
ଘଟଗାଁ, ୩୦ ଅଗଷ୍ଟ (ହି.ସ.) - ସ୍ୱାମୀର କାଠ ଫାଳିଆ ପ୍ରହାରରେ ସ୍ତ୍ରୀ ମୃତ୍ୟୁ। ଅଭିଯୁକ୍ତକୁ ପୁଲିସ ଗିରଫ କରି ତଦନ୍ତ ଚଳାଇଛି। ଏଭଳି ଘଟଣା ଘଟିଛି ପାଟଣା ଥାନା ଅନ୍ତର୍ଗତ ମଲ୍ଲିପଶି ଭୂମିଜ ସାହିର।ଶନିବାର ବିଳମ୍ବିତ ରାତିରେ ପାରିବାରିକ କଳହରୁ ଜଣେ ବ୍ୟକ୍ତି କାଠ ଫାଳିଆରେ ପିଟି ପିଟି ନିଜ ସ୍ତ୍ରୀ ସବିତାଙ୍କୁ ନୃଶଂସ ଭାବେ ହତ୍ୟା କରିଛି। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ସବିତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଖବର ପାଇ ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ, ଏଏସଆଇ ଧନେଶ୍ୱର ପାତ୍ର ଏବଂ ଘଟଗାଁ ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ ତୁରନ୍ତ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ। ଏଥିସହ ଲଗ୍ନା ବେବର୍ତାଙ୍କ ନେତୃତ୍ୱରେ ଏକ ସାଇଂଟିଫିକ୍ ଟିମ୍ ପହଂଚି ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ଓ ନମୁନା ସଂଗ୍ରହ କରିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ଏହି ଘଟଣାରେ ପାଟଣା ଥାନାରେ କେସ୍ ନଂ ୩୦୭/୨୬ ରୁଜୁ ହେବା ସହ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରାଯାଇଥିବା ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ