
ଝାରସୁଗୁଡ଼ା, ୩୦ ଅଗଷ୍ଟ (ହି.ସ.) - ଝାରସୁଗୁଡ଼ା ପୌରପାଳିକା ପକ୍ଷରୁ ଆୟୋଜିତ ହେବାକୁ ଥିବା ସ୍ୱାୟତ ଶାସନ ଦିବସ ପାଳନକୁ ନେଇ ରାଜନୀତି ତେଜ ହୋଇଛି। ସରକାରୀ ପ୍ରୋଟୋକଲ୍ର ଅନୁପାଳନ ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କୁ ନିମନ୍ତ୍ରଣ ନକରାଯିବା ଅଭିଯୋଗ ଉଠାଇ ବିଜେପି ପକ୍ଷରୁ ରବିବାର ବିଟିଏମସ୍ଥିତ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରାଯାଇଛି।
ସମ୍ମିଳନୀରେ ବିଜେପି ନେତା ରଘୁରାମ ପାଳ, ମନୋଜ କଲେତ, ଅରବିନ୍ଦ ପାଠକ ପ୍ରମୁଖ ପୌରପାଳିକା ଅଧ୍ୟକ୍ଷା ରାନୀ ହାତୀଙ୍କ କାର୍ଯ୍ୟଶୈଳୀ ଓ ବିଭିନ୍ନ ବକ୍ତବ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ। ବିଜେପି ନେତାମାନଙ୍କ ଅଭିଯୋଗ ଅନୁସାରେ, ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ୱାୟତ ଶାସନ ଦିବସ କାର୍ଯ୍ୟକ୍ରମକୁ ସ୍ଥାନୀୟ ସାଂସଦ ପ୍ରଦୀପ ପୁରୋହିତ ଓ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ନିମନ୍ତ୍ରଣ କରାଯାଇନାହିଁ।
ବିଜେପି ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅଗଷ୍ଟ ୨୫ରେ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ସ୍ଥାନୀୟ ବିଧାୟକ ଓ ଜନପ୍ରତିନିଧିମାନଙ୍କୁ କାର୍ଯ୍ୟକ୍ରମରେ ସାମିଲ କରିବା ସମ୍ପର୍କରେ ନିର୍ଦ୍ଦେଶ ରହିଛି। ଏହାସହ କାର୍ଯ୍ୟକ୍ରମ ଆୟୋଜନ ଓ ଖର୍ଚ୍ଚ ସମ୍ପର୍କରେ ମଧ୍ୟ ନିୟମାବଳୀ ଥିବା ବିଜେପି ଦାବି କରିଛି।
ପୌର ଅଧ୍ୟକ୍ଷାଙ୍କ ପକ୍ଷରୁ ପ୍ରୋଟୋକଲ୍ ସମ୍ପର୍କରେ ଦିଆଯାଇଥିବା ସଫେଇକୁ ବିଜେପି ନେତାମାନେ ଖଣ୍ଡନ କରିବା ସହ ଏହାକୁ ନେଇ ପୌରପାଳିକାର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ପୌରପାଳିକାରେ ରାଜନୈତିକ ହସ୍ତକ୍ଷେପ ଓ ସଂକୀର୍ଣ୍ଣ ରାଜନୀତି ଚାଲିଥିବା ଅଭିଯୋଗ ମଧ୍ୟ ବିଜେପି ପକ୍ଷରୁ କରାଯାଇଛି।
ଏହାସହ ବିଜେଡିର ୧୬ ନମ୍ବର ୱାର୍ଡ କାଉନସିଲର ନବନୀତ କୌରଙ୍କ ଭୂମିକାକୁ ନେଇ ମଧ୍ୟ ବିଜେପି ପ୍ରଶ୍ନ ଉଠାଇଛି। ପୌର ଅଧ୍ୟକ୍ଷା ଓ କାଉନସିଲରମାନେ ସ୍ୱାଧୀନ ଭାବେ ନିଷ୍ପତି ନନେଇ ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଇଙ୍ଗିତରେ ପରିଚାଳିତ ହେଉଥିବା ବିଜେପି ନେତାମାନେ ଅଭିଯୋଗ କରିଛନ୍ତି। ତେବେ ଏହି ଅଭିଯୋଗ ଉପରେ ସମ୍ପୃକ୍ତ ପକ୍ଷର ପ୍ରତିକ୍ରିୟା ମିଳିନାହିଁ।
୧୬ ନମ୍ବର ୱାର୍ଡର ବିଭିନ୍ନ ସମସ୍ୟାକୁ ନେଇ ମଧ୍ୟ ବିଜେପି ପୌରପାଳିକାକୁ ଟାର୍ଗେଟ କରିଛି। ନାଳନର୍ଦ୍ଦମା ସଫେଇ, ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ଏବଂ ଝୁମ୍ପୁଡ଼ି ଘର ଭଙ୍ଗା ପରେ ପ୍ରଭାବିତ ଲୋକଙ୍କୁ ହକ୍ ଓ ଅଧିକାର ପ୍ରଦାନ କ୍ଷେତ୍ରରେ ପୌରପାଳିକା ବିଫଳ ହୋଇଥିବା ଦଳ ଅଭିଯୋଗ କରିଛି।
ପୌରପାଳିକାରେ ହେଉଥିବା କଥିତ ଅନିୟମିତତା ଓ ଦୁର୍ନୀତିର ଗୋଟି ଗୋଟି କରି ତଥ୍ୟ ସାମ୍ନାକୁ ଅଣାଯିବ ବୋଲି ବିଜେପି ନେତାମାନେ କହିଛନ୍ତି। ଏହି ପ୍ରସଙ୍ଗରେ ଆଗାମୀ ଦିନରେ ଦଳ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ