ବ୍ରିଜ ନିର୍ମାଣ ହେଲା, ହେଲେ ରାସ୍ତା ନିର୍ମାଣ ଭୁଲିଗଲେ ଠିକାଦାର, ବ୍ରିଜର ଉଭୟ ପାର୍ଶ୍ଵରେ କାଦୁଅ ରାସ୍ତା, ଲଗାଣ ବର୍ଷାରେ ଯାତାୟାତ ଦୁର୍ବିସହ
ମାଲକାନଗିରି, ୩୧ ଅଗଷ୍ଟ (ହି.ସ.)- ବର୍ଷ ବର୍ଷର ଦାବି ପରେ ବ୍ରିଜ ନିର୍ମାଣ ହେଲା। ହେଲେ ବ୍ରିଜକୁ ଯୋଡ଼ୁଥିବା ଉଭୟ ପାର୍ଶ୍ୱର ରାସ୍ତାକୁ ସିମେଣ୍ଟ କଂକ୍ରିଟ କରିବାକୁ ଭୁଲିଗଲେ ନିର୍ମାଣକାରୀ ସଂସ୍ଥା। ଫଳରେ ବର୍ଷା ଦିନରେ ବ୍ରିଜର ଦୁଇ ପାର୍ଶ୍ୱ କାଦୁଅ ଓ ମାଟିରେ ପରିଣତ ହୋଇଥିବାରୁ ଯାତାୟାତରେ ନାନା
ବ୍ରିଜ ନିର୍ମାଣ ହେଲା, ହେଲେ ରାସ୍ତା ନିର୍ମାଣ ଭୁଲିଗଲେ ଠିକାଦାର! ବ୍ରିଜର ଉଭୟ ପାର୍ଶ୍ୱରେ କାଦୁଅ ରାସ୍ତା, ଲଗାଣ ବର୍ଷାରେ ଯାତାୟାତ ଦୁର୍ବିସହ


ମାଲକାନଗିରି, ୩୧ ଅଗଷ୍ଟ (ହି.ସ.)- ବର୍ଷ ବର୍ଷର ଦାବି ପରେ ବ୍ରିଜ ନିର୍ମାଣ ହେଲା। ହେଲେ ବ୍ରିଜକୁ ଯୋଡ଼ୁଥିବା ଉଭୟ ପାର୍ଶ୍ୱର ରାସ୍ତାକୁ ସିମେଣ୍ଟ କଂକ୍ରିଟ କରିବାକୁ ଭୁଲିଗଲେ ନିର୍ମାଣକାରୀ ସଂସ୍ଥା। ଫଳରେ ବର୍ଷା ଦିନରେ ବ୍ରିଜର ଦୁଇ ପାର୍ଶ୍ୱ କାଦୁଅ ଓ ମାଟିରେ ପରିଣତ ହୋଇଥିବାରୁ ଯାତାୟାତରେ ନାନା ସମସ୍ୟା ଉପୁଜିଛି। ଏପରି ଏକ ଦୃଶ୍ୟ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି।

କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ସଦର ପଞ୍ଚାୟତକୁ ଚିତ୍ରକୋଣ୍ଡା ବ୍ଲକର ନୂଆଗୁଡା ପଞ୍ଚାୟତର ରଥଗୁଡା ସହ ସଂଯୋଗ କରୁଥିବା ଆରଡି ବିଭାଗ ଅଧୀନ ପ୍ରଧାନମନ୍ତ୍ରୀ ସଡକ ଯୋଜନାର ଏହି ରାସ୍ତା ଦୀର୍ଘଦିନ ଧରି ଅଞ୍ଚଳବାସୀଙ୍କ ଜୀବନରେଖା ପାଲଟିଛି। ମନ୍ତ୍ରୀପୁଟ ଓ ପାଡାଲପୁଟ ଗ୍ରାମ ମଧ୍ୟରେ ବ୍ରିଜ ନଥିବାରୁ ବର୍ଷା ଋତୁରେ ଯାତାୟାତ ବିଶେଷ ଭାବେ ବାଧାପ୍ରାପ୍ତ ହେଉଥିଲା। ଏନେଇ ଅଞ୍ଚଳବାସୀ ବାରମ୍ବାର ଦାବି ଓ ଅଭିଯୋଗ କରିବା ପରେ ଶେଷରେ ବିଭାଗ ପକ୍ଷରୁ ୧ କୋଟି ୫୦ ଲକ୍ଷ ବ୍ୟୟ ଅଟକଳରେ ବ୍ରିଜ ନିର୍ମାଣ କରାଯାଇଥିଲା। ତେବେ ବ୍ରିଜ ନିର୍ମାଣ ସରିଥିଲେ ମଧ୍ୟ ଏହାର ଉଭୟ ପାର୍ଶ୍ୱରେ ଆପ୍ରୋଚ୍ ରାସ୍ତାକୁ ସିମେଣ୍ଟ କଂକ୍ରିଟ କରାଯାଇନଥିବାରୁ ଏବେ ଲଗାଣ ବର୍ଷାରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। କାଦୁଅ ଓ ପାଣି ଭର୍ତ୍ତି ରାସ୍ତା ଦେଇ ଯାତାୟାତ କରିବା ଲୋକଙ୍କ ପାଇଁ ଦୁର୍ବିସହ ହୋଇଛି। ବିଶେଷକରି ଦୁଇଚକିଆ ଯାନ ଓ ଛୋଟ ଗାଡି ଚାଳକମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ବ୍ରିଜ ଉପରେ ଚିତ୍ରକୋଣ୍ଡା ବ୍ଲକର ନୂଆଗୁଡା, ଦୋରାଗୁଡା, ଗୁଣ୍ଠାୱାଡା, କପାତୁଟି, ପାପଲୁର ଓ କୁର୍ମାନୁର ଭଳି ୬ଟି ପଞ୍ଚାୟତର ଲୋକେ ନିର୍ଭରଶୀଳ। ପ୍ରତିଦିନ ଶତାଧିକ ଲୋକ ଏହି ରାସ୍ତାରେ ଯାତାୟାତ କରୁଥିବାରୁ ରାସ୍ତାର ଏଭଳି ଅବସ୍ଥା ସାଧାରଣ ଲୋକଙ୍କ ଚିନ୍ତା ବଢାଇଛି। ଲୋକଙ୍କ ଦୀର୍ଘ ଦିନର ଦାବି ପରେ ବ୍ରିଜ ନିର୍ମାଣ ହୋଇଥିଲେ ମଧ୍ୟ ଆପ୍ରୋଚ୍ ରାସ୍ତା ଅସମ୍ପୂର୍ଣ୍ଣ ରହିବା ନିର୍ମାଣ କାର୍ଯ୍ୟର ଯୋଜନା ଓ ଗୁଣାତ୍ମକତା ନେଇ ପ୍ରଶ୍ନ ଉଠାଇଛି। ତେଣୁ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ତୁରନ୍ତ ବ୍ରିଜର ଉଭୟ ପାର୍ଶ୍ୱରେ ସ୍ଥାୟୀ ସିମେଣ୍ଟ କଂକ୍ରିଟ ଆପ୍ରୋଚ୍ ରାସ୍ତା ନିର୍ମାଣ କରିବା ସହ ଅଞ୍ଚଳବାସୀଙ୍କ ଯାତାୟାତ ସମସ୍ୟାର ସମାଧାନ କରିବାକୁ ଦାବି ହୋଇଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande