
ଜୟପୁର, ୩୦ ଅଗଷ୍ଟ (ହି.ସ.)- କୋରାପୁଟ ଜିଲା ଜୟପୁର ସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆଜି ଏକ ବିଶାଳ ସାଇକେଲ୍ ରାଲି ଆୟୋଜିତ ହୋଇଥିଲା। ଏହି ରାଲିର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମାଜରେ ସୁସ୍ଥ ଭାରତ ଓ ଫିଟ୍ ଇଣ୍ଡିଆର ବାର୍ତ୍ତା ପହଞ୍ଚାଇବା ସହିତ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରେ ନିୟମିତ ବ୍ୟାୟାମ, ସାଇକେଲ୍ ଚାଳନା ଓ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା। ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଓ କ୍ରୀଡ଼ାପ୍ରେମୀମାନେ ଉତ୍ସାହର ସହିତ ଏହି ସାଇକେଲ୍ ରାଲିରେ ଯୋଗଦାନ କରିଥିଲେ। ରାଲି ମାଧ୍ୟମରେ “ସୁସ୍ଥ ଶରୀରରେ ସୁସ୍ଥ ମନ”ର ବାର୍ତ୍ତା ଦିଆଯାଇଥିଲା। ଏହା ସହିତ ଦୈନନ୍ଦିନ ଜୀବନରେ ଶାରୀରିକ କ୍ରିୟାକଳାପକୁ ଗୁରୁତ୍ୱ ଦେବା ଏବଂ ସୁସ୍ଥ ଓ ସକ୍ରିୟ ସମାଜ ଗଠନ ପାଇଁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା।ସାଇକେଲ୍ ରାଲି ପରେ ବିଶ୍ୱବିଦ୍ୟାଳୟ ପରିସରରେ ଜାତୀୟ କ୍ରୀଡ଼ା ଦିବସର ସମାପନୀ ସମାରୋହ ଆୟୋଜିତ ହୋଇଥିଲା। ସମାରୋହରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାର ଗୁରୁତ୍ୱ ଓ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ଏହାର ଭୂମିକା ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ।ଏହି ଅବସରରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର, ସିପିଜିସି, ସିଓଇ, ପିଇଟି ଓ ବିଭିନ୍ନ ବିଭାଗର ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। କ୍ରୀଡ଼ା ପରିଷଦର ସଚିବ କ୍ୟାପ୍ଟେନ୍ ଡ଼. ଲକ୍ଷ୍ମଣ ପାତ୍ରଙ୍କ ସମନ୍ୱୟରେ ସମଗ୍ର କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଥିଲା।ବକ୍ତାମାନେ କହିଥିଲେ ଯେ, କ୍ରୀଡ଼ା କେବଳ ଶାରୀରିକ ସୁସ୍ଥତା ପାଇଁ ନୁହେଁ, ବରଂ ଶୃଙ୍ଖଳା, ନେତୃତ୍ୱ, ସହଯୋଗ, ଆତ୍ମବିଶ୍ୱାସ ଓ ଦଳଗତ ମନୋଭାବ ବିକାଶରେ ମଧ୍ୟ ଏହାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।ସମାରୋହର ଶେଷ ପର୍ଯ୍ୟାୟରେ ୱାଆରସି କାଉନସେଲର ଡ଼. ରୁଶଭ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସେ ମୁଖ୍ୟ ଅତିଥି, ବିଶ୍ୱବିଦ୍ୟାଳୟର କୁଳପତି, ରେଜିଷ୍ଟ୍ରାର, ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ରାଲିରେ ସାମିଲ ହୋଇଥିବା ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ ପାଇଁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ। ଶେଷରେ “ଫିଟ୍ ଇଣ୍ଡିଆ – ହେଲ୍ଥି ଇଣ୍ଡିଆ” ର ସନ୍ଦେଶ ସହ ଜାତୀୟ କ୍ରୀଡ଼ା ଦିବସର ସମାପନୀ ସମାରୋହ ସଫଳତାର ସହିତ ସମାପ୍ତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି