ଚମ୍ପୁଆ ଏନଏସିର ବିକଳ ଚିତ୍ର : ଅବହେଳିତ ଅବସ୍ଥାରେ ୯ ନମ୍ବର ୱାର୍ଡ, ପ୍ରଶାସନର ବେପରୁଆ ମନୋଭାବକୁ ନେଇ ଜନଅସନ୍ତୋଷ
ଚମ୍ପୁଆ, ୩୧ ଅଗଷ୍ଟ (ହି.ସ.)- ଚମ୍ପୁଆ ଏନଏସି କର୍ତୃପକ୍ଷ ବିକାଶର ଡିଣ୍ଡିମ ପିଟି ଧୂମଧାମରେ ଭୋଜିଭାତ କରି ସ୍ୱାୟତ୍ତ ଶାସନ ଦିବସ ପାଳନ କରୁଥିବା ବେଳେ ୯ ନମ୍ବର ୱାର୍ଡ (ବାରିକସାହି) ଏନଏସି ର ବିକଳ ଚିତ୍ରକୁ ପଦାରେ ପକାଇଛି । ଚମ୍ପୁଆ ଏନଏସିର ଏହି ୯ ନମ୍ବର ୱାର୍ଡ (ବାରିକସାହି) ଦୀର୍ଘ ଦିନ ହେବ ଚ
୯ନମ୍ବର ୱାର୍ଡ ର ଡ୍ରେନ


ଚମ୍ପୁଆ, ୩୧ ଅଗଷ୍ଟ (ହି.ସ.)- ଚମ୍ପୁଆ ଏନଏସି କର୍ତୃପକ୍ଷ ବିକାଶର ଡିଣ୍ଡିମ ପିଟି ଧୂମଧାମରେ ଭୋଜିଭାତ କରି ସ୍ୱାୟତ୍ତ ଶାସନ ଦିବସ ପାଳନ କରୁଥିବା ବେଳେ ୯ ନମ୍ବର ୱାର୍ଡ (ବାରିକସାହି) ଏନଏସି ର ବିକଳ ଚିତ୍ରକୁ ପଦାରେ ପକାଇଛି । ଚମ୍ପୁଆ ଏନଏସିର ଏହି ୯ ନମ୍ବର ୱାର୍ଡ (ବାରିକସାହି) ଦୀର୍ଘ ଦିନ ହେବ ଚରମ ଅବହେଳାର ଶିକାର ହୋଇଛି। ଏଠାରେ ସ୍ଥାନୀୟ ବାସିନ୍ଦାମାନେ ସାଧାରଣ ମୌଳିକ ସୁବିଧାରୁ ମଧ୍ୟ ବଞ୍ଚିତ ହେଉଥିବା ବେଳେ ଏନଏସି କର୍ତ୍ତୃପକ୍ଷ ଆଖି ବୁଜି ଦେଇଥିବା ଅଭିଯୋଗ ହୋଇଛି।

ବର୍ଷ ବର୍ଷ ଧରି ଏହି ୱାର୍ଡର ଡ୍ରେନ ସଫା କରାଯାଇ ନାହିଁ। ଫଳରେ ଡ୍ରେନରେ ଅଳିଆ ଆବର୍ଜନା ପଡି ରହି ସମ୍ପୂର୍ଣ୍ଣ ଜାମ୍ ହୋଇଯାଇଛି। ତା' ଉପରେ ପଚାସଢା ପାଣି ଜମି ରହିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଅସହ୍ୟ ଦୁର୍ଗନ୍ଧ ହେଉଛି। କେବଳ ସେତିକି ନୁହେଁ, ଡ୍ରେନ ଚାରିପାଖରେ ଅନାବନା ନଟା ବୁଦା ମାଡ଼ିଯିବା ଫଳରେ ଏହା ମଶା, ମାଛି ଏବଂ ବିଷଧର ସରୀସୃପଙ୍କ ବାସସ୍ଥାନ ପାଲଟିଛି। ଯାହା ସ୍ଥାନୀୟ ଲୋକଙ୍କ ଜୀବନ ପ୍ରତି ବଡ଼ ବିପଦ ସୃଷ୍ଟି କରୁଛି। ଲୋକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ଏନଏସି ଅଧିକାରୀଙ୍କ ବେପରୁଆ ମନୋଭାବ ସ୍ପଷ୍ଟ ବାରି ହୋଇପଡୁଛି।

ଅଞ୍ଚଳବାସୀଙ୍କ କହିବା ଅନୁସାରେ, ଏଠାରେ ନିୟମିତ ସଫେଇ ତ ଦୂରର କଥା, ଏନଏସି ପକ୍ଷରୁ କେବେ ହେଲେ ବ୍ଲିଚିଂ ପାଉଡର ପକାଯାଉ ନାହିଁ କି ମଶା ତେଲ ବା ଧୂଆଁ ବ୍ୟବହାର କରାଯାଉ ନାହିଁ। ଅଫିସରମାନଙ୍କର ଏଭଳି ଦାୟିତ୍ୱହୀନତା ଯୋଗୁଁ ସାଧାରଣ ଜନତା ସଂକ୍ରାମକ ରୋଗର ଭୟରେ ଦିନ କାଟୁଛନ୍ତି। ଏନଏସି କର୍ତ୍ତୃପକ୍ଷ ୯ ନମ୍ବର ୱାର୍ଡ ପ୍ରତି କାହିଁକି ଏପରି ପାତରଅନ୍ତର ନୀତି ଆପଣାଉଛନ୍ତି, ତାକୁ ନେଇ ଏବେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦୀର୍ଘ ଦିନର ଏହି ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande