ଆଖିରେ ପଟିବାନ୍ଧି ବସିଛି ଚମ୍ପୁଆ ପ୍ରଶାସନ : ଜାମୁଦଲକ ଗ୍ରାମପଞ୍ଚାୟତରେ ନିୟମକୁ ଦଳି ମନରେଗା ଅର୍ଥ ହରିଲୁଟ୍ ଅଭିଯୋଗ
ଚମ୍ପୁଆ, ୩୧ ଅଗଷ୍ଟ (ହି.ସ.)- ଶ୍ରାବଣର ପ୍ରବଳ ବର୍ଷା ସତ୍ତ୍ୱେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଜାମୁଦଲକ ଗ୍ରାମପଞ୍ଚାୟତରେ ଚାଲିଛି ସରକାରୀ ନିୟମାବଳୀର ଖୋଲାଖୋଲି ଉଲ୍ଲଂଘନ। ସରକାରୀ ଗାଇଡ୍ ଲାଇନ୍ ଅନୁଯାୟୀ, ଜୁନ୍ ରୁ ଅକ୍ଟୋବର ମାସ ମଧ୍ୟରେ କୌଣସି ନୂଆ କେନାଲ ଖୋଳିବା କିମ୍ବା ମାଟି କାମ କରିବା
କରାଯାଉଥିବା ମାଟି କାମ


ଚମ୍ପୁଆ, ୩୧ ଅଗଷ୍ଟ (ହି.ସ.)- ଶ୍ରାବଣର ପ୍ରବଳ ବର୍ଷା ସତ୍ତ୍ୱେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଜାମୁଦଲକ ଗ୍ରାମପଞ୍ଚାୟତରେ ଚାଲିଛି ସରକାରୀ ନିୟମାବଳୀର ଖୋଲାଖୋଲି ଉଲ୍ଲଂଘନ। ସରକାରୀ ଗାଇଡ୍ ଲାଇନ୍ ଅନୁଯାୟୀ, ଜୁନ୍ ରୁ ଅକ୍ଟୋବର ମାସ ମଧ୍ୟରେ କୌଣସି ନୂଆ କେନାଲ ଖୋଳିବା କିମ୍ବା ମାଟି କାମ କରିବା ସମ୍ପୂର୍ଣ୍ଣ ନିଷିଦ୍ଧ। କେବଳ ବୃକ୍ଷରୋପଣ କିମ୍ବା କଂକ୍ରିଟ୍ କାମ ପାଇଁ ଅନୁମତି ଥିବାବେଳେ, ପ୍ରଶାସନିକ ସେଟିଂ ଓ ମୋଟା ଅଙ୍କର ପିସି କାରବାର ବଳରେ ବର୍ଷା ପାଣିରେ ଓଦା ମାଟି ପକାଇ ନିମ୍ନମାନର କେନାଲ ନିର୍ମାଣ ଚାଲିଛି। ଜନସାଧାରଣଙ୍କ କଷ୍ଟ ଉପାର୍ଜିତ ଟିକସ ଟଙ୍କାକୁ ପାଣିରେ ଭସାଇ ଦେବା ପାଇଁ ଏହି ବେଆଇନ କାର୍ଯ୍ୟ ଚାଲିଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବିକଶିତ ଭାରତ ଗ୍ୟାରେଣ୍ଟି ରୋଜଗାର ଏବଂ ଆଜୀବିକା ମିଶନ (ଆର୍ଥିକ ବର୍ଷ ୨୦୨୬-୨୭) ଅଧୀନରେ ମଙ୍ଗଳପୁର ଗ୍ରାମରୁ କାନପୁର କେନାଲ ପର୍ଯ୍ୟନ୍ତ କାମ ପାଇଁ ୮ ଲକ୍ଷ ଟଙ୍କାର ଅଟକଳ ରାଶି ମଞ୍ଜୁର ହୋଇଛି। ଗତ ୨୧-୦୮-୨୦୨୬ ରୁ କାର୍ଯ୍ୟ ଆରମ୍ଭ ହୋଇଥିଲେ ବି କାର୍ଯ୍ୟସ୍ଥଳୀରେ ସୂଚନା ଫଳକ ଲଗାଯାଇ ନଥିଲା। ୨୬ ତାରିଖରେ ଗ୍ରାମପଞ୍ଚାୟତ ତାଗିଦ୍ କରିବା ପରେ ସୂଚନା ଫଳକ ଲଗାଗଲା। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, କୌଣସି ବାସ୍ତବ କାମ ନକରି କେବଳ କିଛି ଜବକାର୍ଡଧାରୀଙ୍କୁ କାର୍ଯ୍ୟସ୍ଥଳୀରେ ଛିଡ଼ା କରାଇ ସେମାନଙ୍କର ମିଥ୍ୟା ଉପସ୍ଥାନ ପକାଯାଉଛି। ଏହି ମହାଦୁର୍ନୀତି ସମ୍ପର୍କରେ ଗ୍ରାମ ସେବକ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ସରପଞ୍ଚ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମସ୍ତେ ସମ୍ପୂର୍ଣ୍ଣ ଅବଗତ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଅଧିକାରୀ ମାନେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଆଖିବୁଜି ଦେବା ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାକୁ ପଦାରେ ପକାଇଛି ।

ପ୍ରଶ୍ନ ଉଠୁଛି, ଶ୍ରାବଣର ପ୍ରବଳ ବର୍ଷାରେ ଓଦା ମାଟି ପକାଇ କେନାଲ କାମ କରିବାକୁ ଅନୁମତି ଦେଲା କିଏ ? ବର୍ଷାରେ ଧୋଇଯିବା ନିଶ୍ଚିତ ଜାଣି ମଧ୍ୟ ୮ ଲକ୍ଷ ଟଙ୍କା କାହା ସ୍ୱାର୍ଥରେ ପାଣିରେ ପକାଯାଉଛି ? ବିନା କାର୍ଯ୍ୟରେ କେବଳ ଫଟୋ ଉଠାଇ ଶ୍ରମିକଙ୍କ ହାଜିରା ପକାଇବା ପଛରେ କେଉଁ ଅଫିସରଙ୍କ ହାତ ଅଛି ? ଗ୍ରାମସେବକଙ୍କ ଠାରୁ ଆରମ୍ଭ କରି ପିଓ ଏବଂ ବିଡିଓଙ୍କ ନୀରବତା ପଛରେ କେତେ ପିସି କାରବାର ଲୁଚି ରହିଛି ? ସାଧାରଣ ନିରୀହ ଲୋକଙ୍କ ରୋଜଗାର ଓ ଭିତ୍ତିଭୂମି ବିକାଶ ନାମରେ ଏହିଭଳି ଖୋଲା ପ୍ରହସନକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଅଞ୍ଚଳବାସୀ। ଜାମୁଦଲକ ଗ୍ରାମପଞ୍ଚାୟତରେ ଚାଲିଥିବା ସମସ୍ତ ମନରେଗା ପ୍ରକଳ୍ପର ସତ୍ୟାସତ୍ୟ ପରଖିବା ପାଇଁ ଜିଲ୍ଲା ଲୋକପାଳ ନିଜେ ଘଟଣାସ୍ଥଳ ପରିଦର୍ଶନ କରନ୍ତୁ। ନିୟମ ଭାଙ୍ଗି ସରକାରୀ ସମ୍ପତ୍ତି ଲୁଟ୍ କରୁଥିବା ଦୁର୍ନୀତିଗ୍ରସ୍ତ ଅଫିସର, ନିର୍ବାହୀ ଅଧିକାରୀ ଓ ପ୍ରତିନିଧିଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରାଯାଉ, ଯେପରି ଭବିଷ୍ୟତରେ ଅନ୍ୟ କେହି ଜନସାଧାରଣଙ୍କ ଟିକସ ଟଙ୍କାକୁ ଏଭଳି ବାଟମାରଣା କରିବାକୁ ସାହସ କରିବେ ନାହିଁ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ପକ୍ଷରୁ କ'ଣ ପଦକ୍ଷେପ ନିଆ ଯାଉଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande